କନକ ବ୍ୟୁରୋ : ୨୦୧୮ ପରେ ଦେଶରେ ସମସ୍ତ ହାଇକୋର୍ଟରେ ନିଯୁକ୍ତ ହୋଇଥିବା ବିଚାରପତିଙ୍କ ମଧ୍ୟରୁ ୭୫ ପ୍ରତିଶତ ବିଚାରପତି ସାଧାରଣ ବର୍ଗର । କେନ୍ଦ୍ରୀୟ ଆଇନ ମନ୍ତ୍ରୀ ଏକ ପ୍ରଶ୍ନର ଉତ୍ତର ଦେଇ ଏହା କହିଛନ୍ତି । ମୌସୁମୀ ଅଧିବେଶନର ଦ୍ୱିତୀୟ ଦିନରେ ଏଆଇଏମଆଇଏମର ନେତା ଅସଦୁଦ୍ଦିନ ଓୱେସୀ ସରକାରଙ୍କୁ ବିଚାରପତି ନିଯୁକ୍ତିକୁ ନେଇ ପ୍ରଶ୍ନ ପଚାରିଥିଲେ । ଉତ୍ତର ପାଇବା ପରେ ଓୱେସୀ ଏନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛନ୍ତି ।

Advertisment

ଓୱେସୀ ତାଙ୍କ ଟ୍ୱିଟରରେ ଲେଖିଛନ୍ତି କି, ମୋ ପ୍ରଶ୍ନର ଉତ୍ତର ଦେବାକୁ ଯାଇ ସରକାର ଖୁଲାସା କରିଛନ୍ତି ୨୦୧୮ ରୁ ୨୦୨୩ ଜୁଲାଇ ୧୭ ତାରିଖ ମଧ୍ୟରେ ହାଇକୋର୍ଟରେ ୬୦୪ ଜଣ ବିଚାରପତିଙ୍କୁ ନିଯୁକ୍ତି ଦିଆଯାଇଛି । ସେମାନଙ୍କ ମଧ୍ୟରୁ ୪୫୮ ଜଣ ବିଚାରପତି ସାଧାରଣ ବର୍ଗର । ଯାହାକି ଏହି ଅବଧି ମଧ୍ୟରେ ନିଯୁକ୍ତ ହୋଇଥିବା ବିଚାରପତିଙ୍କ ମଧ୍ୟରୁ ୭୫ ପ୍ରତିଶତ ।

ସଂସଦରେ ଓୱେସୀ ଆଇନ ମନ୍ତ୍ରୀଙ୍କୁ ପଚାରିଥିଲେ କି, ଏହା କଣ ସତ ଯେ ଗତ ୫ ବର୍ଷରେ ଦେଶର ସମସ୍ତ ହାଇକୋର୍ଟରେ ନିଯୁକ୍ତି ପାଇଥିବା ମୋଟ ବିଚାରପତିଙ୍କ ମଧ୍ୟରୁ ୭୯ ପ୍ରତିଶତ ବିଚାରପତି ଉଚ୍ଚବର୍ଗର ? ଯାହାକି ନ୍ୟାୟପାଳିକାରେ ପଛୁଆ ଓ ଅଳ୍ପସଂଖ୍ୟକଙ୍କ ସହ ହେଉଥିବା ଅସମାନ ପ୍ରତିନିଧିତ୍ୱକୁ ଦର୍ଶାଉଛି ।

ଓୱେସୀଙ୍କ ପ୍ରଶ୍ନର ଉତ୍ତର ଦେଇ କେନ୍ଦ୍ର ଆଇନ ମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ କହିଛନ୍ତି କି, ୨୦୧୮ ରୁ ଏପର୍ଯ୍ୟନ୍ତ ନିଯୁକ୍ତ ହୋଇଥିବା ୬୦୪ ଜଣ ବିଚାରପତିଙ୍କ ମଧ୍ୟରୁ ୪୫୮ ଜଣ ସାଧାରଣ ବର୍ଗର । ଆଇନ ମନ୍ତ୍ରୀ ପ୍ରତିଶତକୁ ନେଇ କିଛି କହିନଥିବା ବେଳେ ତାଙ୍କ ଉତ୍ତର ଅନୁସାରେ ଏହା ୭୫ ପ୍ରତିଶତ ।

ଓୱେସୀଙ୍କ ଅଭିଯୋଗ ଉପରେ ଆଇନ ମନ୍ତ୍ରୀ କହିଛନ୍ତି କି, ଦେଶରେ ସୁପ୍ରିମକୋର୍ଟ ଓ ହାଇକୋର୍ଟରେ ବିଚାରପତି ନିଯୁକ୍ତି ଭାରତ ସମ୍ବିଧାନର ଅନୁଚ୍ଛେଦ ୧୨୪,୨୧୭ ଓ ୨୨୪ କ୍ରମରେ ହୋଇଥାଏ । ଏହି ନିଯୁକ୍ତିରେ କୌଣସି ପ୍ରକାର ସଂରକ୍ଷଣର ବ୍ୟବସ୍ଥା ନାହିଁ । ଏହାସହ ୨୦୧୮ ପରେ ହାଇକୋର୍ଟରେ ନିଯୁକ୍ତ ହୋଇଥିବା ବିଚାରପତିଙ୍କ ମଧ୍ୟରେ ୧୮ ଜଣ ବିଚାରପତି ଅନୁସୂଚିତ ଜାତିର, ୯ଜଣ ବିଚାରପତି ଅନୁସୂଚିତ ଜନଜାତି, ୭୨ ଜଣ ବିଚାରପତି ଅନ୍ୟ ପଛୁଆ ବର୍ଗର ଓ ୩୪ ଜଣ ବିଚାରପତି ଅଳ୍ପସଂଖ୍ୟକ ବର୍ଗର । ଏହାସହ ୧୩ ଜଣ ବିଚାରପତିଙ୍କ ବାବଦରେ ତାଙ୍କ ନିକଟରେ ତଥ୍ୟ ଉପଲବ୍ଧ ନଥିବା କଥା ସେ କହିଥିଲେ ।