ଟିମ୍ ଇଣ୍ଡିଆକୁ ବଡ ଝଟକା । ବାଂଲାଦେଶ ବିପକ୍ଷ ଦିନିକିଆ ସିରିଜ ପୂର୍ବରୁ ଦଳରୁ ବାଦ୍ ପଡିଲେ ମହମ୍ମଦ ସାମି, ଜାଣନ୍ତୁ କଣ ରହିଛି କାରଣ?

334

କନକ ବ୍ୟୁରୋ : ବାଂଲାଦେଶ ବିପକ୍ଷରେ ଦିନିକିଆ ସିରିଜ ପୂର୍ବରୁ ଟିମ୍ ଇଣ୍ଡିଆକୁ ବଡ ଝଟକା ଲାଗିଛି । ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁଯାୟୀ, ଆହତ କାରଣରୁ ଦିନିକିଆ ସିରିଜରୁ ବାଦ ପଡିଛନ୍ତି ଦ୍ରୁତ ବୋଲର ମହମ୍ମଦ ସାମି । ମହମ୍ମଦ ସାମିଙ୍କ ହାତରେ ଆଘାତ ଲାଗିଛି । ତେବେ ବିସିସିଆଇ ପକ୍ଷରୁ ଏନେଇ ସ୍ପଷ୍ଟ ସୂଚନା ମିଳିନାହିଁ ।

ବାଂଲାଦେଶ ବିପକ୍ଷରେ ଟିମ୍ ଇଣ୍ଡିଆ ୩ଟି ଦିନିକିଆ ଓ ୨ଟି ଟେଷ୍ଟ ମ୍ୟାଚ୍ ଖେଳିବ । ଡିସେମ୍ବର ୪ରୁ ଦିନିକିଆ ସିରିଜ ଆରମ୍ଭ ହେବ । ମହମ୍ମଦ ସାମି ଉଭୟ ଦିନିକିଆ ଓ ଟେଷ୍ଟ ଟିମରେ ସାମିଲ ଥିଲେ । ଯଶପ୍ରୀତ ବୁମରାଙ୍କ ଅନୁପସ୍ଥିତିରେ ଭାରତୀୟ ବୋଲିଂ ବାହିନୀର ମଙ୍ଗ ଧରିଥାନ୍ତେ ସାମି । କିନ୍ତୁ ଆଘାତ କାରଣରୁ ସାମି ବାଂଲାଦେଶ ଗସ୍ତରେ ଯାଇନଥିବା ସୂଚନା ମିଳିଛି ।

ଟି-୨୦ ବିଶ୍ୱକପ ପରେ ରୋହିତ, କୋହଲି,ରାହୁଲଙ୍କ ଭଳି ଖେଳାଳୀଙ୍କୁ ନ୍ୟୁଜିଲାଣ୍ଡ ଗସ୍ତରେ ପଠାଇନଥିଲା ବିସିସିଆଇ । ଅନ୍ୟପଟେ ବାଂଲାଦେଶ ଗସ୍ତରେ ସାମିଙ୍କ ବ୍ୟତୀତ ୪ ଦ୍ରୁତ ବୋଲରଙ୍କୁ ଦଳରେ ସାମିଲ କରାଯାଇଥିଲା । ତେଣୁ ସାମିଙ୍କ ବଦଳରେ ବିସିସିଆଇ ଅନ୍ୟ ବୋଲରଙ୍କୁ ଟିମରେ ସାମିଲ କରିବ କି ନାହିଁ ତାହା ଏଯାବତ୍ ସ୍ପଷ୍ଟ ହୋଇନାହିଁ ।