ପରିବାର ନିୟୋଜନ ପାଇଁ ନୂଆ ପଦକ୍ଷେପ । ବର୍ଷକୁ ୨ ଥର ହେବ ଶାଶୂ-ବୋହୂ ସମ୍ମିଳନୀ । ସମ୍ମିଳନୀର ଆୟୋଜନ କରିବେ ଆଶା କର୍ମୀ

902

କନକ ବ୍ୟୁରୋ: ଟିଭି ସିରିୟଲରେ ଆପଣ ଦେଖିଥିବେ ଶାଶୂ-ବୋହୂ କାହାଣୀ । ପରିବାରରେ ଏହି ଦୁଇଜଣଙ୍କ ବଡ଼ ଭୂମିକା ରହିଛି । କିନ୍ତୁ ଅନେକ ସମୟରେ ପରସ୍ପର ମଧ୍ୟରେ ଭୁଲ ବୁଝାମଣା ଯୋଗୁଁ ବିଭିନ୍ନ ସମସ୍ୟା ସୃଷ୍ଟି ହୁଏ । ପରିବାର ଭାଙ୍ଗିଯାଏ । କେତେବେଳେ ପରିବାର ଆଗକୁ ବଢ଼ାଇବା ପାଇଁ ତ କେତେବେଳେ ପୁତ୍ର ସନ୍ତାନ ପାଇଁ ବୋହୂ ଉପରେ ଶାଶୂ ଚାପ ପକାଇଥାଏ । ତେଣୁ ପରିବାର ନିୟୋଜନ କାର୍ଯ୍ୟକ୍ରମକୁ ଅଧିକ ସଫଳ କରିବା ପାଇଁ ବର୍ଷକୁ ୨ ଥର ଶାଶୂ-ବୋହୂ ସମ୍ମିଳନୀ ଆୟୋଜନ କରିବାକୁ ଯାଉଛି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ।

ଶାଶୂ-ବୋହୂ ସଂପର୍କକୁ ମଜବୁତ କରିବା ଓ ଜନସଂଖ୍ୟା ନିୟନ୍ତ୍ରଣ କାର୍ଯ୍ୟକ୍ରମକୁ ଲୋକପ୍ରିୟ କରିବା ପାଇଁ କରାଯିବ ଶାଶୂ-ବୋହୂ ସମ୍ମିଳନୀ । ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ସେମାନଙ୍କୁ ସଚେତନ କରାଯିବ । ମହିଳାମାନେ ନିଜର ସ୍ୱାସ୍ଥ୍ୟ ସମସ୍ୟା ଆଲୋଚନା କରିବାର ସୁଯୋଗ ପାଇବେ । ଫ୍ୟାମିଲି ପ୍ଲାନିଂ ପାଇଁ ବାଧକ ସାଜିଥିବା କାରଣ ଓ ଅନ୍ଧ ବିଶ୍ୱାସଗୁଡିକୁ ହଟାଇବା ଏହି ସମ୍ମିଳନୀର ଲକ୍ଷ୍ୟ ରହିଛି ।

ନଜର ପକାନ୍ତୁ ଶାଶୂ-ବୋହୂ ସମ୍ମିଳନୀ ରେ କେଉଁମାନେ ଯୋଗ ଦେବେ

ନବ ବିବାହିତା, ଗର୍ଭବତୀ ମହିଳା, ଫ୍ୟାମିଲି ପ୍ଲାନିଂ କରିନଥିବା ମହିଳା, ୩ କିମ୍ବା ୩ରୁ ଅଧିକ ସନ୍ତାନ ଜନ୍ମ ଦେଇଥିବା ମହିଳା, ଯେଉଁମାନଙ୍କ ବିବାହ ଓ ପ୍ରଥମ ସନ୍ତାନ ମଧ୍ୟରେ ୨ ବର୍ଷର ବ୍ୟବଧାନ ରହିଥିବ, ପ୍ରଥମ ଓ ଦ୍ୱିତୀୟ ସନ୍ତାନ ମଧ୍ୟରେ ୩ ବର୍ଷର ବ୍ୟବଧାନ ରହିଥିବା ମହିଳା
ଏହି ସମ୍ମିଳନୀରେ ଯୋଗ ଦେବେ

ଶାଶୂ-ବୋହୂ ସମ୍ମିଳନୀ

  • ବେଲୁନ୍ ଗେମ୍, ଟକ୍ ସୋ’, କୁଇଜ୍ କମ୍ପିଟେସନ୍ ଆଦି କରାଯିବ
  • ଶାଶୂ-ବୋହୂ ପରିସ୍ପର ସଂପର୍କରେ ଅନୁଭୂତି କହିବେ
  • ପରିବାର ନିୟୋଜନ ସଂପର୍କରେ କାଉନସେଲିଂ କରାଯିବ
  • କାଉନସେଲିଂ କେନ୍ଦ୍ରରେ ଏଏନ୍ଏମ୍, ଆଶା ଓ ଡାକ୍ତର ଉପସ୍ଥିତ ରହିବେ
  • ସମ୍ମିଳନୀ ପାଇଁ ଶାଶୁ-ବୋହୂଙ୍କୁ ଆଣିବେ ଆଶାକର୍ମୀ

ରାଜ୍ୟରେ ପ୍ରଜନନ ହାର, ଜାତୀୟ ହାର ଠାରୁ କମ ରହିଛି । କିନ୍ତୁ ଆଧୁନିକ ଗର୍ଭ ନିରୋଧକ ଉପଯୋଗ, ଅବାଂଛିତ ମାତୃତ୍ୱ ଓ ଗର୍ଭପାତ ଆଦିରେ ସୁଧାର ଆସି ପାରିନାହିଁ । ଏହି ସମ୍ମିଳନୀ ଏ କ୍ଷେତ୍ରରେ ସହାୟକ ହେବ ବୋଲି କହିଛି ସ୍ୱାସ୍ଥ୍ୟ ବିଭାଗ ।

ଜାତୀୟ ପରିବାର ସ୍ୱାସ୍ଥ୍ୟ ସର୍ଭେ ଅନୁସାରେ

  • ଗର୍ଭ ନିରୋଧକ ବଟିକା ବ୍ୟବହାର ୧୨%ରୁ ୧୦.୮%କୁ ହ୍ରାସ ପାଇଛି
  • କଣ୍ଡୋମ ଉପଯୋଗ ୩.୪%ରୁ ୫.୫%କୁ ବୃଦ୍ଧି ପାଇଛି

ନଭେମ୍ବର ମାସ ସୁଦ୍ଧା ନବ ବିବାହିତା ଦମ୍ପତିଙ୍କୁ ‘ବିବାହ କିଟ୍’ ଦେବା ପାଇଁ ନିଷ୍ପତି ହୋଇଥିଲା । ତାହା ଏପର୍ଯ୍ୟନ୍ତ ଆରମ୍ଭ ହୋଇପାରିନାହିଁ । ଏବେ ଶାଶୂ-ବୋହୂ ସମ୍ମିଳନୀ ପାଇଁ ଅଣ୍ଟା ଭିଡିଛି ସ୍ୱାସ୍ଥ୍ୟ ବିଭାଗ ।