ମାଡି ଆସିଲା ଲାଭା : ଇଣ୍ଡୋନେସିଆରେ ଫାଟିଲା ଜ୍ୱାଳାମୁଖୀ ମାଉଣ୍ଟ ସେମେରୋ, ୨ ହଜାର ଲୋକ ସ୍ଥାନାନ୍ତରିତ

136

କନକ ବ୍ୟୁରୋ : ଇଣ୍ଡୋନେସିଆରେ ସବୁଠାରୁ ଉଚରେ ଥିବା ଜ୍ୱାଳାମୁଖୀ ମାଉଣ୍ଟ ସେମେରୋ ଫାଟିଛି । ଏହାର ପ୍ରଭାବରେ ୧୨ ହଜାର ଫୁଟ ଉଚରେ ଜ୍ୱାଳାମୁଖୀ ପାହାଡରୁ ଗରମ ପବନ, ଲାଭା ଏବଂ ଧୂଆଁ ବାହାରିଥିଲା । ଜ୍ୱାଳାମୁଖିର ଲାଭା ନିକଟରେ ଥିବା ଚାଷଜମିରେ ମାଡିଯାଇଛି । ଏହା ଫଳରେ ସ୍ଥାନୀୟ ଲୋକଙ୍କ ପାଇଁ ସର୍ବୋଚ୍ଚ ସତର୍କତା ଜାରି କରାଯାଇଛି ।

ପୂର୍ବ ଜାଭା ପ୍ରଦେଶରେ ଥିବା ସେମେରୁ ହେଉଛି ଇଣ୍ଡୋନେସିଆର ସର୍ବୋଚ୍ଚ ଆଗ୍ନେୟଗିରି । ରିପୋର୍ଟ ଅନୁସାରେ ଏହି ଆଗ୍ନେୟଗିରିରୁ ରବିବାରଦିନ ଘଞ୍ଚ କଳାଧୂଆଁ ଓ ପାଉଁଶ ନିର୍ଗତ ହେବା ପରେ ଜ୍ୱଳନ୍ତ ଲାଭା ନିର୍ଗତ ହେବା ଆରମ୍ଭ ହୋଇଯାଇଛି । ଏହି ଆଗ୍ନେୟଗିରି ଏକ ଜନାକୀର୍ଣ୍ଣ ସ୍ଥାନରେ ଥିବାରୁ ଲୋକମାନଙ୍କ ପାଇଁ ସର୍ବୋଚ୍ଚ ସତର୍କତା ଜାରି କରାଯାଇଛି । ଲୋକମାନଙ୍କୁ ଏହି ପର୍ବତର ୮ କିଲୋମିଟର ମଧ୍ୟକୁ ନ ଯିବାକୁ ପରାମର୍ଶ ଦିଆଯାଇଛି ।

ତେବେ ଏପର୍ଯ୍ୟନ୍ତ କେହି ମୃତାହତ ହେବାର ଖବର ମିଳିନାହିଁ । ଶେଷଥର ପାଇଁ ଗତ ବର୍ଷ ଡିସେମ୍ବର ମାସରେ ସେମେରୁରୁ ଅଗ୍ନି ଉଦଗୀରଣ ହୋଇଥିଲା । ଇଣ୍ଡୋନେସିଆ ସରକାର ଏହି ଅଗ୍ନି ଉଦଗୀରଣକୁ ଦୃଷ୍ଟିରେ ରଖି ୪ ନମ୍ବର ସତର୍କତା ଜାରି କରିଛନ୍ତି । ଏହାର ଅର୍ଥ ହୋଉଛି ଲୋକମାନଙ୍କ ଘରଦ୍ୱାର ପ୍ରତି ବିପଦ ରହିଛି । ପ୍ରଶାସନ ପକ୍ଷରୁ ସ୍ଥାନୀୟ ଲୋକମାନଙ୍କୁ ଉଦ୍ଧାର କରି ସୁରକ୍ଷିତ ସ୍ଥାନକୁ ନିଆଯାଉଛି ।