ଆସନ୍ତା ୪ ଦିନ ରାଜ୍ୟରେ କାଳବୈଶାଖୀ ବର୍ଷା : ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି

863

କନକ ବ୍ୟୁରୋ : ଦକ୍ଷିଣ-ପଶ୍ଚିମ ପବନ ଧୀରେଧୀରେ ସକ୍ରିୟ ଓ ଶକ୍ତିଶାଳୀ ହେବାରେ ଲାଗିଛି। ଏହା ଜୁନ୍‌ ୧ ତାରିଖ ଆଡ଼କୁ ଅଧିକ ଶକ୍ତିଶାଳୀ ହେବ। ଫଳରେ କେରଳରେ ବର୍ଷା ଆରମ୍ଭ ହୋଇଯିବ । ଜୁନ୍‌ ୩ ଆଡ଼କୁ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ କେରଳ ଛୁଇଁବ ବୋଲି ଭାରତୀୟ ପାଣିପାଗ ବିଜ୍ଞାନ କେନ୍ଦ୍ର (ଆଇଏମ୍‌ଡି) ପକ୍ଷରୁ କୁହାଯାଇଛି । ପୂର୍ବରୁ ଆଇଏମ୍‌ଡିର ଆକଳନ ଅନୁଯାୟୀ ମେ’ ୩୧ ତାରିଖ କିମ୍ବା ଏହାର ୪ ଦିନ ଏପଟ ସେପଟରେ ମୌସୁମୀ କେରଳ ଛୁଇଁବା ନେଇ ବୁଲେଟିନ୍‌ ଜାରି କରାଯାଇଥିଲା । ଏବେ ଧୀରେଧୀରେ ଦକ୍ଷିଣ-ପଶ୍ଚିମ ବାୟୁ ପ୍ରବାହ ଆରମ୍ଭ ହୋଇଥିବାରୁ ଜୁନ୍‌ ୩ ତାରିଖରେ ମୌସୁମୀ କେରଳ ଛୁଇଁବା ନେଇ ଆଇଏମ୍‌ଡି ସ୍ପଷ୍ଟ କରିଛି । ଏହାର ୧୦ରୁ ୧୨ ଦିନ ମଧ୍ୟରେ ଅର୍ଥାତ ରଜ ଆଡ଼କୁ ରାଜ୍ୟରେ ମୌସୁମୀ ବର୍ଷା ଆରମ୍ଭ ହୋଇଯିବ ବୋଲି ପୂର୍ବାନୁମାନ କରାଯାଇଛି ।

ଏବେ ରାଜ୍ୟରେ ତାପମାତ୍ରା ବେଶ୍‌ ଅଧିକା ରହୁଥିବା ବେଳେ ଅପରାହ୍ନ ଆଡ଼କୁ କିଛି କିଛି ସ୍ଥାନରେ ବିଜୁଳି, ଘଡ଼ଘଡ଼ି ସହ କାଳବୈଶାଖୀ ହେଉଥିବା ବି ଦେଖିବାକୁ ମିଳୁଛି । ଆସନ୍ତା ୪ ଦିନ ପର୍ଯ୍ୟନ୍ତ ମଧ୍ୟ ରାଜ୍ୟରେ ଏହିଭଳି କାଳବୈଶାଖୀ ଜାରି ରହିବ । ଆସନ୍ତାକାଲି ଅପରାହ୍ନ ଆଡ଼କୁ ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ରାୟଗଡ଼ା, ଗଜପତି, ଗଞ୍ଜାମ, ନୂଆପଡ଼ା, ବଲାଙ୍ଗୀର, କଳାହାଣ୍ଡି, କନ୍ଧମାଳ, ଯାଜପୁର, ବାଲେଶ୍ବର ଓ ଭଦ୍ରକ ଆଦି ଜିଲ୍ଲାରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ହେବ । ଜୁନ୍‌ ୧ ତାରିଖ ଆଡ଼କୁ ସୋନପୁର, ବୌଦ୍ଧ, ନୂଆପଡ଼ା, ବଲାଙ୍ଗୀର, କଳାହାଣ୍ଡି, କନ୍ଧମାଳ, ନବରଙ୍ଗପୁର, ରାୟଗଡ଼ା, କୋରାପୁଟ, ମାଲକାନଗିରି, ଗଜପତି, ଗଞ୍ଜାମ, ନୟାଗଡ଼, କଟକ, ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ ଓ ବାଲେଶ୍ବର ଆଦି ଜିଲ୍ଲାରେ କାଳବୈଶାଖୀ ବର୍ଷା ହେବ। ସେହିଭଳି ୨ ଓ ୩ ତାରିଖ ଦିନ ମଧ୍ୟ ବିଭିନ୍ନ ଜିଲ୍ଲାରେ କାଳବୈଶାଖୀ ସମ୍ଭାବନା ନେଇ ୟେଲୋ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର।