ବିରାଟଙ୍କୁ ନେଇ ବଡ କଥା କହିଲେ ସାମି । କହିଲେ, ଗୋଟିଏ ଶତକ ସ୍ଥିର କରିପାରିବନି କୋହଲି କେତେ ବଡ ଖେଳାଳୀ ।

227

କନକ ବ୍ୟୁରୋ : ଟିମ୍ ଇଣ୍ଡିଆର ପୂର୍ବତନ ଅଧିନାୟକ ବିରାଟ କୋହଲିଙ୍କ ବ୍ୟାଟରୁ ଦୀର୍ଘ ୨ ବର୍ଷରୁ ଅଧିକ ସମୟ ହେବ ଶତକ ଦେଖିବାକୁ ମିଳିନାହିଁ । ଶେଷଥର ପାଇଁ ୨୦୧୯ରେ ବାଂଲାଦେଶ ବିପକ୍ଷରେ ଶତକ ହାସଲ କରିଥିଲେ କୋହଲି । ଆଉ ଏହାପରେ ଲଗାତାର କୋହଲିଙ୍କ ଫର୍ମକୁ ନେଇ ପ୍ରଶ୍ନ ଉଠିଛି । ଦକ୍ଷିଣ ଆଫ୍ରିକା ବିପକ୍ଷରେ ଅର୍ଦ୍ଧଶତକ ହାସଲ କରିଥିଲେ ମଧ୍ୟ ଏହାକୁ ଶତକରେ ପରିଣତ କରିପାରିନଥିଲେ । କୋହଲିଙ୍କ ବ୍ୟାଟରୁ ଶତକ ବାହାରୁନଥିବାରୁ ତାଙ୍କର ଫର୍ମ ନଥିବା କହି ବୁଲୁଛନ୍ତି ଅନେକ କ୍ରିକେଟପ୍ରେମୀ । ଆଉ ଏସବୁ ଭିତରେ କୋହଲିଙ୍କ ସମର୍ଥନରେ ବାହାରିଛନ୍ତି ଭାରତୀୟ ଦ୍ରୁତ ବୋଲର ମହମ୍ମଦ ସାମି ।

ମହମ୍ମଦ ସାମି କହିଛନ୍ତି, ଯଦି ବିରାଟ ଶତକ ମାରିନାହାନ୍ତି ତେବେ କଣ ହେଲା । ଗୋଟିଏ ଶତକ କେବେ ସ୍ଥିର କରିପାରିବନି ଯେ କୋହଲି କେତେ ବଡ ଖେଳାଳୀ । ବିରାଟଙ୍କ ବ୍ୟାଟରୁ ଶତକ ବାହାରିନି ସତ କିନ୍ତୁ ଏହା ମାନେ ନୁହେଁ ଯେ, ସେ ରନ୍ କରିନାହାନ୍ତି । ଏହି ସମୟ ମଧ୍ୟରେ ଅନେକ ଅର୍ଦ୍ଧଶତକ ହାସଲ କରିଛନ୍ତି ସାମି । ଟିମ୍ ପାଇଁ ଅନେକ ସମୟରେ ୫୦-୬୦ ରନ୍ ଗୁରୁତ୍ୱ ବହନ କରେ ତେଣୁ କୋହଲିଙ୍କ ଫର୍ମକୁ ନେଇ ପ୍ରଶ୍ନ ଉଠାଇବା ଅନୁଚିତ୍ ।

ଏହାଛଡା ସାମି କୋହଲିଙ୍କ ଅଧିନାୟକତ୍ୱକୁ ପ୍ରଂଶସା କରିବା ସହ କହିଛନ୍ତି, କୋହଲିଙ୍କ ମଧ୍ୟରେ ଥିବା ଜୋଶ ଟିମର ଅନ୍ୟ ଖେଳାଳୀଙ୍କୁ ଭଲ ପ୍ରଦର୍ଶନ ପାଇଁ ପୋତ୍ସାହିତ କରିଥାଏ । କୋହଲି ସବୁବେଳେ ବୋଲରଙ୍କୁ ଗୁରୁତ୍ୱ ଦିଅନ୍ତି । ଆମ ମାନଙ୍କୁ ନିଜ ଖେଳ ଖେଳିବାର ସୁଯୋଗ ଦିଅନ୍ତି । ଅନେକ ସମୟରେ ଖେଳାଳୀଙ୍କ ରାୟ ନେବା ସହ ଅନ୍ୟ ବିକଳ୍ପ ବାବଦରେ ମଧ୍ୟ ଚିନ୍ତା କରିଥାନ୍ତି ।

ଏସବୁ ଭିତରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଟେଷ୍ଟ ସିରିଜ୍ ହାରିବା ପରେ କୋହଲି ଟେଷ୍ଟ ଅଧିନାୟକ ପଦ ମଧ୍ୟ ଛାଡିଛନ୍ତି । ଏହାସହ ଟିମର ପ୍ରତିଟି ଫର୍ମାଟରୁ ଏବେ କୋହଲି ଅବ୍ୟାହତି ନେଇଛନ୍ତି । ଏଭଳି ସ୍ଥ୍ଳେ କେବଳ ବ୍ୟାଟର ଭାବେ ଏବେ କୋହଲିଙ୍କ ପ୍ରଦର୍ଶନ ଉପରେ ସମସ୍ତଙ୍କର ନଜର ରହିବ । ଯେହେତୁ ଅଧିନାୟକ ଭାବେ ଆଉ ଅତିରିକ୍ତ ଚାପ ରହିବ ନାହିଁ ତେଣୁ ବିରାଟଙ୍କ ବ୍ୟାଟରୁ ବଡ ଇନିଂସ ଦେଖିବାକୁ ମିଳିବ ବୋଲି କୁହାଯାଉଛି । ଆଉ କୋହଲିଙ୍କ ବ୍ୟାଟରୁ ୭୧ତମ ଶତକ ଅପେକ୍ଷାରେ ଏବେ କ୍ରିକେଟପ୍ରେମୀ ।