ସମାଲୋଚନା ପରେ ସରକାରଙ୍କ ପଶିଲା ଚେତା ।ନୀତି ଆୟୋଗ ସଦସ୍ୟ କହିଲେ, ଅଗଷ୍ଟରୁ ଡିସେମ୍ବର ମଧ୍ୟରେ ଉତ୍ପାଦନ ହେବ ୨୦୦ କୋଟି ଟିକା, ଆସନ୍ତା ସପ୍ତାହରୁ ମିଳିବ ସ୍ପୁଟନିକ୍ ଭି । 

185

କନକ ବ୍ୟୁରୋ : କରୋନାର ଦ୍ୱିତୀୟ ଲହରରେ ଅନେକ କ୍ଷତି ସହିବା ପରେ ଭାରତ ସରକାର ଟିକା କ୍ଷେତ୍ରରେ ଅନେକ ଗୁଡିଏ ପଦକ୍ଷେପ ନେଇଛନ୍ତି । କେନ୍ଦ୍ର ସରକାରଙ୍କ ପକ୍ଷରୁ ଆଜି ପ୍ରେସମିଟରେ କୁହାଯାଇଛି, ଆସନ୍ତା ଅଗଷ୍ଟରୁ ଡିସେମ୍ବର ମଧ୍ୟରେ ୨ଶହ କୋଟି ଟିକା ଉତ୍ପାଦନ କରାଯିବ । ବିଭିନ୍ନ କମ୍ପାନୀ ସହ ଆଲୋଚନା ପରେ ଏହି ତଥ୍ୟ ଦିଆଯାଉଛି ବୋଲି ନୀତି ଆୟୋଗ ସଦସ୍ୟ ଭି.କେ ପଲ କହିଛନ୍ତି । ଏଥିସହ କୋଭିସିଲଡ ଭାକସିନର ଦ୍ୱିତୀୟ ଡୋଜ ୧୨ରୁ ୧୬ ସପ୍ତାହ ମଧ୍ୟରେ ନିଆଯାଇ ପାରିବ ବୋଲି କହିଛନ୍ତି । ଅର୍ଥାତ୍ ଆଗରୁ ଯେଉଁ ୪ରୁ ୬ ସପ୍ତାହ ମଧ୍ୟରେ ଦ୍ୱିତୀୟ ଡୋଜ୍ ନିହାତି ଦରକାର ବୋଲି କହୁଥିଲେ, ଆଜି ହଠାତ୍ ସରକାର ୧୨ରୁ ୧୬ ସପ୍ତାହକୁ ବଢାଇ ଦେଇଛନ୍ତି ।

 ଆଉ ଏକ ଗୁରୁତ୍ୱପୂର୍ଣ୍ଣ  ସୂଚନା ଦେଇ ସରକାର କହିଛନ୍ତି, ଋଷିଆ ନିର୍ମିତ ସ୍ପୁଟିନି୍କ୍ ଭାକିସନ ଭାରତରେ ପହଂଚି ସାରିଛି । ଆସନ୍ତା ସପ୍ତାହରୁ ଏହାର ଯୋଗାଣ ଆରମ୍ଭ ହୋଇଯିବ । ଏଥିସହ କୋଭାକସିନ୍ ଯଦି ଅନ୍ୟ କୌଣସି କମ୍ପାନୀ ତିଆରି କରିବାକୁ ପ୍ରସ୍ତୁତ ଅଛନ୍ତି ତେବେ ସରକାରଙ୍କ ପକ୍ଷରୁ ଅନୁମତି ଦିଆଯିବ । ଆଉ ଏକ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇ ନୀତି ଆୟୋଗ ସଦସ୍ୟ ଭି.କେ ପଲ କହିଛନ୍ତି, ବିଦେଶରେ ପ୍ରସ୍ତୁତ ହୋଇଥିବା ଟିକାକୁ ମଧ୍ୟ ଭାରତରେ ଅନୁମତି ଦିଆଯିବ । ତେବେ ଏଥିପାଇଁ ଏଫଡିଏ ଅର୍ଥାତ୍ ଫୁଡ ଆଣ୍ଡ ଡ୍ରଗ୍ ଆଡମିନିଷ୍ଟ୍ରେସନ୍ ଏବଂ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅନୁମତି ଥିବା ଆବଶ୍ୟକ ।

ଓଡିଶା ସମେତ ବିଭିନ୍ନ ରାଜ୍ୟ ବିଦେଶରୁ ଟିକା ଆମଦାନୀ ପାଇଁ ଗ୍ଲୋବାଲ ଟେଣ୍ଡର କରିଛନ୍ତି । ଏହି ପଦକ୍ଷେପ ଫଳରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅନୁମତି ମିଳିଥିବା ଟିକା ସେମାନେ ଆମଦାନୀ କରିପାରିବେ । ଆମେରିକା ବର୍ତମାନ ଯାଏଁ ୨୬ କୋଟି ଟିକା ଦେଇଥିବା ବେଳେ ଭାରତ ୧୮ କୋଟି ଟିକା ଦେଇ ତୃତୀୟ ସ୍ଥାନରେ ରହିଛି ବୋଲି କେନ୍ଦ୍ର ସରକାରଙ୍କ ପକ୍ଷରୁ କୁହାଯାଇଛି । ଦେଶର ୩୩୮ଟି ଜିଲ୍ଲାରେ ଦୈନିକ ସଂକ୍ରମଣ ସଂଖ୍ୟା କମୁଛି । କିନ୍ତୁ ୧୨ଟି ରାଜ୍ୟରେ ଏବେ ବି ୧ଲକ୍ଷ ଉପରେ ସକ୍ରିୟ କରୋନା ରୋଗୀ ଅଛନ୍ତି । ପ୍ରେସମିଟରେ ଏକ ପ୍ରଶ୍ନର ଉତର ଦେଇ ନୀତି ଆୟୋଗ ସଦସ୍ୟ ଭି, କେ. ପଲ କହିଛନ୍ତି ଦ୍ୱିତୀୟ ଲହର ଏତେ ଭୟଙ୍କର ହେବ ବୋଲି କେହି ଆକଳନ କରିନଥିଲେ ।