ଦିଲ୍ଲୀ ଅକ୍ତିଆର କଲେ କେଜ୍ରିୱାଲ୍ : ୨୪ ଘଣ୍ଟା ମଧ୍ୟରେ ‘ଆପ୍’ରେ ଯୋଗ ଦେଲେ ୧୦ ଲକ୍ଷରୁ ଉର୍ଦ୍ଧ୍ୱ ବ୍ୟକ୍ତି

451

କନକ ବ୍ୟୁରୋ : ଦିଲ୍ଲୀ ଅକ୍ତିଆର କଲେ କେଜ୍ରିୱାଲ୍ । ଦିଲ୍ଲୀ ବିଧାନସଭା ନିର୍ବାଚନରେ ବିପୁଳ ବିଜୟ ହାସଲ କରିବାର ୨୪ ଘଣ୍ଟା ମଧ୍ୟରେ ‘ଆପ୍‌’ରେ ୧୦ ଲକ୍ଷରୁ ଅଧିକ ବ୍ୟକ୍ତି ଯୋଗ ଦେଇଛନ୍ତି । ଗୁରୁବାର ଦିନ ଟୁଇଟ୍‌ କରି ଏ କଥା ‘ଆପ୍‌’ ତରଫରୁ ଜଣାଇ ଦିଆଯାଇଛି । ୭୦ ଆସନବିଶିଷ୍ଟ ଦିଲ୍ଲୀ ବିଧାନସଭା ନିର୍ବାଚନରେ ଅରବିନ୍ଦ କେଜ୍ରିଓ୍ଵାଲ୍‌ଙ୍କ ନେତୃତ୍ୱାଧୀନ ‘ଆମ୍‌ ଆଦ୍‌ମି ପାଟି’ ୬୨ଟି ଆସନରେ ବିଜୟ ଲାଭ କରିଛି । ଏହା ହେଉଛି ଦିଲ୍ଲୀରେ ‘ଆପ୍‌’ର କ୍ରମାଗତ ତୃତୀୟ ବିଜୟ ।

ଦେଶକୁ ବିକାଶ ପଥରେ ଆଗେଇ ନେବା ଲାଗି ‘ଆପ୍‌’ ଗତ ମଙ୍ଗଳବାର ଠାରୁ ରାଷ୍ଟ୍ର ନିର୍ମାଣ ଅଭିଯାନ ଆରମ୍ଭ କରିଛି । ଏହାର ନାମ ରଖାଯାଇଛି ‘ଆମ୍‌ ଆଦ୍‌ମି ପାର୍ଟିର ରାଷ୍ଟ୍ର ନିର୍ମାଣ’ ଅଭିଯାନ। ଏଥିରେ ଯୋଗ ଦେବାକୁ ଭାରତର ନାଗରିକମାନଙ୍କୁ ଆମନ୍ତ୍ରଣ କରାଯାଇଥିଲା । ୨୦୧୨ରେ ଅରବିନ୍ଦ କେଜ୍ରିଓ୍ଵାଲ୍‌ଙ୍କ ଦ୍ୱାରା ଆରମ୍ଭ ହୋଇଥିଲା ‘ଆମ୍‌ ଆଦ୍‌ମି ପାର୍ଟି’ । ୨୦୧୫ ଦିଲ୍ଲୀ ବିଧାନସଭା ନିର୍ବାଚନ ମାନଚିତ୍ରରୁ ଏହା କଂଗ୍ରେସର ସ୍ଥିତି ଦୁର୍ବଳ କରି ଦେଇଥିଲା । ଏଥର ବିଧାନସଭା ନିର୍ବାଚନରେ ମଧ୍ୟ ‘ଆପ୍‌’ ଦିଲ୍ଲୀରୁ କଂଗ୍ରେସକୁ ବିଲୁପ୍ତ କରି ଦେଇଛି । କେବଳ କଂଗ୍ରେସ ନୁହେଁ, ୨୦୨୦ ଦିଲ୍ଲୀ ବିଧାନସଭା ନିର୍ବାଚନରେ ପ୍ରଧାନମନ୍ତ୍ରୀ ମୋଦୀ ଏବଂ ଅମିତ ଶାହାଙ୍କ ନେତୃତ୍ୱାଧୀନ ବିଜେପିକୁ ମଧ୍ୟ ‘ଆପ୍‌’ର ବିଜୟ ଶକ୍ତ ଧକ୍କା ଦେଇଛି ।

 

‘ଆପ୍‌’ର ଐତିହାସିକ ବିଜୟ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, କଂଗ୍ରେସ ସାଂସଦ ରାହୁଳ ଗାନ୍ଧୀ, ଏନ୍‌ସିପି ଅଧ୍ୟକ୍ଷ ଶରଦ ପାଓ୍ଵାର୍‌, ପଶ୍ଚିମବଙ୍ଗର ମମତା ବାନାର୍ଜୀ, ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ଡିଏମ୍‌କେ ନେତା ଏମ୍‌ କେ ଷ୍ଟାଲିନ୍‌ କେଜ୍ରିଓ୍ଵାଲ୍‌ଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।