ଶିକ୍ଷା ବ୍ୟବସ୍ଥାର ବିକଳ ଚିତ୍ର ! ମଧ୍ୟାହ୍ନ ଭୋଜନ ଖାଇ ଶତାଧିକ ଛାତ୍ରଛାତ୍ରୀ ଅସୁସ୍ଥ, ୨ଗୁରୁତର

29

କନକ ବ୍ୟୁରୋ : ମଧ୍ୟାହ୍ନ ଭୋଜନ ନା ବିଷ । ରାଜ୍ୟର ବିପର୍ଯ୍ୟସ୍ଥ ଶିକ୍ଷା ବ୍ୟବସ୍ଥାକୁ ନେଇ ଗତକାଲି ବିଧାନସଭା ହୁଲୁସ୍ତୁଲ ହେଉଥିବା ବେଳେ ନଜରକୁ ଆସିଥିଲା ଏଭଳି ଖବର ଯାହା ଖୁବ୍ ସାଂଘାତିକ୍ । ସ୍କୁଲରେ ମଧ୍ୟାହ୍ନ ଭୋଜନ ଖାଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି ଶତାଧିକ ଛାତ୍ରଛାତ୍ରୀ । ସୂଚନା ଅନୁସାରେ ଗଜପତି ଓ କଳାହାଣ୍ଡି ଜିଲ୍ଲାର ୬ଟି ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନ ଖାଇ ଅନ୍ୟୂନ ୨୩୦ ଛାତ୍ରଛାତ୍ରୀ ଅସୁସ୍ଥ ହୋଇପଡ଼ିବା ଘଟଣା ସବୁଆଡ଼େ ଆଲୋଡ଼ନ ଖେଳାଇ ଦେଇଛି । ଏହି ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୨୦୦ରୁ ଅଧିକ ପିଲାଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ସେମାନଙ୍କ ମଧ୍ୟରୁ ୨ ଜଣଙ୍କ ଅବସ୍ଥା ଗୁରୁତର ଥିବା ସୂଚନା ମିଳିଛି ।

ସୂଚନା ମୁତାବକ, ଗଜପତି ଜିଲ୍ଲା ଗୁମ୍ମା ବ୍ଲକ୍‌ ଅନ୍ତର୍ଗତ ବଡ଼କଳାବଟ ଆଶ୍ରମ ବିଦ୍ୟାଳୟକୁ ପ୍ରିୟଙ୍କା ସ୍ୱୟଂ ସହାୟିକା ଗୋଷ୍ଠୀ ପକ୍ଷରୁ ମଧ୍ୟାହ୍ନ ଭୋଜନ ଯୋଗାଣ ହେଉଛି । ଗୁରୁବାର ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କୁ ମଧ୍ୟାହ୍ନ ଭୋଜନ ଖାଇବାକୁ ଦିଆଯିବା ସହ ଅପରାହ୍ନରେ ବିସ୍କୁଟ ଖାଇବାକୁ ଦିଆଯାଇଥିଲା । ଏହାପରେ କିଛି ଛାତ୍ରଛାତ୍ରୀ ବାନ୍ତି କରିବା ସହ ସେମାନଙ୍କର ମୁଣ୍ଡ ବୁଲାଇଥିଲା । ସଂଗେ ସଂଗେ ସେମାନଙ୍କୁ ଗୁମ୍ମା ମେଡିକାଲକୁ ନିଆଯାଇଥିଲା । ଖବର ଲେଖା ହେଲା ସୁଦ୍ଧା ଗୁମ୍ମା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ୮୦ ଜଣ ଭର୍ତ୍ତି ହୋଇଛନ୍ତି । ଖାଦ୍ୟ ବିଷାକ୍ତ ହେବା କାରଣରୁ ଏଭଳି ଘଟିଥିବା ଆଶଙ୍କା କରିଛନ୍ତି ପ୍ରଧାନଶିକ୍ଷକ ଲକ୍ଷ୍ମୀଧର ସାମନ୍ତରା । ଅନ୍ୟପକ୍ଷରେ, ସ୍ଥିତି ଅନୁଧ୍ୟାନ କରିବାକୁ ମେଡିକାଲର ଏକ ସ୍ୱତନ୍ତ୍ର ଦଳ ବିଦ୍ୟାଳୟରେ ପହଞ୍ଚିଛନ୍ତି । ସେହିପରି କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ୍‌ର ୫ଟି ସ୍କୁଲର ୧୩୦ରୁ ଅଧିକ ଛାତ୍ରଛାତ୍ରୀ ମଧ୍ୟାହ୍ନ ଭୋଜନ ଖାଇ ଅସୁସ୍ଥ ହୋଇ ପଡ଼ିଛନ୍ତି। ସେମାନଙ୍କ ମଧ୍ୟରୁ ୨ ଜଣ ଛାତ୍ରଛାତ୍ରୀ ଗୁରୁତର ଥିବା ଜଣାଯାଇଛି।

ସୂଚନା ଅନୁସାରେ ଆଜିକି ବହୁ ବର୍ଷ ହେଲା ମାନ୍ନାଟ୍ରଷ୍ଟ ବ୍ଲକର ୧୭୪ଟି ସ୍କୁଲର ୧୩ ହଜାରରୁ ଅଧିକ ପିଲାଙ୍କୁ ମଧ୍ୟାହ୍ନ ଭୋଜନ ଯୋଗାଇ ଆସୁଛି । ହେଲେ ମାନ୍ନାଟ୍ରଷ୍ଟର ଏହି ରନ୍ଧାଖାଦ୍ୟକୁ ଛାତ୍ରଛାତ୍ରୀ, ଶିକ୍ଷକ ଓ ଅବିଭାବକ ଖାଦ୍ୟ ରୁଚିକର ହେଉନଥିବାରୁ ବାରମ୍ବାର ଅଭିଯୋଗ କରୁଥିଲେ । ଗୁରୁବାର ସକାଳ ୧୧ଟାରେ ବନ୍ଧପାରି ପଞ୍ଚାୟତର ଲୁମା, ଡଙ୍ଗରୀ, ବନ୍ଧପାରୀ ସ୍କୁଲରେ ମାନ୍ନାଟ୍ରଷ୍ଟର ମଧ୍ୟାହ୍ନ ଭୋଜନ ଗାଡ଼ି ପହଞ୍ଚିଥିଲା । ଦିନ ୧ଟାରେ ପିଲାମାନଙ୍କୁ ଖାଇବାକୁ ଦିଆଯାଇଥିଲା । ଖାଇସାରିଲା ପରେ ମୁଣ୍ଡ ବୁଲାଇବାରୁ ଛାତ୍ରଛାତ୍ରୀ ତଳେପଡ଼ି ଯାଇଥିଲେ । ଏହାପରେ ବାନ୍ତି କରିଥିଲେ । ଛାତ୍ରଛାତ୍ରୀଙ୍କୁ ଆମ୍ବୁଲାନ୍ସ ଯୋଗେ ବିଶ୍ୱନାଥପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ବନ୍ଧପାରି ସ୍କୁଲର ଗୀତାଞ୍ଜଳି ମାଝୀ ଓ ରଞ୍ଜିତା ମାଝୀଙ୍କ ଅବସ୍ଥା ଗୁରୁତର ହେବାରୁ ଭବାନୀପାଟଣା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା ।

ଏ ନେଇ ମାନ୍ନାଟ୍ରଷ୍ଟର ମାନ୍ନାଟ୍ରଷ୍ଟର ମ୍ୟାନେଜର ସୁନୀଲ କୁମାର ସିଂଙ୍କୁ ପଚାରିବାରୁ ସେ ଅଫିସ କାମରେ ଭବାନୀପାଟଣା ଯାଇଥିବାରୁ ଘଟଣା ସଂପର୍କରେ କହିପାରିବେ ନାହିଁ ବୋଲି କହିଥିଲେ । ତେବେ ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରଦୀପ ନାଗଙ୍କୁ ପଚାରିବାରୁ ଏ ଘଟଣା କିଛି ନିର୍ଦ୍ଦିଷ୍ଟ ସ୍କୁଲରେ ଘଟିଛି। ସେଥିପାଇଁ କିଛି କହି ହେଉ ନାହିଁ । ସେ ସ୍କୁଲକୁ କେଉଁ ଗାଡ଼ି ଯାଉଛି ସେ ବିଷୟରେ ମାନ୍ନାଟ୍ରଷ୍ଟ କର୍ତ୍ତୃପକ୍ଷଙ୍କୁ ପଚାରି ବୁଝିବୁ ଓ ଖାଦ୍ୟର ଯାଞ୍ଚ ପାଇଁ ପଠାଇଲା ପରେ ସବୁ ତଥ୍ୟ ଜଣାପଡ଼ିବ ବୋଲି ପ୍ରକାଶ କରିଛନ୍ତି ।

ସୂଚନାଥାଉ କି, ମାନ୍ନାଟ୍ରଷ୍ଟର ଖାଦ୍ୟର ମାନକୁ ନେଇ ଲାଞ୍ଜିଗଡ଼ ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ପୂର୍ବରୁ ତତ୍‌କାଳୀନ ଜିଲ୍ଲାପାଳ ଡ. ବୃନ୍ଦା ଡି.ଙ୍କ ଠାରେ ଅଭିଯୋଗ କରାଯାଇଥିଲା । ହେଲେ ଏପଯ୍ୟର୍ନ୍ତ କୌଣସି କାର୍ଯ୍ୟାନୁଷ୍ଠାନ ନେଇନଥିବା ଅଭିଯୋଗ କରିଛନ୍ତି ଲାଞ୍ଜିଗଡ଼ ପ୍ରାଥମିକ ଶିକ୍ଷକ ସଂଘ ସଭାପତି ଦେବେନ୍ଦ୍ର ବିଶ୍ୱାଳ ।