ସୋସିଆଲ୍ ମିଡିଆରେ ଚର୍ଚ୍ଚିତ ହେଲା ମାଙ୍କଡ଼ ରାଜା ! ମୁଣ୍ଡରୁ ଉଙ୍କୁଣି ଖୋଜିବା, କାନରୁ ମଇଳା କାଢିବା ଏବଂ ସଲାମ୍ କରିବାରେ ଓସ୍ତାଦ୍ ଏହି ମାଙ୍କଡ଼ 

268

ନିକଟରେ ଉତ୍ତରପ୍ରଦେଶର ପିଲିଭିତ୍ ଥାନାରେ ଇନ୍ସପେକ୍ଟରଙ୍କ କାନ୍ଧ ଉପରେ ବସି ମୁଣ୍ଡରୁ ଉଙ୍କୁଣୀ କାଢୁଥିବା ମାଙ୍କଡର ଭିଡିଓ ଭାଇରାଲ୍ ହୋଇଥିଲା । ଭିଡିଓ ଭାଇରାଲ୍ ହେବା ପରେ ବର୍ତ୍ତମାନ ଏହି ମାଙ୍କଡ ବିଷୟରେ ଆଉ ଏକ କୌତୁହଳଭରା ଖବର ଆସିଛି । ମାଙ୍କଡର ନାଁ ରାଜା କୁହାଯାଉଥିବା ବେଳେ ପିଲାବେଳୁ ମା’ଛେଉଣ୍ଡ ରାଜାକୁ ଟ୍ରାଫିକ୍ ପୋଲିସ୍ ଦିନେଶ୍ ପାଳିଥିଲେ ।

ଦିନେଶ୍ ମାଙ୍କଡର ଖୁବ୍ ଯତ୍ନ ନେଉଥିଲେ କିନ୍ତୁ ପ୍ରୟାଗରାଜ୍ ଡ୍ୟୁଟି କରିବାକୁ ଯାଇଥିବା ଦିନେଶ୍ ଙ୍କୁ ରାଜା ପିଲିଭିତ୍ ରେ ହିଁ ଛାଡି ଚାଲି ଯାଇଥିଲେ । ସେହି ଦିନଠାରୁ ମାଙ୍କଡଟି ସହର ସାରା ଘୁରି ବୁଲୁଛି । କେତେବେଳେ କାହାର କାନରୁ ମଇଳା କାଢୁଛି ତ ଆଉ କାହା ଗାଡି ପଛପଟେ ବସି ସହର ବୁଲୁଛି । ତେବେ ଦୁଇଦିନ ତଳେ ପୋଲିସ୍ ଅଫିସରଙ୍କ ମୁଣ୍ଡ ଉପରେ ବସି ଉଙ୍କୁଣୀ କାଢିବା ଭିଡିଓ ଠାରୁ ଏବେ ମାଙ୍କଡଟି ସୋସିଆଲ୍ ମିଡିଆ ସେନସେସନ୍ ପାଲଟିଯାଇଛି ।

କିଛି ଦିନ ତଳେ ଗାନ୍ଧୀ ଷ୍ଟାଡିୟମ୍ ରୋଡରେ ଗୋଟିଏ ବାଇକ୍ ଆରୋହୀ ଯାଉଥିବା ସମୟରେ ମାଙ୍କଡଟି ବାଇକ୍ ପଛପଟେ ବସିପଡିଥିଲା । ଖୁବ୍ କଷ୍ଟରେ ସେ ତଳକୁ ଓହ୍ଲାଇଥିଲା । ମଣିଷଙ୍କ ଭିଡରେ ନିଜକୁ ସହଜ ମନେ କରୁଥିବା ଏହି ମାଙ୍କଡକୁ ଯେତେବେଳେ ଲୋକେ ଘଉଡାଇବାକୁ ଆସନ୍ତି ସେ ସଲାମ୍ କରି ସମସ୍ତଙ୍କ ମନ ଜିତିନିଏ । ସୋମବାର ଥାନାରେ ପଶି ମାଙ୍କଡ ଇନ୍ସପେକ୍ଟର ଶ୍ରୀକାନ୍ତ ଦ୍ୱିବେଦୀଙ୍କ କାନ୍ଧ ଉପରେ ବସିଗଲା ଏବଂ ମୁଣ୍ଡରୁ ଉଙ୍କୁଣୀ ଖୋଜିବାକୁ ଲାଗିଲା । ବହୁତ ସମୟ ପରେ ତଳକୁ ଓହ୍ଲାଇ ଚାଲିଯାଇଥିଲା ।