ଏକ ସପ୍ତାହ ବିଳମ୍ବରେ କେରଳ ଛୁଇଁଲା ମୌସୁମୀ : ରଜ ପରେ ଓଡ଼ିଶା ଆସିବା ସମ୍ଭାବନା

108

କନକ ବ୍ୟୁରୋ : ପ୍ରାୟ ଏକ ସପ୍ତାହ ବିଳମ୍ବରେ ମୌସୁମୀ କେରଳରେ ପହଞ୍ଚିଛି । ଏହାର ପ୍ରଭାବରେ କେରଳର ତଟବର୍ତ୍ତୀ ଅଂଚଳରେ ପ୍ରବଳ ବର୍ଷା ଆରମ୍ଭ ହୋଇଯାଇଛି । ଆଗାମୀ ୨-୩ ଦିନ ପର୍ଯ୍ୟନ୍ତ ବର୍ଷା ଲାଗି ରହିବ ବୋଲି ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର ପ୍ରକାଶ କରିଛନ୍ତି । ତେବେ ରଜ ପରେ ଅର୍ଥାତ୍ ୧୬ ତାରିଖ ବେଳକୁ ଓଡ଼ିଶା ଆସିପାରେ ‌ବୋଲି ଅନୁମାନ କରାଯାଉଛି।

ଓଡ଼ିଶାରେ ସାଧାରଣତଃ ଜୁନ୍‌ ୧୦ ତାରିଖରେ ମୌସୁମୀ ଆଗମନ କରିଥାଏ । ରଜ ପର୍ବ ପାଳନ ଚାଲିଥିବା ବେଳେ ଅଧିକାଂଶ ବର୍ଷରେ ମୌସୁମୀ ପଦାର୍ପଣ କରିବାର ନଜିର ରହିଛି । ଏଥିପାଇଁ ମୌସୁମୀକୁ ଅପେକ୍ଷା କରେ ଚାଷୀ । କିନ୍ତୁ ଏଥର ବ୍ୟତିକ୍ରମ ଦେଖିବାକୁ ମିଳିଛି । ସାତ ଦିନ ବିଳମ୍ବରେ କେରଳରେ ପ୍ରବେଶ କରିଛି ମୌସୁମୀ । ଏଣୁ, ସ୍ବାଭାବିକ ଭାବେ ଓଡ଼ିଶାରେ ବିଳମ୍ବିତ ହେବ ମୌସୁମୀ । ପାଗ ଅନୁକୂଳ ଥିଲେ, ରଜ ପୂର୍ବରୁ ନୁହେଁ, ବରଂ ରଜ ପରେ ଅର୍ଥାତ୍‌ ୧୬ ତାରିଖ ବେଳକୁ ଆସିବ ମୌସୁମୀ । ଏଭଳି ପୂର୍ବାନୁମାନ କରିଛନ୍ତି ପାଣିପାଗ ବିଜ୍ଞାନ କେନ୍ଦ୍ର ଓ ପାଣିପାଗବିତ୍‌ ।

ଏ ସଂପର୍କରେ ସୂଚନା ଦେଇ ଭାରତୀୟ ପାଣିପାଗ ବିଜ୍ଞାନ କେନ୍ଦ୍ର, ଭୁବନେଶ୍ବରର ଉପ ନିର୍ଦେଶକ କହିଛନ୍ତି  ଓଡ଼ିଶାରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଜୁନ୍‌ ୧୦ରେ ପ୍ରବେଶ କରିବା କଥା । କିନ୍ତୁ ଏଥର ପ୍ରାୟ ୯ ଦିନ ବିଳମ୍ବରେ ଆସିବ ବୋଲି ପୂର୍ବାନୁମାନ କରାଯାଉଛି । ଅନୁକୂଳ ପାଗ ଥିଲେ ୭/୮ ଦିନରେ ଏହା ପ୍ରବେଶ କରିପାରେ । କିନ୍ତୁ ବର୍ତମାନ ପାଗ ଅନୁକୂଳ ନାହିଁ । ଗତ ୨/୩ ଦିନ ଧରି ଯେଉଁ ବର୍ଷା ହେଉଛି, ତାହା ପ୍ରାକ୍‌ ମୌସୁମୀ ନୁହେଁ । ବରଂ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିଝଡ଼ ପ୍ରଭାବରେ ହେଉଛି । ସେହି ଘୂର୍ଣ୍ଣିଝଡ଼ ଓଡ଼ିଶା ଆଡ଼କୁ ଆସିବା ପରିବର୍ତେ ବାଂଲାଦେଶ ଆଡ଼କୁ ଚାଲିଯାଇଥିବା ସେ କହିଛନ୍ତିି । ସେହିପରି ଆଗାମୀ ୪୮ ଘଣ୍ଟା ମଧ୍ୟରେ ଅନ୍ୟ ଏକ ଲଘୁଚାପ ଆରବ ମହାସାଗରରେ ସୃଷ୍ଟି ହେବ । ଏହା ଘନୀଭୂତ ହେଲେ ବି ଏହା ମୌସୁମୀ ବାୟୁୁ ପ୍ରବାହକୁ ତ୍ବରାନ୍ବିତ କରିବା ସମ୍ଭାବନା କମ୍‌ ।

ପାଣିପାଗବିତ୍‌ ଡ. ଶରତ କୁମାର ସାହୁ କହିଛନ୍ତିି ଯେ ଦିନକ ପରେ ଗରମ ଫେରିବ । ୧୦ରୁ ୧୪ ତାରିଖ ପର୍ଯ୍ୟନ୍ତ ତାପମାତ୍ରା ପୁଣି ବଢ଼ିବ । ଆସନ୍ତାକାଲି ଆରବ ମହାସାଗରରେ ଲଘୁଚାପ ସୃଷ୍ଟି ହେବ । ଏହାର ପ୍ରଭାବରେ ମୌସୁମୀ ବାୟୁ ଉତ୍ତର ପୂର୍ବ ରାଜ୍ୟଗୁଡ଼ିକୁ ମୁହାଁଇବାରେ ପ୍ରତିବନ୍ଧକ ସୃଷ୍ଟି ହୋଇପାରେ । ବରଂ ମୌସୁମୀ ବାୟୁକୁ ଏହା ଆନ୍ଧ୍ର ପ୍ରଦେଶ, ଓଡ଼ିଶା ଆଡ଼କୁ ଠେଲିବାରେ ଅନୁକୂଳ ପାଗ ସୃଷ୍ଟି କରିବ । ୧୬/୧୭ ତାରିଖ ଆଡ଼କୁ ମୌସୁମୀ ପ୍ରଥମେ ଦକ୍ଷିଣ ଓଡ଼ିଶା ଓ ୨୧ ତାରିଖ ବେଳକୁ ସାରା ଓଡ଼ିଶାରେ ଛାଇଯିବ । ସେ କହିବାନୁଯାୟୀ ରଜ ପରେ ହିଁ ଆସିବ ମୌସୁମୀ । ପାଣିପାଗ କେନ୍ଦ୍ର ସୂଚନାନୁସାରେ ତାପମାତ୍ରା ବଢ଼ୁଥିବା ସାଙ୍ଗକୁ ବାୟୁମଣ୍ଡଳରେ ଆଦ୍ରତା ଅଧିକ ରହୁଛି । ଏହା ପ୍ରଭାବରେ ସ୍ଥାନେ ସ୍ଥାନେ ବିଜୁଳି, ବଜ୍ରପାତ, ସ୍ବଳ୍ପରୁ ମଧ୍ୟମ ଧରଣର ବର୍ଷା ହେବ ।