ଚାଷୀଙ୍କ ହାରାହାରି ମାସିକ ଆୟ କେତେ ? ସଂସଦରୁ ଉତ୍ତର ମିଳିଲା, ପୂରା ଦେଶ ଚାଷୀଙ୍କ ଆୟ ବାବଦରେ ଜାଣିଲା ।

275

କନକ ବ୍ୟୁରୋ : ଦେଶରେ ଚାଷୀଙ୍କ ମାସିକ ହାରାହାରି ଆୟ କେତେ? କଂଗ୍ରେସ ସାଂସଦ ସପ୍ତଗିରି ଉଲ୍ଲାକା ସଂସଦରେ ଏ ବାବଦରେ ପ୍ରଶ୍ନ ପଚାରିଥିବା ବେଳେ ଏହାର ଉତ୍ତର ରଖିଛନ୍ତି ସରକାର । ଦେଶର ପ୍ରତିଟି ରାଜ୍ୟର ଚାଷୀଙ୍କ ହାରାହାରି ମାସିକ ଆୟ କେତେ ତାହା ସ୍ପଷ୍ଟ କରିଛନ୍ତି ସରକାର । କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର ଲୋକସଭାରେ ଏନେଇ ଉତ୍ତର ରଖିଛନ୍ତି । କେନ୍ଦ୍ରମନ୍ତ୍ରୀଙ୍କ ଏହି ଉତ୍ତର ଓଡ଼ିଶା ପାଇଁ ନିରାଶଜନକ ଖବର ଆଣିଛି । କାରଣ ଦେଶର ଅନ୍ୟ ଚାଷୀୟ ମାସିକ ଆୟ ଅପେକ୍ଷା ଓଡ଼ିଶା ଚାଷୀଙ୍କ ମାସିକ ହାରାହାରି ଆୟ ଯଥେଷ୍ଟ କମ ରହିଛି ।

ଚାଷୀଙ୍କ ମାସିକ ହାରାହାରି ଆୟ ତାଲିକାରେ ଯଥେଷ୍ଟ ପଛରେ ଓଡ଼ିଶା । ରାଜ୍ୟରେ ଚାଷୀଙ୍କ ମାସିକ ହାରାହାରି ଆୟ ୫୧୧୨ ଟଙ୍କା ଥିବା କହିଛନ୍ତି କେନ୍ଦ୍ରମନ୍ତ୍ରୀ । କେବଳ ଝାଡଖଣ୍ଡ ଚାଷୀଙ୍କ ମାସିକ ହାରାହାରି ଆୟ ଓଡ଼ିଶା ଚାଷୀଙ୍କ ତୁଳନାରେ କମ ଥିବା ବେଳେ ଅନ୍ୟ ରାଜ୍ୟର ଚାଷୀଙ୍କ ମାସିକ ହାରାହାରି ଆୟ ଅଧିକ ରହିଛି । ଝାଡଖଣ୍ଡ ଚାଷୀଙ୍କ ମାସିକ ହାରାହାରି ଆୟ ୪୮୯୫ ଟଙ୍କା ରହିଛି । ତେବେ ଏହି ତାଲିକାର ଶୀର୍ଷରେ ରହିଛି ମେଘାଳୟ । ଏଠାରେ ଚାଷୀଙ୍କ ମାସିକ ହାରାହାରି ଆୟ ୨୯,୩୪୮ ଟଙ୍କା ରହିଛି । ମେଘାଳୟ ପଛକୁ ପଞ୍ଜାବ ରହିଛି । ଏଠାରେ ଚାଷୀଙ୍କ ମାସିକ ହାରାହାରି ଆୟ ୨୬,୭୦୧ ଟଙ୍କା ରହିଛି । ସେହିଭଳି ହରିୟାଣାରେ ଚାଷୀଙ୍କ ମାସିକ ହାରାହାରି ଆୟ ୨୨,୮୪୧ ଟଙ୍କା ରହିଛି ।

ଗୋଟିଏ ପଟେ ସରକାର ଚାଷୀଙ୍କ ଆୟ ଦ୍ୱିଗୁଣିତ କରିବାକୁ ବାରମ୍ବାର ପ୍ରତିଶ୍ରୁତି ଦେଉଛନ୍ତି । କିନ୍ତୁ ବାସ୍ତବ ଚିତ୍ର କିଛି ଭିନ୍ନ ରହୁଛି । କେତେବେଳେ ଚାଷୀ ଅଭାବୀ ବିକ୍ରିର ସାମ୍ନା କରୁଛି ତ ପୁଣି କେତେବେଳେ ପ୍ରାକୃତିକ ବିପର୍ଯ୍ୟୟ ଫଳରେ ପୁରା ବର୍ଷ ତମାମର ପରିଶ୍ରମ ବୃଥା ଯାଉଛି । ଯାହାଫଳରେ ଚାଷୀଙ୍କ ଜୀବନ ଦୁଃର୍ବିସହ ହୋଇ ପଡୁଛି । ସରକାରୀ ସହାୟତା ମଧ୍ୟ ଠିକ୍ ସମୟରେ ପହଞ୍ଚି ପାରୁନଥିବାରୁ ଚାଷୀ ମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।