କନକ ବ୍ୟୁରୋ: ଗୋଟିଏ ପଟେ ଦେଶର ବିଭିନ୍ନ ରାଜ୍ୟରେ କଂଗ୍ରେସ ଉପରକୁ ଉଠୁଥିବାବେଳେ, ଏପଟେ ଓଡିଶାରେ ଦଳୀୟ କନ୍ଦଳରେ ମାତିଛନ୍ତି ନେତା । ବିଧାୟକ ମହମ୍ମଦ ମୋକିମ ଓ ପୂର୍ବତନ ବିଧାୟକ ଚିରଞ୍ଜୀବ ବିଶ୍ୱାଳଙ୍କୁ ନିଲମ୍ବିତ କରାଯିବାକୁ ନେଇ ବିବାଦ ବଢ଼ିବାରେ ଲାଗିଛି । ଦୁଇ ନେତାଙ୍କ ସମର୍ଥକ ରାସ୍ତାରେ ପ୍ରତିବାଦ କରିବା ପରେ ଆଜି କଂଗ୍ରେସ ଭବନରେ ଆସି ପ୍ରତିବାଦ ଜଣାଇଛନ୍ତ । ଆଉ ଅନ୍ୟପଟେ ସନ୍ତୋଷ ସିଂ ସାଲୁଜାଙ୍କ ଘରେ ବସିଛି ଶୃଙ୍ଖଳା କମିଟି ବୈଠକ ।

Advertisment
  • ନିଲମ୍ବିତ ନେତାଙ୍କ ସମର୍ଥନରେ ଶୋଭାଯାତ୍ରା
  • କଂଗ୍ରେସ ଭବନକୁ କଲେ କବଜା!
  • ସାଲୁଜାଙ୍କ ଘରେ ଶୃଙ୍ଖଳା କମିଟି ବୈଠକ 

ବିଧାୟକ ମହମ୍ମଦ ମୋକିମ୍ ଓ ପୂର୍ବତନ ବିଧାୟକ ଚିରଞ୍ଜୀବ ବିଶ୍ୱାଳଙ୍କୁ ଦଳରୁ ନିଲମ୍ବିତ କରାଯିବା ବିବାଦ ଥମିବାର ନା ନେଉନି । ନିଲମ୍ବନ ଆଦେଶ ପ୍ରତିବାଦରେ ଦୁଇ ନେତାଙ୍କ ସମର୍ଥକ ରାସ୍ତାରେ ପ୍ରତିବାଦ କରିବା ପରେ, ଭୁବନେଶ୍ୱରସ୍ଥିତ କଂଗ୍ରେସ ଭବନକୁ ଆସି ଶକ୍ତି ପ୍ରଦର୍ଶନ କରିଛନ୍ତି । ପିସିସି ସଭାପତିଙ୍କ ବିରୋଧରେ ନାରାବାଜି କରିବା ସହ, ଚିରଞ୍ଜୀବ ଓ ମୋକିମ ଜିନ୍ଦାବାଦ ନାରା ଦେଇ ଶୋଭାଯାତ୍ରା କରି କଂଗ୍ରେସ ଭବନରେ ପହଁଚିଥିଲେ । ତା ପରେ କଂଗ୍ରେସ ଭବନ ଭିତରେ ଧସେଇ ପଶିବା ସହ ହୋ ହାଲ୍ଲା କରିଥିଲେ । ଆଉ ଦୁଇ ନେତାଙ୍କ ଉପରୁ ତୁରନ୍ତ ନିଲମ୍ବନ ଆଦେଶ ପ୍ରତ୍ୟାହାର କରିବାକୁ ଦାବି କରିଛନ୍ତି ।

ପରିସ୍ଥିତି ଏମିତି ହୋଇଥିଲା ଯେ, କଂଗ୍ରେସ ଭବନକୁ କୌଣସି ବଡ ନେତା ଆସିନଥିଲେ । ଏପରିକି କଂଗ୍ରେସ ଭବନରେ ବସିବାକୁ ଥିବା ଶୃଙ୍ଖଳା କମିଟି ବୈଠକ ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କ ଘରେ ବସିଥିଲା । ଗୋଟିଏ ପଟେ କଂଗ୍ରେସ ଭବନରେ ନିଲମ୍ବିତ ନେତାଙ୍କ ସମର୍ଥକ ହଙ୍ଗାମା, ଆଉ ଅନ୍ୟପଟେ ସାଲୁଜାଙ୍କ ଘରେ ଶୃଙ୍ଖଳା କମିଟି ବୈଠକ ବସିବା ଚର୍ଚ୍ଚାର ବିଷୟ ହୋଇଛି । ତେବେ ସାଲୁଜା କହିଛନ୍ତି, କଂଗ୍ରେସ ଭବନରେ ମୋକିମ ଓ ଚିରଞ୍ଜୀବଙ୍କ ସମର୍ଥକଙ୍କ ହଙ୍ଗାମା ବିଷୟରେ ସେ ଅବଗତ ନାହାନ୍ତି । ଖବର ଆସିବା ପରେ ଯଦି ସେମାନଙ୍କ ଦାବି ଭଲ ଥିବ ତେବେ ଏଆଇସିସିକୁ ଜଣାଇ ଦିଆଯିବ । କିନ୍ତୁ କୌଣସି ଲୋକ ପିସିସି ବିରୋଧରେ ମନ୍ତବ୍ୟ ଦେଲେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ହେବ ।

କେବଳ ଏତିକି ନୁହେଁ ଶନିବାର ହେବାକୁ ଥିବା ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ମଧ୍ୟ କଂଗ୍ରେସ ଭବନରେ ନହୋଇ ଏକ ହୋଟେଲରେ ହେବ ବୋଲି ସୂଚନା ମିଳିଛି । ଚର୍ଚ୍ଚା ହେଉଛି, ନିଲମ୍ବିତ ନେତାଙ୍କ ସମର୍ଥକମାନେ ହଙ୍ଗାମା କରୁଥିବାରୁ କାର୍ଯ୍ୟକାରିଣୀ ଭେନ୍ୟୁକୁ ପରିବର୍ତନ କରାଯାଇଛି । ତେବେ କାର୍ଯ୍ୟକାରିଣୀ ବୈଠକରେ ମଧ୍ୟ ନିଲମ୍ବିତ ନେତାଙ୍କ ପ୍ରସଙ୍ଗ ଉଠିବ ବୋଲି ସୂଚନା ମିଳିଛି ।