କନକ ବ୍ୟୁରୋ : ଟି-୨୦ ବିଶ୍ୱକପ ପୂର୍ବରୁ ଭାରତ ପାଇଁ ଆସିଛି ଖୁସିଖବର । ଆହତ କାରଣରୁ ବିଶ୍ୱକପ ଦଳରୁ ବୁମରା ବିଦା ହେବା ପରେ ତାଙ୍କ ସ୍ଥାନରେ ଷ୍ଟାଣ୍ଡବାଏରେ ଥିବା ମହମ୍ମଦ ସାମିଙ୍କୁ ବିଶ୍ୱକପ ଟିକେଟ ମିଳିଛି । ବୁମରାଙ୍କ ବଦଳ ଖେଳାଳୀ ଭାବେ ସାମିଙ୍କୁ ଦଳରେ ସାମିଲ କରିବା ସହ ବୋଲିଂ ବାହିନୀକୁ ପୁଣିଥରେ ଶକ୍ତିଶାଳୀ କରିଛି ଟିମ୍ ଇଣ୍ଡିଆ । ବିସିସିଆଇ ଏନେଇ ଏକ ପ୍ରେସ ବିଜ୍ଞପ୍ତି ଜାରି କରି ସୂଚନା ଦେଇଛି ।

Advertisment

ପ୍ରେସ ବିଜ୍ଞପ୍ତି ଜାରି କରି ବିସିସିଆଇ ଲେଖିଛି ଭାରତୀୟ ଚୟନକର୍ତ୍ତା ଟି-୨୦ ବିଶ୍ୱକପ ପାଇଁ ବୁମରାଙ୍କ ବଦଳ ଖେଳାଳୀ ଭାବେ ସାମିଙ୍କୁ ଚୟନ କରିଛି । ଏବେ ସାମି ଅଷ୍ଟ୍ରେଲିଆରେ ପହଞ୍ଚି ସାରିଛନ୍ତି ଏବଂ ଅଭ୍ୟାସ ମ୍ୟାଚ୍ ପୂର୍ବରୁ ବ୍ରିସବେନରେ ଟିମ୍ ସହ ଯୋଗ ଦେବେ । ସେହିଭଳି ମହମ୍ମଦ ସିରାଜ ଓ ଶାର୍ଦ୍ଦୁଳ ଠାକୁରଙ୍କୁ ରିଜର୍ଭ ଖେଳାଳୀ ଭାବେ ଚୟନ କରାଯାଇଛି ଏବଂ ଏହି ଦୁଇ ଖେଳାଳୀ ମଧ୍ୟ ଖୁବଶୀଘ୍ର ଅଷ୍ଟ୍ରେଲିଆ ଅଭିମୁଖେ ଉଡାଣ ଭରିବେ । ଦୀର୍ଘଦିନ ହେବ ସାମି ଟିମ୍ ଇଣ୍ଡିଆ ପକ୍ଷରୁ କ୍ରିକେଟ ଖେଳିନାହାନ୍ତି । ଅଷ୍ଟ୍ରେଲିଆ ବିପକ୍ଷ ସିରିଜରେ ଚୟନ ହୋଇଥିଲେ ମଧ୍ୟ କୋଭିଡ କାରଣରୁ ପରବର୍ତ୍ତୀ ସମୟରେ ଦଳରୁ ବାଦ୍ ପଡିଥିଲେ ସାମି ।

ବୁମରାଙ୍କ ବ୍ୟତୀତ ଦୀପକ ଚହର ଓ ରବୀନ୍ଦ୍ର ଜାଡେଜା ମଧ୍ୟ ଆହତ କାରଣରୁ ଟି-୨୦ ବିଶ୍ୱକପ ଦଳରୁ ବାଦ୍ ପଡିଛନ୍ତି । ତେବେ ବୁମରା ଆହତ ହୋଇ ବାଦ୍ ପଡିବା ପରେ ଟିମ୍ ଇଣ୍ଡିଆର ଚିନ୍ତା ବଢିଯାଇଥିଲା । କାରଣ ବୁମରାଙ୍କ ଅନୁପସ୍ଥିତିରେ ବୋଲିଂ ବାହିନୀର ମଙ୍ଗ କିଏ ଧରିବ ତାହାକୁ ନେଇ ଚିନ୍ତାରେ ପଡିଥିଲା ଭାରତୀୟ ଟିମ୍ ।