ବର୍ଜ୍ୟରୁ ପ୍ରସ୍ତୁତ ହେବ ଇନ୍ଧନ । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ ଆଇଓସିଏଲ୍ ଏବଂ ଉତ୍ତର ଦିଲ୍ଲୀ ମହାନଗର ନିଗମ ମଧ୍ୟରେ ଏମଓୟୁ ସ୍ୱାକ୍ଷରିତ ।

106

କନକ ବ୍ୟୁରୋ : ଉର୍ଜାକୁ ଆତ୍ମନିର୍ଭର କରିବା ଓ ସ୍ୱଚ୍ଛ ଭାରତ ମିଶନ ଦିଗରେ ଯୁଗାନ୍ତକାରୀ ପଦକ୍ଷେପ ସ୍ୱରୂପ ମଙ୍ଗଳବାର କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ ବର୍ଜ୍ୟବସ୍ତୁରୁ ଉର୍ଜା ଉତ୍ପାଦନ କରିବା ପାଇଁ ଇଣ୍ଡିଆନ ଅଏଲ କର୍ପୋରେସନ(ଆଇଓସିଏଲ) ଏବଂ ଉତ୍ତର ଦିଲ୍ଲୀ ମହାନଗର ନିଗମ (ଏନଡ଼ିଏମସି) ମଧ୍ୟରେ ବୁଝାମଣା ପତ୍ର(ଏମଓୟୁ) ସ୍ୱାକ୍ଷରିତ ହୋଇଯାଇଛି ।

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, ଉତ୍ତର ଦିଲ୍ଲୀ ମହାନଗର ନିଗମର ରାଣିଖେରାରେ ଏକ ପ୍ଲାଣ୍ଟ ପ୍ରତିଷ୍ଠା କରାଯିବ । ଏହି ପ୍ଲାଣ୍ଟରେ ଉତ୍ତର ଦିଲ୍ଲୀର ସମସ୍ତ ବର୍ଜ୍ୟବସ୍ତୁ ବା କଠିନ ଅଳିଆ ଆବର୍ଜନାକୁ ଏକାଠି କରାଯାଇ ଏଥିରୁ ଇଣ୍ଡିଆନ ଅଏଲ ସହଯୋଗରେ ଉର୍ଜା ଉତ୍ପାଦନ କରାଯିବ । ଜୈବିକ ବର୍ଜ୍ୟରୁ ସିବିଜି ଉତ୍ପାଦନ କରାଯିବା ସହ ପ୍ଲାଷ୍ଟିକର ପୁନଃବ୍ୟବହାର କରାଯାଇ ପ୍ଲାଷ୍ଟିକ କିମ୍ବା ସିନଗ୍ୟାସ ଉତ୍ପାଦନରେ ବ୍ୟବହାର ହେଉଥିବା ରିଫ୍ୟୁଜ୍ ଡିରାଇଭଡ୍ ଫ୍ୟୁଏଲ(ଆରଡ଼ିଏଫ)ର ମଧ୍ୟ ଉତ୍ପାଦନ କରାଯିବ । ଏହି ପ୍ଲାଣ୍ଟରେ ଦୈନିକ ୨୫୦୦ ମିଲିୟନ ଟନର ବର୍ଜ୍ୟ ବସ୍ତୁ ପ୍ରକ୍ରିୟାକରଣ କରାଯାଇ ଉର୍ଜା ଉତ୍ପାଦନ ହେବ ।

ମହାନଗର ନିଗମର କଠିନ ବର୍ଜ୍ୟବସ୍ତୁ(ଏମଏସଡବ୍ଲ୍ୟୁ)ର ପରିଚାଳନା ଦିଲ୍ଲୀରେ ପ୍ରମୁଖ ସମସ୍ୟା ଭାବେ ଉଭା ହୋଇଛି ଏବଂ ପ୍ରସ୍ତାବିତ ଏହି ପ୍ଲାଣ୍ଟ ଏହାର ସମାଧାନ କରିବା ସହ ଦିଲ୍ଲୀକୁ ସବୁଜ ଇନ୍ଧନ ମାର୍ଗରେ ନେବ । ସଙ୍କୋଚିତ ବାୟୋଗ୍ୟାସ୍ କିମ୍ବା ସିବିଜି ସମେତ ବିଭିନ୍ନ ରୂପରେ ବିକଳ୍ପ ଶକ୍ତି ଉତ୍ପାଦନ ପାଇଁ ଜୈବ ଇନ୍ଧନର ପୂର୍ଣ୍ଣ ସମ୍ଭାବନାକୁ ବ୍ୟବହାର କରି ଇନ୍ଧନ ଉପରେ ଆମଦାନୀ ନିର୍ଭରଶୀଳତା ହ୍ରାସ କରିବା ଉପରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗୁରୁତ୍ୱାରୋପ କରିଥିଲେ ।