ଶାଶୂଘର ବନାମ ବାପଘର । ବର୍ଷା ବରିହାଙ୍କୁ ନେଇ ତୀବ୍ର ହେଲା ଆକ୍ଷେପ-ପ୍ରତିଆକ୍ଷେପ । ଭୁବନେଶ୍ୱରରେ ଦେଖିବାକୁ ମିଳିଲା ପଦ୍ମପୁର ତାତି

193

କନକ ବ୍ୟୁରୋ: ଶାଶୂଘର, ବାପଘରକୁ ନେଇ ରାଜନୀତି । ଦିବଙ୍ଗତ ବିଧାୟତ ବିଜୟ ରଂଜନ ସିଂ ବରିହାଙ୍କ ଝିଅ ବର୍ଷାଙ୍କୁ ପ୍ରାର୍ଥୀ କରି ପଦ୍ମପୁରରେ ସମବେଦନାର ଭୋଟ ହାତେଇବାକୁ ଉଦ୍ୟମ କରିଛି ବିଜେଡି । ହେଲେ ସେପଟେ ବିଜେପି, ପଦ୍ମପୁରରେ ଏଭଳି ଏକ ମାହୋଲ ତିଆରି କରି କରିଛି, ଯେମିତି ବର୍ଷା ସିଂ ବରିହା ପଦ୍ମପୁରର ଝିଅ ଅପେକ୍ଷା ସତ୍ୟବାଦୀର ବୋହୂ ଭାବେ ଗଣାଯିବେ । ରାଜନୀତିର ଏହି ରାଣନୀତି ପଛରେ ରହିଛି ଭାବପ୍ରବଣତା । ଯାହାକୁ ନେଇ ଦୁଇ ଦଳ ଭିତରେ ଦେଖିବାକୁ ମିଳିଛି କଥା କଟାକଟି ।

  • ଶାଶୂଘର, ବାପଘରକୁ ନେଇ ରାଜନୀତି
  • ବର୍ଷାଙ୍କୁ ନେଇ ପଦ୍ମପୁରରେ ଟିପ୍ପଣୀ
  • ଭୁବନେଶ୍ୱରରେ ବିଜେଡିର ପ୍ରତିକ୍ରିୟା

ଦିବଙ୍ଗତ ବିଧାୟକ ବିଜୟ ରଞ୍ଜନ ସିଂ ବରିହାଙ୍କ ଝିଅ ବର୍ଷା ସିଂ ବରିହାଙ୍କୁ ପ୍ରାର୍ଥୀ କରି ପଦ୍ମପୁରରେ ସମବେଦନାର ଭୋଟ୍ ହାତେଇବାକୁ ବିଜେଡି ଉଦ୍ୟମ କରିଥିଲା । ଗାଁ ଗାଁ ବୁଲି ଭୋଟ୍ ମାଗିଲାବେଳେ ବର୍ଷା ମଧ୍ୟ ବାପାଙ୍କ କଥା କହି ବେଶ ଭାବବିହ୍ୱଳ ହେଉଥିଲେ । ଏତିକିବେଳେ ବର୍ଷାଙ୍କ ପ୍ରାର୍ଥୀତ୍ୱକୁ କାଉଣ୍ଟର କରିବା ପାଇଁ ବିଜେପି ଏକ ନୂଆ ରଣନୀତି ସାମ୍ନାକୁ ଆଣିଥିଲା । ତାଙ୍କୁ ବିଦେଶିନୀ କହି ଟାର୍ଗେଟ କରିବା ଆରମ୍ଭ କରିଦେଲେ ବିଜେପିର ଏକାଧିକ ନେତା । ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ରଙ୍କଠୁ ଆରମ୍ଭ କରି ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀଙ୍କ ଯାଏଁ ବିଜେପି ନେତାମାନେ ପଦ୍ମପୁରରେ ଏଭଳି ଏକ ମାହୋଲ ତିଆରି କରି ଦେଇଛନ୍ତି, ଯେମିତି ବର୍ଷା ସିଂ ବରିହା ପଦ୍ମପୁରର ଝିଅ ଅପେକ୍ଷା ସତ୍ୟବାଦୀର ବୋହୂ ଭାବେ ଗଣାଯିବେ । ଯାହାକୁ ନେଇ ଆକ୍ରମଣାତ୍ମକ ହୋଇଛି ବିଜେଡି । ଭୁବନେଶ୍ୱରରେ ସାମ୍ବାଦିକ ସମ୍ମିଳନୀ କରି ବିଜେପି ନେତାଙ୍କୁ ଟାର୍ଗେଟ କରିଛି ବିଜୁ ଜନତା ଦଳର ମହିଳା ବ୍ରିଗେଡ୍ ।

ବିଜେପିକୁ ମହିଳା ବିରୋଧୀ କହିବା ପରେ ଚିହିଁକି ଉଠିଛି ଭାରତୀୟ ଜନତା ପାର୍ଟି । ରାଜ୍ୟରେ ବଢୁଥିବା ମହିଳା ହିଂସା ପାଇଁ ସରକାରଙ୍କୁ ଦାୟୀ କରି ବିକ୍ଷୋଭ ପ୍ରଦର୍ଶନ କରିଛି ଭୁବନେଶ୍ୱର ସାଂଗଠନିକ ଜିଲ୍ଲା ବିଜେପି । ମହିଳା ବିରୋଧୀ ହିଂସା ଘଟଣାରେ ଶାସକ ଦଳର ନେତା, ମନ୍ତ୍ରୀଙ୍କ ସଂପୃକ୍ତି ଅଭିଯୋଗ ଆଣିଛି । ସେପଟେ ବିଜେଡି ମଧ୍ୟ ରାସ୍ତାକୁ ଓହ୍ଲାଇ ଜୋରଦାର ପ୍ରତିବାଦ କରିଛି । ଜୟନାରାୟଣ ମିଶ୍ର ଓ ପ୍ରଦୀପ ପୁରୋହିତଙ୍କ ଫଟୋରେ ଛକି ମାରି ମହିଳା ବିରୋଧୀ ଭାବେ ଚିତ୍ରଣ କରିଛି ।

ଏସବୁ ଭିତରେ ବାରମ୍ବାର ବିଜେପି ଲକ୍ଷ୍ମଣ ରେଖା ଡେଉଁଥିବା ଅଭିଯୋଗ କରି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଫେରାଦ ହୋଇଛି ବିଜେଡିର ଏକ ପ୍ରତିନିଧି ଦଳ । ଜଣେ ମହିଳାଙ୍କୁ ଅପମାନିତ କରାଯାଉଥିବା ଅଭିଯୋଗରେ କଡା କାର୍ଯ୍ୟାନୁଷ୍ଠାନ ଦାବି କରିଛି । ଜୁଏଲ ଓରାମ, ଜୟନାରାୟଣ ମିଶ୍ର ଏବଂ ବିଜେପିର ପଦ୍ମପୁର ପ୍ରାର୍ଥୀ ପ୍ରଦୀପ ପୁରୋହିତଙ୍କ ବିରୋଧୀରେ ଦଳ ଅଭିଯୋଗ ଫର୍ଦ୍ଦ ଦେଇଛି ।