‘କାଳିଆ’ରେ ଲକ୍ଷାଧିକ ଅଯୋଗ୍ୟ ହିତାଧିକାରୀ । ଖଣ୍ଡପଡା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ପ୍ରଶ୍ନର ଉତ୍ତର ରଖିଲେ ମନ୍ତ୍ରୀ ଅରୁଣ ସାହୁ ।

182

କନକ ବ୍ୟୁରୋ : କାଳିଆ ଯୋଜନାରେ ଲକ୍ଷାଧିକ ଅଯୋଗ୍ୟ ହିତାଧିକାରୀ । ଏଭଳି ଏକ ସାଂଘାତିକ ତଥ୍ୟ ଏବେ ସାମ୍ନାକୁ ଆସିଛି । ବିଧାନସଭାରେ ଏନେଇ ମନ୍ତ୍ରୀ ଉତ୍ତର ରଖିବା ପରେ କାଳିଆ ଯୋଜନାର ଆଯୋଗ୍ୟ ହିତାଧିକାରୀଙ୍କ ସଂଖ୍ୟା ସାମ୍ନାକୁ ଆସିଛି । କାଳିଆ ଯୋଜନା ବାବଦରେ ପୂରା ତଥ୍ୟ ଜାଣିବାକୁ ଖଣ୍ଡପଡା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ ଗୃହରେ ପ୍ରଶ୍ନ ପଚାରିଥିଲେ । ଅଯୋଗ୍ୟ ହିତାଧିକାରୀଙ୍କୁ ସହାୟତା ମିଳିଥିବାରୁ ରାଜକୋଷରୁ କେତେ ଟଙ୍କା ଅଯଥାରେ ବରବାଦ ହୋଇଛି, ବ୍ୟାଙ୍କ ଆକାଉଣ୍ଟ ନମ୍ବର ଭୁଲ ଯୋଗୁଁ କେତେ ହିତାଧିକାରୀ ସହୟତା ପାଇବାରୁ ବଞ୍ଚିତ ହୋଇଛନ୍ତି ଓ ଏସବୁ ଅନିୟମିତତା ପାଇଁ କେଉଁ ସବୁ ଅଫିସରଙ୍କୁ ଉତ୍ତରଦାୟୀ କରାଯାଇଛି ସେନେଇ ପ୍ରଶ୍ନ ପଚାରିଥିଲେ ସୌମ୍ୟରଞ୍ଜନ ।

ଆଉ ଏହାର ଉତ୍ତର ଦେଇ କୃଷି ମନ୍ତ୍ରୀ ଅରୁଣ ସାହୁ କହିଛନ୍ତି, କାଳିଆ ଯୋଜନାରେ ଏବେ ୧୦୪୦୭୬ ଜଣ ଅଯୋଗ୍ୟ ହିତାଧିକାରୀଙ୍କୁ ଚିହ୍ନଟ କରାଯାଇଛି । କାଳିଆ ଯୋଜନାରେ ବର୍ତ୍ତମାନ ସୁଦ୍ଧା ୫୬,୧୪,୭୦୭ ଜଣ ଯୋଗ୍ୟ ହିତାଧିକାରୀ ଚିହ୍ନଟ କରାଯାଇଛି । ଏହାଛଡା କୌଣସି ହିତାଧିକାରୀ ଯେପରି ଡିବିଟି ଜରିଆରେ ସହାୟତା ପାଇବାରୁ ବଞ୍ଚିତ ନ ହୁଅନ୍ତି ସେଥିପାଇଁ କାଳିଆ ଯୋଜନାରେ ଆଧାର ଭିତ୍ତିକ ଓ ବ୍ୟାଙ୍କ ଆକାଉଣ୍ଟ ଭିତ୍ତିକ ଅର୍ଥରାଶି ପଠାଯାଉଛି । ଏହାପୂର୍ବରୁ ଅନେକ ଯୋଗ୍ୟ ହିତାଧିକାରୀ କାଳିଆ ଯୋଜନାରୁ ବାଦ୍ ପଡିଥିବା ବେଳେ ଅନେକ ଅଯୋଗ୍ୟ ହିତାଧିକାରୀ କାଳିଆ ଯୋଜନାରେ ଟଙ୍କା ପାଇଥିବା ନେଇ ପୂର୍ବରୁ ବାରମ୍ବାର ଅଭିଯୋଗ ହୋଇଛି ।