ଟିକା ନେଉନଥିଲେ ସାବଧାନ: ମୁମ୍ବାଇ ହସ୍ପିଟାଲରେ ଭର୍ତି ହୋଇଥିବା ଅଧିକାଂଶ ବ୍ୟକ୍ତି ନେଇ ନାହାନ୍ତି ଟିକା

191

କନକ ବ୍ୟୁରୋ: ଦ୍ୱିତୀୟ ଲହର ତୁଳନାରେ ଏବେ ସଂକ୍ରମଣ ଅଧିକ ରହିଛି । ସୋମବାର କେନ୍ଦ୍ର କହିଥିଲା ମୋଟ୍ ସଂକ୍ରମିତଙ୍କ ମଧ୍ୟରୁ ୫-୧୦ ପ୍ରତିଶତ ଏବେ ହସ୍ପିଟାଲରେ ଭର୍ତି ହେଉଛନ୍ତି । କିନ୍ତୁ ଖୁବଶୀଘ୍ର ଏହି ସଂଖ୍ୟା ବଢିପାରେ ।

କରୋନାକୁ ମାତ୍ ଦେବାକୁ ଟିକା ଅନ୍ୟତମ ଅମୋଘ ଅସ୍ତ୍ର । ଟିକା ନେବାକୁ ଟିଭି, ଖବରକାଗଜ ଓ ବିଭିନ୍ନ ଫୋରମରେ ବିଶେଷଜ୍ଞମାନେ ପ୍ରତିଦିନ ପରାମର୍ଶ ଦେଉଛନ୍ତି । କିନ୍ତୁ ଯେଉଁମାନେ ଟିକା ନେଉ ନାହାନ୍ତି ସେମାନେ ଏବେ ହସ୍ପିଟାଲରେ ଭର୍ତି ହେଉଛନ୍ତି । ତୃତୀୟ ଲହର ବେଳେ ହସ୍ପିଟାଲରେ ଭର୍ତି ହେଇଥିବା ଅଧିକାଂଶ ଟିକା ନେଇ ନାହାନ୍ତି ବୋଲି ଜଣାପଡିଛି ।

ମୁମ୍ବାଇର ବିଏମସି କମିଶନର ଇକବାଲ ଚହଲ କହିଛନ୍ତି, ମୁମ୍ବାଇରେ ୧୮୬ ହସ୍ପିଟାଲରେ ୧୯୦୦ରୁ ଅଧିକ ଆକ୍ରାନ୍ତ ଭର୍ତି ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୯୬ ପ୍ରତିଶତ ଟିକା ନେଇ ନାହାନ୍ତି । ତେଣୁ ଏମାନେ ଅକ୍ସିଜେନ ନେଉଛନ୍ତି । କିନ୍ତୁ ଗୋଟିଏ ଡୋଜ ନେଇ ଆକ୍ରାନ୍ତ ହୋଇଥିବା ବ୍ୟକ୍ତି ହସ୍ପିଟାଲରେ ଭର୍ତି ହେଉନାହାନ୍ତି । ଯଦି ବି ଭର୍ତି ହେଉଛନ୍ତି ତାହେଲେ ଆଇସିୟୁରେ ଭର୍ତି ହେଉନାହାନ୍ତି ।
ଅନ୍ୟପଟେ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ମଙ୍ଗଳବାର କହିଛି, ଆଫ୍ରିକାକୁ ଛାଡି ଦୁନିଆର ଅନ୍ୟ ଦେଶରେ କରୋନା ସଂକ୍ରମଣ ବଢୁଛି । ଅଧିକାଂଶ ସକ୍ରମଣ ଓମିକ୍ରନ କାରଣରୁ ହେଉଛନ୍ତି । ଆଉ ଡେଲଟାର ସ୍ଥାନ ନେଉଛି ଓମିକ୍ରନ । ଟିକା ନେଇଥିବା ଲୋକ ବି ଓମିକ୍ରନରେ ସଂକ୍ରମିତ ହେଉଛନ୍ତି । ଓମିକ୍ରନ ବୃଦ୍ଧିକୁ ଦୃଷ୍ଟିରେ ରଖି ଟିକାକରଣକୁ ଜୋରଦାର କରାଯାଇଛି । କିନ୍ତୁ ଆଫ୍ରିକୀୟ ଦେଶରେ ଟିକାକରଣ ମନ୍ଥର ଗତିରେ ଚାଲିଛି । ଆଫ୍ରିକାରେ ବର୍ତମାନ ସୁଦ୍ଧା ୮୫ ପ୍ରତିଶତ ଲୋକ ପ୍ରଥମ ଡୋଜ ଟିକା ନେଇନାହାନ୍ତି । ତେଣୁ ଟିକା ନେଇ ଏହି ଅଦୃଶ୍ୟ ଭୂତାଣୁ ଦାଉରୁ ସୁରକ୍ଷିତ ରହିବା ସହିତା କରୋନା ନିୟମ ପାଳନ କରିବାକୁ ଗୁରୁତ୍ୱ ଦେଇଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ।