ମୁରାଦାବାଦ ଜେଲରୁ ନୂଆ ଆଶାର କିରଣ। ତିଆରି ହେଲା ଦେଶର ପ୍ରଥମ ଶିଶୁ ଉଦ୍ୟାନ।

79

କନକ ବ୍ୟୁରୋ: ଶିଶୁଙ୍କ ପିଲାବେଳ ବଞ୍ଚିରହୁ । ଜେଲର ଚାରିକାନ୍ଥ ଭିତରେ ବି ଜୀବନ ହସଖୁସିରେ ବିତିଯାଉ । ମଜା,ମସ୍ତି କରିବାଠୁ ନେଇ ଖେଳିବା, ଶିଖିବା ବି ଜାରିରହୁ । ଏଭଳି ଲକ୍ଷ୍ୟ ନେଇ ଉତ୍ତରପ୍ରଦେଶର ମୁରାଦାବାଦରେ ଆରମ୍ଭ ହୋଇଛି ଶିଶୁ ଉଦ୍ୟାନ । ମୁରାଦାବାଦର ଜିଲ୍ଲା ଜେଲରେ ଏଭଳି ଉଦ୍ୟାନର ଶୁଭାରମ୍ଭ କରାଯାଇଛି । କାରାଗାର ଭିତରେ ଶିଶୁ ଉଦ୍ୟାନ କରିବାରେ ଏହା ପ୍ରଥମ ଜେଲ । ଦୋଳିରେ ଝୁଲୁଥିବା ଏହିପିଲାମାନେ ଜେଲରେ ସଜା କାଟୁଥିବା ବନ୍ଦୀଙ୍କ ଶିଶୁ । ଜେଲର ମାହୋଲ ଏବଂ ମାଆଙ୍କ ସଜାର ପ୍ରଭାବ ଯେଭଳି ପିଲାମାନଙ୍କ ଉପରେ ପଡିବନାହିଁ ଏହାକୁ ନଜରରେ ରଖି ଜେଲ କର୍ତ୍ତୃପକ୍ଷ ଏଭଳି ଉଦ୍ୟମ କରିଛନ୍ତି । ରାଜ୍ୟ ସରକାରଙ୍କ ମିଳିତସହଯୋଗରେ ଏଭଳି ଉଦ୍ୟମ କରାଯାଉଛିା

ପିଲାଙ୍କ ସ୍ୱାସ୍ଥ୍ୟବସ୍ଥା ସହ ମାନସିକ ବିକାଶ ପାଇଁ ମଧ୍ୟ ବିଭିନ୍ନ ପ୍ରକାରର ଖେଳନା ଏଠାରେ ଉପଲବ୍ଧ କରାଯାଇଛି । ତେବେ କେବଳ ଏତିକିରେ ଏହି ଉଦ୍ୟମ ଶେଷ ହୋଇନାହିଁ । ଜେଲ କର୍ତ୍ତୃପକ୍ଷଙ୍କ କହିବା କଥା ଜେଲକୁ ଆହୁରି ବିକଶିତ କରାଯିବ । ଉତ୍ତରପ୍ରଦେଶ ସରକାରଙ୍କର ଏହି ଉଦ୍ୟମ ରାଜ୍ୟର ଅନ୍ୟ ଜେଲରେ ମଧ୍ୟ କରିବାକୁ ଯୋଜନା ପ୍ରସ୍ତୁତ କରାଯାଇଛି । ଅନ୍ୟ ଜେଲରେ ମଧ୍ୟ ଶୀଘ୍ର ଶିଶୁ ଉଦ୍ୟାନ କରିବା ନେଇ ପ୍ରକ୍ରିୟା ଜାରି ରହିଛି । ଜେଲର ଚାରିକାନ୍ଥ ଭିତରେ ଜୀବନ ବିତାଇବାକୁ ବାଧ୍ୟ ଏହି ଶିଶୁମାନଙ୍କ ପାଇଁ ଏହା ଗୋଟିଏ ସୁନ୍ଦର ପ୍ରୟାସ । ଜେଲର ଜୀବନ ଭିତରୁ ଆଶାର ଆଉ ଗୋଟିଏ ସୂର୍ଯ୍ୟ ଉଦୟ ହେବା ସହ ଦେଶର ଉନ୍ନତିରେ ଏମାନେ ସହାୟକ ହେବେ । କେବଳ ଏହାହିଁ ଏମାନଙ୍କ ପାଖରୁ ଆଶା ରହିଛି ।