କୂଅରୁ ବାହାରିଲେ ମାଆ ପୁଅ : ବଲାଙ୍ଗୀରରେ ଖେଳୁଥିବା ବେଳେ ଖସିପଡିଥିଲେ ୪ ବର୍ଷର ଛୁଆ, ବଂଚାଇବାକୁ ଯାଇ ଡେଇଁପଡିଥିଲେ ମାଆ

59

କନକ ବ୍ୟୁରୋ : କୂଅରୁ ବାହାରିଲେ ମାଆ-ପୁଅ । ଅଗ୍ନିଶମ କର୍ମଚାରୀ କୂଅ ଭିତରୁ ମାଆ-ପୁଅକୁ ଉଦ୍ଧାର କରିଛି । ଗୁରୁବାର ସଂଧ୍ୟାରେ ବଲାଙ୍ଗୀର ତାଲାପାଲିପଡାରେ ଖେଳୁ ଖେଳୁ ୪ ବର୍ଷର ଛୁଆଟି କୂଅରେ ପଡିଯାଇଥିଲା । ପୁଅକୁ ଖୋଜି ଖୋଜି ମା’ ପହଞ୍ଚିଥିଲେ କୂଅ ପାଖରେ । ପୁଅ କୂଅରେ ଗଳି ପଡ଼ି କାନ୍ଦୁଥିବା ଦେଖି ମା’ ନିଜକୁ ସମ୍ଭାଳି ପାରିଲେ ନାହିଁ । ନିଜ ଛୁଆକୁ କୂଅରେ ପଡିଥିବା ଦେଖି ମାଆ ବି କୂଅକୁ ଡେଇଁପଡିଥିଲେ । ତେବେ ଏତେ ବଡ ଗଭୀର କୂଅରୁ ଦୁଇ ଜଣଙ୍କୁ ବାହାର କରିବା ମୁସ୍କିଲ ହୋଇପଡିଥିଲା । ସ୍ଥାନୀୟ ଲୋକେ ସେମାନଙ୍କୁ ଉଦ୍ଧାର କରିନପାରି ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ ।

ଦମକଳ ବାହିନୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ । ଦମକଳ ବିଭାଗ ପକ୍ଷରୁ କୂଅ ଭିତରକୁ ଦୌଡି ଓ ଶିଡ଼ି ପକା ଯାଇଥିଲା । ଜଣେ କର୍ମଚାରୀ କୂଅ ଭିତରକୁ ପ୍ରବେଶ କରି ପ୍ରଥମେ ପୁଅକୁ ସୁରକ୍ଷିତ ଭାବେ ଉପରକୁ କାଢିଥିଲେ । ପରେ ମହିଳା ଜଣଙ୍କ ରଶି ଧରି ଶିଡ଼ିରେ ଚଢ଼ି ଚଢ଼ି ଉପରକୁ ଆସିଥିଲେ। ପ୍ରାୟ ଅଧା ଘଣ୍ଟା ଧରି ଚାଲିଥିଲା ଉଦ୍ଧାର କାର୍ଯ୍ୟ । ଛୁଆଟି ମୁଣ୍ଡରେ ଆଘାତ ଲାଗିଥିବାରୁ ତାକୁ ଡାକ୍ତରଖାନାକୁ ନିଆଯାଇ ପ୍ରାଥମିକ ଚିକିତ୍ସା କରାଯାଇଥିଲା।