ରାଜଧାନୀରେ ମାଳମାଳ ମୋବାଇଲ ଟାୱାର : ହୋର୍ଡିଂ ପାଇଁ ଟିକସ ବାବଦକୁ ନେଉଛନ୍ତି ହଜାର ହଜାର ଟଙ୍କା, ଟାୱାର ପାଇଁ ହାତ ବାନ୍ଧି ବସିଛି ବିଏମସି । 

158

କନକ ବ୍ୟୁରୋ : ରାଜଧାନୀରେ ଯେଉଁଠି ଆଖି ପଡ଼ିବ ସେଠାରେ ମାଳମାଳ ମୋବାଇଲ୍‌ ଟାୱାର। କେଉଁଠି ଖୋଲା ଜାଗାରେ ତ କେଉଁଠି ଛାତ ଉପରେ। ଏମିତି ରାଜଧାନୀରେ ପ୍ରାୟ ୫୯୩ଟି ମୋବାଇଲ୍‌ ଟାୱାର ବସିଛି। ହେଲେ ବିଏମସି ଏଥିରୁ ଯେତିକି ରାଜସ୍ବ ଆଦାୟ କରିବା କଥା କରୁନି। ଫଳରେ ବର୍ଷକୁ କୋଟି କୋଟି ରାଜସ୍ବ ହରାଉଛି। ଏପରିକି ଯେଉଁ ଘରର ଛାତ ଉପରେ ମୋବାଇଲ୍‌ ଟାୱାର ବା ଓଡିଏସସି ବସିଛି, ସେ ଘରଠାରୁ ବିଏମସି ବ୍ୟବସାୟିକ ହିସାବରେ ହୋଲଡିଂ ଟିକସ ଆଦାୟ କରୁନି।

ଟେଲିକମ୍‌ ସଂସ୍ଥାକୁ ବିଏମସି ଅନୁକମ୍ପା ଦେଖାଉଥିବା ବେଳେ ଏବେ ସାଧାରଣ ଲୋକଙ୍କୁ ଶୋଷଣ କରୁଛି। ପାର୍କିଂ ଫି’ ଠାରୁ ଆରମ୍ଭ କରି ୟୁଜର୍ସ ଫି’, ପ୍ଲାନ୍‌ ଅନୁମୋଦନ ବେଳେ ଘର ନିର୍ମାଣ ଖର୍ଚ୍ଚର ୧% ଏକ୍ସଟରନାଲ୍‌ ଇନଫ୍ରାଷ୍ଟ୍ରକଚର୍‌ ଡେଭଲପମେଣ୍ଟ ପ୍ଲାନ୍‌ (ଇଆଇଡିପି) ବାବଦକୁ ଆଦାୟ କରୁଛି। ଯେଉଁଠି ନରମ ପଡ଼ୁଛି ବିଏମସି ସେଠାରେ ପ୍ରହାର କରୁଛି। ହେଲେ ଯେଉଁଠୁ ରାଜସ୍ବ ପାଇବାକୁ ହକ୍‌ଦାର, ସେଠାରେ ଆଣ୍ଠଉଛି।

ମିଳିଥିବା‌ ସୂଚନା ଅନୁଯାୟୀ, ରାଜଧାନୀରେ ମୋବାଇଲ୍‌ ଟାୱାର ବସାଇବା ପାଇଁ ବିଏମସି ପୂର୍ବରୁ ବର୍ଷକୁ ଟାୱାର ସ୍ଥାପନ ପାଇଁ ୧ ଲକ୍ଷ ଟଙ୍କା ନେଉଥିଲା। ଏହାବାଦ୍ ନବୀକରଣ ପାଇଁ ତିନି ବର୍ଷରେ ପ୍ରାୟ ୫ ହଜାର ଟଙ୍କା ଲେଖାଏଁ ନେଉଥିଲା। ଏଥିରୁ ମୋଟା ଅଙ୍କର ରାଜସ୍ବ ପାଉଥିଲା। ଏପରିକି କିଛି ସଂସ୍ଥା ନବୀକରଣ କରୁନଥି‌ଲେ ବି ବିଏମସି ଧରପଗଡ଼ କରୁନଥିଲା। କିନ୍ତୁ ଗତ ୨ବର୍ଷ ହେଲା ଏହା ଏକରକମ ଠପ୍ ହୋଇଯାଇଛି। ମୋବାଇଲ୍‌ ଟାୱାର ବସାଇ‌ଲେ ୧୦ ହଜାର ଟଙ୍କା ବିଏମ୍‌ସି ପାଉଛି। ଆଉ ନବୀକରଣ ଫି’ ଆଦାୟ କରୁନି। ଏ ବାବଦକୁ ବର୍ଷକୁ ପ୍ରାୟ ୩୦ରୁ ୪୦ଲକ୍ଷ ଟଙ୍କା ପାଇବାର ସମ୍ଭାବନା ଥିଲେ ବି ବିଏମ୍‌ସି ଆଦାୟ କରୁନି। ଏପରିକି କିଛି ଟେଲିକମ୍‌ ସଂସ୍ଥା ବିଏମସିର ବିନା ଅନୁମତିରେ ଘର ଉପରେ ଓଡିଏସ୍‌ସି ବସାଉଥିଲେ ବି ବିଏମସି ଟଙ୍କାଟିଏ ବି ଆଦାୟ କରୁନି।

ବିଡ଼ମ୍ବନାର ବିଷୟ, ଯେଉଁ ଲୋକଙ୍କ ଘର ଛାତ ଉପରେ ମୋବାଇଲ୍‌ ଟାୱାର ବସୁଛି, ସେମାନଙ୍କଠାରୁ ବି ବିଏମସି ବ୍ୟବସାୟିକ ହୋଲଡିଂ ଟିକସ ଆଦାୟ କରୁନି। ଲୋକ ଆବାସିକ ‌ହୋଲଡିଂ ଟିକସ ଦେଉଛନ୍ତି, ଟାୱାର ବସାଉଥିବା ସଂସ୍ଥାରୁ ଭଡ଼ା ପାଉଛନ୍ତି। କିନ୍ତୁ ବିଏମସି ଏ କ୍ଷେତ୍ରରେ ଟଙ୍କାଟିଏ ବି ଟିକସ ଆଦାୟ କରୁନି। ଯେତେବେଳେକି ଘର ଉପରେ ଯଦି କିଏ ହୋର୍ଡିଂଟିଏ ଲଗାଉଛି, ତେବେ ବିଏମସି ଘର ମାଲିକଠାରୁ ଟିକସ ନେଉଛି, ହୋର୍ଡିଂ ଲଗାଉଥିବା ସଂସ୍ଥାଠାରୁ ବି ଟିକସ ନେଉଛି। ବିଏମସିର ହୋର୍ଡିଂ ଓ ମୋବାଇଲ ଟାୱାର କ୍ଷେତ୍ରରେ ପାତରଅନ୍ତର ନୀତି ଦର୍ଶାଉଛି ଯେ ବିଏମସି କିପରି ଟେଲିକମ୍ ସଂସ୍ଥାଙ୍କୁ ଅନୁକମ୍ପା ଦେଖାଉଛି।

ଏନେଇ ବିଏମସିର ରାଜସ୍ବ ବିଭାଗର ଜଣେ ଅଧିକାରୀ କହିଛନ୍ତି ଯେ ରାଜ୍ୟ ସରକାର ପ୍ରସ୍ତୁତ କରିଥିବା ଟେଲିକମ୍‌ ନୀତି ଅନୁଯାୟୀ, ଏବେ ମୋବାଇଲ୍‌ ଟାୱାର ପାଇଁ କେବଳ ଥରଟିଏ ୧୦ ହଜାର ଟଙ୍କା ଫି’ ନେଉଛୁ। ନବୀକରଣ ଫି’ ଆଦାୟ ହେଉନି। ବିଏମସିର ରାଜସ୍ବ ବଢ଼ାଇବାକୁ ନଗର ଉନ୍ନୟନ ବିଭାଗ କହୁଛି, ଅଥଚ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ବିଭାଗ ମୋବାଇଲ୍‌ ଟାୱାର ପାଇଁ ଥରଟିଏ ଫି’ ଆଦାୟ କରିବାକୁ ନିୟମ କରିଦେଇଛି। ତେଣୁ ଆମେ ଟିକସ ଆଦାୟ କରିପାରୁନୁ। ଏପରିକି ପୂର୍ବରୁ ଯେଉଁ ସଂସ୍ଥାଗୁଡ଼ିକ ଟାୱାର ନବୀକରଣ ଫି’ ଦେଇନାହାନ୍ତି ସେମାନେ ବି ଏବେ ଦେଉନାହାନ୍ତି।

ସେହିପରି ଯେଉଁ ଘରଗୁଡ଼ିକରେ ମୋବାଇଲ୍‌ ଟାୱାର ବସିଛି ସେହି ଘରୁ ବ୍ୟବସାୟିକ ହୋଲଡିଂ ଟିକସ ଆଦାୟ ହେବା କଥା। କିନ୍ତୁ ୱାର୍ଡ ଅଫିସରମାନେ ଆଦାୟ କରୁନାହାନ୍ତି। ଯଦି ଟାୱାର ବସାଇଥିବା ଲୋକଙ୍କ ଘରୁ ହୋଲଡିଂ ଟିକସ ଆଦାୟ କରାଯାଏ ଏବଂ ଟାୱାର ବସାଇବା ଓ ନବୀକରଣ ଫି’ ବଢ଼ାଯାଏ, ତେବେ ବିଏମସି ବର୍ଷକୁ ପ୍ରାୟ ୨ରୁ ୩କୋଟି ଟଙ୍କା ରାଜସ୍ବ ପାଇବ। ଏନେଇ ବିଏମସି କମିସନର୍‌ ଏବଂ ବିଏମସିର ଡେପୁଟି କମିସନର୍‌ (ରାଜସ୍ବ)ଙ୍କୁ ପଦକ୍ଷେପ ନେବାକୁ ହେବ। ନଚେତ ବିଏମସିର ବ୍ୟବସାୟିକ ଅନୁଷ୍ଠାନ ପ୍ରୀତିରେ ସାଧାରଣ ଲୋକ ଶୋଷଣ ହେଉଥିବେ।