ଆଠ ଦିନ ବିଳମ୍ବ ପରେ ଆଜି କେରଳ ଛୁଇଁଲା ମୌସୁମୀ । ସପ୍ତାହକ ପରେ ଓଡ଼ିଶା ଛୁଇଁପାରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ।

142

କନକ ବ୍ୟୁରୋ : ଆଜି କେରଳ ଛୁଇଁଛି ମୌସୁମୀ ବାୟୁ । ତେବେ ଭାରତରେ ପ୍ରବେଶ କରିବାରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଏଥର ୭ ଦିନ ବିଳମ୍ବ କରିଛି । ମୌସୁମୀ କେରଳ ଛୁଇଁବା ପରେ ଏହାର ପ୍ରଭାବରେ କେରଳ ସମେତ, କର୍ଣ୍ଣାଟକ, ତାମିଲନାଡୁ ଓ ଲାକ୍ଷାଦ୍ୱୀପରେ ବର୍ଷା ହେଉଛି । ସେପଟେ ମୌସୁମୀ ବାୟୁ ଓଡିଶା ଛୁଇଁବାକୁ ଆହୁରି ୭-୮ ଦିନ ସମୟ ଲାଗିବ ବୋଲି ପାଣିପାଗ ବିଭାଗ ଆକଳନ କରିଛି । ଫଳରେ ରଜ ପରେ ଓଡିଶାରେ ହୋଇପାରେ ପ୍ରଥମ ମୌସୁମୀ ବର୍ଷା ।

କେରଳ ଛୁଇଁଲା ମୌସୁମୀ । ବର୍ଷା ହେଲା, ତାତି କମିଲା । ୭ ଦିନ ବିଳମ୍ବରେ ଆସିଲା ହେଲେ ଲୋକଙ୍କୁ ଆଶ୍ୱସ୍ତ କରିଦେଇଛି ମୌସୁମୀ ବର୍ଷା । କେରଳ ଛୁଇଁବା ସହ ଭାରତ ପ୍ରବେଶ କରିଛି ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ । ଆଣ୍ଡାମାନରୁ କେରଳ ଉପକୂଳରେ ପହଁଚିଛି ମୌସୁମୀ । ପ୍ରଚଣ୍ଡ ତାତି ପରେ ପ୍ରଥମ ବର୍ଷାରେ ଭିଜିଛି କେରଳର ୧୪ଟି ଜିଲ୍ଲା । କେରଳ ପରେ ମୌସୁମୀ ବାୟୁ ଲାକ୍ଷାଦ୍ୱୀପ, କର୍ଣ୍ଣାଟକ ଏବଂ ତାମିଲନାଡୁ ଉପକୂଳ ଦେଇ ଗତି କରୁଛି । ମହାରାଷ୍ଟ୍ର ଏବଂ ତେଲେଙ୍ଗାନାରେ ଝିପ୍ ଝିପ୍ ବର୍ଷା ଲାଗି ରହିଛି । ପ୍ରତିବର୍ଷ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଜୁନ୍ ପ୍ରଥମ ସପ୍ତାହରେ କେରଳ ଛୁଇଁଥାଏ । ହେଲେ ଏଥର ସାମାନ୍ୟ ଡେରି ହୋଇଛି ।

୭-୮ ଦିନରେ ଓଡିଶା ଛୁଇଁବ ମୌସୁମୀ ! ଏଥର ରଜ ପରେ ମୌସୁମୀ ବର୍ଷା ! ମୌସୁମୀ ବାୟୁ କେରଳ ଛୁଇଁବା ପରେ ଓଡିଶାରେ ଆରମ୍ଭ ହୋଇଯାଇଛି ଅବଗଣନା । କେବେ ମୌସୁମୀ ବର୍ଷାରେ ଭିଜିବ ରାଜ୍ୟ? ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ଓ ଗୁଳୁଗୁଳିକୁ କେବେ ଥଣ୍ଡା କରିବ ମୌସୁମୀର ବର୍ଷା? ସାଧାରଣତଃ, ମୌସୁମୀ ବାୟୁ କେରଳ ଛୁଇଁବାର ୮ରୁ ୧୦ ଦିନ ପରେ ଓଡିଶାରେ ପହଁଚିଥାଏ । ତେବେ ଏଥିପାଇଁ ଅନୁକୂଳ ପାଗ ରହିବା ଆବଶ୍ୟକ । ପାଣିପାଗ ବିଭାଗ ଆକଳନ କରିଛି, ଆସନ୍ତା ସପ୍ତାହ ପରେ ମୌସୁମୀ ବାୟୁ, ଓଡିଶାରେ ପ୍ରବେଶ କରିବ । ହେଲେ ଏହା ପୂର୍ବରୁ ରାଜ୍ୟରେ ପ୍ରାକ୍ ମୌସୁମୀ ବର୍ଷା ହୋଇପାରେ । ସେପଟେ ବଙ୍ଗୋପସାଗରର ଉତ୍ତର-ପଶ୍ଚିମ ଦିଗରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି । ଏହାର ପ୍ରଭାବରେ ଓଡିଶାରେ ଆସନ୍ତା ଦୁଇ ଦିନ ଧରି ପାଗ ମେଘୁଆ ରହିବ । କିଛି ସ୍ଥାନରେ ବର୍ଷା ହେବା ସମ୍ଭାବନା ବି ରହିଛି ।