ବିଳମ୍ବରେ ଆସି ଓଡିଶାରୁ ସଅଳ ଉଭାନ ହୋଇଛି ମୌସୁମୀ ! କାଁ ଭାଁ ବର୍ଷାକୁ ଛାଡିଦେଲେ ରାଜ୍ୟରେ ପାଗ ଶୁଖିଲା

ପାଣିପାଗ କେନ୍ଦ୍ରର ଆକଳନ, ୫ ଦିନ ପରେ ଫେରିପାରେ ମୌସୁମୀ

211

କନକ ବ୍ୟୁରୋ: ସପ୍ତାହେ ବିଳମ୍ବରେ ଆସିଲା ମୌସୁମୀ, ମାତ୍ର ଦିନକ ପରେ ହୋଇଗଲା ଗାଏବ । ୧୨ ବର୍ଷର ରେକର୍ଡ ଭାଙ୍ଗି ଜୁନ୍ ୨୧ ତାରିଖରେ ଓଡ଼ିଶାର ମାଟି ଛୁଇଁଥିଲା ମୌସୁମୀ । ପ୍ରାୟ ୨୧ ଜିଲ୍ଲାରେ ସେଦିନ ଝିପି ଝିପି ବର୍ଷା ଆରମ୍ଭ ହୋଇଥିଲା । ପାଣିପାଗ ବିଭାଗ ମଧ୍ୟ ଆକଳନ କରିଥିଲା ଏଥର ସ୍ୱାଭାବିକ ବର୍ଷା ହେବ । କିନ୍ତୁ ବର୍ତମାନ ସଂପୂର୍ଣ୍ଣ ଓଲଟା ପାଣିପାଗ ଦେଖିବାକୁ ମିଳୁଛି । ମୌସୁମୀ ଛୁଇଁବାର ମାତ୍ର ୨୪ ଘଂଟା ପରେ ଓଡ଼ିଶାର ଅଧିକାଂଶ ଅଂଚଳରେ ଉଭାନ ହୋଇଯାଇଛି ବର୍ଷା । ସତେ ଯେମିତି ଓଡିଶାରୁ ଗାଏବ ହୋଇଯାଇଛି ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ।

ରାଜ୍ୟର କାଁ ଭାଁ କିଛି ଜାଗାରେ ବର୍ଷା ହେଉଛି ଆଉ ସବୁଠି ଶୁଖିଲା ପାଗ ସାଙ୍ଗକୁ ପ୍ରବଳ ଗୁଳୁଗୁଳି । ଆଗାମୀ ପାଂଚ ଦିନ ପର୍ଯ୍ୟନ୍ତ ବର୍ଷା ହେବାର ଅନୁକୁଳ ପାଗ ସୃଷ୍ଟି ହେବା ଆଶା ମଧ୍ୟ ନାହିଁ । ତେବେ ୫ ଦିନ ପରେ ମୈାସୁମୀ ସକ୍ରିୟ ହେବାର ସମ୍ଭାବନା ରହିଛି ବୋଲି କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ସେପଟେ ଆଜି ସକାଳ ୮ ସୁଦ୍ଧା ବାଲେଶ୍ୱର, କୋରାପୁଟ ଓ ମାଲକାନଗିରି ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ଘଡଘଡି, ବିଜୁଳି ସହ ବର୍ଷା ହେବା ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି ।