ଲୋକସଭା ନିର୍ବାଚନ ପୂର୍ବରୁ ଜନତାଙ୍କ ମୁଡ ପରଖିଲା ଇଣ୍ଡିଆ ଟୁଡେ ସି-ଭୋଟର : ଆଜି ଭୋଟ ହେଲେ କେଉଁ ଦଳର ପଲଡା ଭାରି ରହିବ ? ସରକାର କିଏ ଗଢିବ ? ଆସିଲା ଜନମତ

2,028

କନକ ବ୍ୟୁରୋ : ୨୦୨୪ ଲୋକସଭା ନିର୍ବାଚନକୁ ପାଖାପାଖି ବର୍ଷ ସମୟ ରହିଛି । ସବୁ ରାଜନୈତିକ ଦଳ ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ କରିସାରିଛନ୍ତି । ଜାତୀୟ ଦଳ ବିଜେପି, କଂଗ୍ରେସ ଓ ଆଞ୍ଚଳିକ ଦଳ ଏବେ ମିଶନ ମୋଡରେ ନିର୍ବାଚନ ପାଇଁ ପ୍ରସ୍ତୁତି ଚଳାଇଛନ୍ତି । ଦେଶରେ ମଧ୍ୟ ଲୋକସଭା ନିର୍ବାଚନକୁ ନେଇ ଚର୍ଚ୍ଚା ଆରମ୍ଭ ହେଲାଣି । ଏପରି ସମୟରେ ଦେଶରେ ଯଦି ନିର୍ବାଚନ ହୁଏ କେଉଁ ଦଳର ପଲଡା ଭାରି ରହିବ ? ସରକାର କିଏ ଗଢିବ ? ଏନେଇ ଇଣ୍ଡିଆ ଟୁଡେ ସିଭୋଟର ସହ ମିଶି ସାରା ଦେଶରେ ମୁଡ ଅଫ ନେସନ ନାଁରେ ଏକ ସର୍ଭେ କରିଛି ।

ଜାନୁୟାରୀ ୨୦୨୩ରେ କରାଯାଇଥିବା ଏହି ସର୍ଭେରେ ୧ ଲକ୍ଷ ୪୦ ହଜାର ଲୋକଙ୍କ ମତାମତ ନେଇ ରିପୋର୍ଟ ପ୍ରସ୍ତୁତ କରାଯାଇଛି । ସି-ଭୋଟର ସର୍ଭେ ଅନୁଯାୟୀ ସର୍ଭେ ରିପୋର୍ଟ ଅନୁସାରେ ଆଜି ଯଦି ନିର୍ବାଚନ ହୁଏ ତେବେ ଏନଡିଏ ପୁଣି ସରକାର ଗଠନ କରିବ ଅର୍ଥାତ ବିଜେପି ପୁଣି କ୍ଷମତାକୁ ଫେରିବ । ସେହିପରି ୨୦୧୯ ଅପେକ୍ଷା ୟୁପିଏ ଟିକିଏ ଭଲ କରିବ ବୋଲି ସଙ୍କେତ ମିଳିଛି ।

ଦେଶରେ ଏବେ ନିର୍ବାଚନ ହେଲେ କେଉଁ ରାଜ୍ୟରେ ବିଜେପି ନେତୃତ୍ୱାଧିନ ଏନଡିଏ ଓ କେଉଁ ରାଜ୍ୟରେ କଂଗ୍ରେସ ନେତୃତ୍ୱରେ ଥିବା ୟୁପିଏ ମେଂଟକୁ ଫାଇଦା ମିଳିବ । ଇଣ୍ଡିଆ ଟୁଡେ ସି-ଭୋଟରର ମୁଡ ଅଫ ନେସନ ସର୍ଭେରେ ପୁଣି ଏନଡିଏ ସରକାର ଫେରିବା ସଙ୍କେତ ଦେଇଛନ୍ତି ଜନତା । ଦେଶରେ ଏବେ ନିର୍ବାଚନ ହେଲେ କେଉଁ ଦଳ କେତେ ଆସନ ପାଇବ ତାଉପରେ ଜନତାଙ୍କ ମତ ନିଆଯାଇଥିଲା । ଆଉ ଇଣ୍ଡିଆଟୁଡେ- ସିଭୋଟର ସର୍ଭେ ରିପୋର୍ଟ ଅନୁସାରେ ଏନଡିଏକୁ ୨୯୮ ଆସନ, ୟୁପିଏକୁ ୧୫୩ ଆସନ ଓ ଅନ୍ୟଦଳକୁ ୯୨ ଆସନ ମିଳିବ ।

ସେହିପରି ୨୦୨୩ରେ ନିର୍ବାଚନ ହେଲେ କେଉଁ ଦଳ କେତେ ପ୍ରତିଶତ ଭୋଟ ପାଇବ । ଏନଡିଏକୁ ୪୩ ପ୍ରତିଶତ ଭୋଟ ମିଳିବ, ସେହିପରି ୟୁପିଏକୁ ୨୯ ପ୍ରତିଶତ ଓ ଅନ୍ୟ ଦଳକୁ ୨୮ ପ୍ରତିଶତ ଭୋଟ ମିଳିବା ସମ୍ଭାବନା ରହିଛି । ଅନ୍ୟପଟେ ଆଜି ଭୋଟ ହେଲେ କାହାକୁ କେତେ ଆସନ ମିଳିବ ପ୍ରଶ୍ନରେ ଲୋକଙ୍କ ମତ ଅନୁସାରେ, ବିଜେପିିକୁ ୨୮୪ ଆସନ, କଂଗ୍ରେସକୁ ୬୮ ଆସନ ଓ ଅନ୍ୟଦଳକୁ ୧୯୧ ଆସନ ମିଳିବା ସମ୍ଭାବନା ରହିଛି । ସେହିପରି ଆଜି ଭୋଟ ହେଲେ ବିଜେପିକୁ ୩୯ ପ୍ରତିଶତ ଭୋଟ, କଂଗ୍ରେସକୁ ୨୨ ପ୍ରତିଶତ ଓ ଅନ୍ୟ ଦଳକୁ ୩୯ ପ୍ରତିଶତ ଭୋଟ ସେୟାର ମିଳିବା ଆକଳନ କରିଛି ଇଣ୍ଡିଆଟୁଡେ-ସିଭୋଟର ।

ଆଗାମୀ ଲୋକସଭା ନିର୍ବାଚନରେ କେଉଁ ରାଜ୍ୟରେ ବିଜେପି ନେତୃତ୍ୱାଧିନ ଏନଡିଏ ଏବଂ କଂଗ୍ରେସ ନେତୃତ୍ୱରେ ଥିବା ୟୁପିଏକୁ ଫାଇଦା ମିଳିବ । ଏନେଇ ଇଣ୍ଡିଆ ଟୁଡେ- ସି- ଭୋଟର ସର୍ଭେ ରିପୋର୍ଟ ଅନୁସାରେ ଏନଡିଏକୁ ଆସାମ, ତେଲେଙ୍ଗାନା, ଉତରପ୍ରଦେଶ ଓ ପଶ୍ଚିମବଙ୍ଗରେ ଫାଇଦା ମିଳିବ । ସେହିପରି ୟୁପିଏକୁ କର୍ଣ୍ଣାଟକ, ମହାରାଷ୍ଟ୍ର, ବିହାରରେ ଅଧିକ ଆସନ ମିଳିବ ବୋଲି ସର୍ଭେ ରିପୋର୍ଟରେ ପ୍ରକାଶ ପାଇଛି ।

୨୦୨୩ ନିର୍ବାଚନରେ ଏନଡିଏକୁ କେଉଁ ରାଜ୍ୟରେ ମିଳିବ ଫାଇଦା ?

ଆସାମ- ୧୨ ଆସନ ( ୨୦୧୯ରେ ମିଳିଥିଲା ୯ ଆସନ )
ତେଲେଙ୍ଗାନା – ୬ ଆସନ – ( ୨୦୧୯ରେ ମିଳିଥିଲା ୪ ଆସନ)
ପଶ୍ଚିମବଙ୍ଗ – ୨୦ ଆସନ – ( ୨୦୧୯ରେ ମିଳିଥିଲା ୧୮ ଆସନ)
ଉତରପ୍ରଦେଶ- ୭୦ ଆସନ – ( ୨୦୧୯ରେ ମିଳିଥିଲା ୬୪ ଆସନ)

୨୦୨୩ ନିର୍ବାଚନରେ ୟୁପିଏକୁ କେଉଁ ରାଜ୍ୟରେ ମିଳିବ ଫାଇଦା ?

କର୍ଣ୍ଣାଟକ – ୧୭ ଆସନ ( ୨୦୧୯ରେ ମିଳିଥିଲା ୨ଟି ଆସନ)
ମହାରାଷ୍ଟ୍ର -୩୪ ଆସନ ( ୨୦୧୯ରେ ମିଳିଥିଲା ୬ ଟି ଆସନ)
ବିହାର – ୨୫ ଆସନ ( ୨୦୧୯ରେ ମିଳିଥିଲା ୧ ଆସନ)