ଇଂଜିନିୟରିଂ ପାଇଁ ନାହିଁ ଚାହିଦା : ରାଜ୍ୟରେ ଖାଲି ପଡିଛି ୯୦ ପ୍ରତିଶତ ସିଟ୍

22

କନକ ବ୍ୟୁରୋ : ଓଡିଶାରେ ସରକାରୀ ଓ ବେସରକାରୀ ଇଞ୍ଜିନିୟରି କଲେଜରେ ସିଟ୍ ସଂଖ୍ୟା ହେଉଛି ୪୩ହଜାର । କିନ୍ତୁ ଚଳିତ ବର୍ଷ ଇଂଜିନିୟରିଂ ପାଠ୍ୟକ୍ରମ ପାଇଁ ହୋଇଥିବା ଓଜେଇଇ ପ୍ରବେଶିକା ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ମାତ୍ର ୮ହଜାର ୧୫୨ଜଣ ଛାତ୍ରଛାତ୍ରୀ ବିଭିନ୍ନ କଲେଜରେ ଆଡମିସନ ନେଇଛନ୍ତି । ସବୁଠାରୁ ବେଶୀ ପ୍ରଭାବିତ ହୋିଛନ୍ତି ଘରୋଇ ଇଞ୍ଜିନିୟରି କଲେଜ ।

ଖାଲି ପଡିଛି ପ୍ରାୟ ୯୦ ପ୍ରିତିଶତରୁ ଅଧିକ ସିଟ୍ । ସ୍ଥିତି ଏମିତି ହୋଇଛି ଯେ କିଛି କଲେଜ ମାଲିକ ଶିକ୍ଷାନୁଷ୍ଠାନରେ ତାଲା ଝୁଲାଇବା ପାଇଁ ଚିନ୍ତା କଲେଣି । ଏମିତି ସ୍ଥିତିରେ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା ଓଡିଶା ଘରୋଇ ଇଞ୍ଜିନିୟରିଂ କଲେଜ ମାଲିକ ସଙ୍ଘ । ଆଉ ଏବେ ପୁଣି ଥରେ ପ୍ରବେଶିକା ପରୀକ୍ଷା କରି ନୂଆ ଛାତ୍ରଛାତ୍ରୀଙ୍କ ଆଡମିସନ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ ।

ଅଗଷ୍ଟ ୧୦ ତାରିଖରେ ହେବ ଦ୍ୱିତୀୟ ଓଜେଇଇ ପ୍ରବେଶିକା । ୧୧ ତାରିଖରେ ପ୍ରକାଶ ପାଇବ ଫଳ । ୧୪ ତାରିଖ ସୁଦ୍ଧା ଆରମ୍ଭ ହେବ ଆଡମିସନ ପ୍ରକ୍ରିୟା । କିନ୍ତୁ ସିଟ୍ ପୂରଣ ନେଇ ଏବେ ବି ଆଶଙ୍କାରେ ଘରୋଇ ଇଞ୍ଜିନିୟରିଂ କଲେଜ । ଏଠାରେ ପ୍ରଶ୍ନ ଉଠୁଛି ଇଂଜିନିୟରିଂ ପାଠ୍ୟକ୍ରମ ପ୍ରତି ରାଜ୍ୟରେ ବଢୁଥିବା ବିତୁଷ୍ଣାଭାବ ଲାଗି ଦାୟୀ କିଏ?