ସେନାକୁ ସେନାପତି ଦେଲେ ମୋଦି ସରକାର । ପୂରା ହେଲା ୨୦ ବର୍ଷର ଦାବି, ଏଣିକି ତିନି ସେନା ଭିତରେ ସମନ୍ୱୟ ରକ୍ଷା କରିବେ ଚିଫ୍ ଅଫ୍ ଡିଫେନ୍ସ ଷ୍ଟାଫ୍ ।

1,373

କନକ ବ୍ୟୁରୋ : ମୋଦି ସରକାରଙ୍କ ଦ୍ୱିତୀୟ ପାଳିରେ ବଡ ଘୋଷଣା । ଦେଶକୁ ମିଳିବ ସେନାପତି । ୭୩ତମ ସ୍ୱାଧୀନତା ଦିବସରେ ଦିଲ୍ଲୀର ଲାଲକିଲ୍ଲାରୁ ପତାକା ଉତୋଳନ କରି, ଏକ ବଡ ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଚିଫ୍ ଅଫ୍ ଡିଫେନ୍ସ ଷ୍ଟାଫ୍ ନିଯୁକ୍ତ କରିବାକୁ ନିଷ୍ପତ୍ତି ନେଇଛନ୍ତି ମୋଦି ସରକାର । କେନ୍ଦ୍ରରେ କ୍ଷମତାସୀନ ହେବାର ଦ୍ୱିତୀୟ ପାଳି ଆରମ୍ଭରୁ ଜମ୍ମୁ-କାଶ୍ମୀରରେ ଧାରା ୩୭୦ ଉଚ୍ଛେଦ କରି ସାରାଦେଶକୁ ଚକିତ କରିଦେଇଥିଲେ ମୋଦି । ଏବେ ପୁଣି ଦିଲ୍ଲୀ ଲାଲକିଲ୍ଲାରୁ ନୂଆ ଘୋଷଣା କରି ଦେଶବାସୀଙ୍କୁ ଆଶ୍ଚର୍ଯ୍ୟ କରିଦେଇଛନ୍ତି । କାରଣ ସିଡିଏସ ନିଯୁକ୍ତି ପାଇଁ ଦୀର୍ଘଦିନରୁ ଦାବି ହୋଇଆସୁଥିଲା ।

ପ୍ରଥମଥର ପାଇଁ ଦେଶରେ ନିଯୁକ୍ତ ହେବେ ଚିଫ୍ ଅଫ୍ ଡିଫେନ୍ସ ଷ୍ଟାଫ୍ । ଦେଶର ତିନି ସେନା ବାହିନୀ ସ୍ଥଳସେନା, ନୌସେନା ଓ ବାୟୁସେନାର ସେନାପତି ଭାବେ କାମ କରିବେ ସିଡିଏସ । ତିନି ସେନା ମଧ୍ୟରେ ସମନ୍ୱୟ ରକ୍ଷା କରି ଦେଶର ସାମରିକ କ୍ଷମତାକୁ ଅଧିକ ଶକ୍ତିଶାଳୀ ଓ ପ୍ରଭାବୀ କରିପାରିବେ ସିଡିଏସ । ସେହିପରି ପ୍ରତିରକ୍ଷା ମନ୍ତ୍ରାଳୟ ଓ ତିନି ସେନା ମଧ୍ୟରେ ଯୋଗାଯୋଗ ରକ୍ଷା କରିବେ । ୧୯୯୯ କାର୍ଗିଲ ଯୁଦ୍ଧ ପରେ ଏଭଳି ଏକ ପଦବୀ ପାଇଁ ଦାବି ଉଠିଥିଲା । ହେଲେ ଗତ ୨୦ ବର୍ଷ ଧରି ରାଜନୈତିକ ଇଚ୍ଛାଶକ୍ତିର ଅଭାବରୁ ଏହାକୁ କାର୍ଯ୍ୟକାରୀ କରାଯାଇ ପାରୁନଥିଲା ।

କାର୍ଗିଲ ଯୁଦ୍ଧ ପରେ ୨୦୦୧ରେ ତତ୍କାଳୀନ ଉପ-ପ୍ରଧାନମନ୍ତ୍ରୀ ଲାଲକୃଷ୍ଣ ଆଡଭାନୀଙ୍କ ନେତୃତ୍ୱରେ ଗଠିତ ମନ୍ତ୍ରୀଗୋଷ୍ଠୀ ସିଡିଏସ ନିଯୁକ୍ତି ପାଇଁ ପ୍ରସ୍ତାବ ଦେଇଥିଲେ । ସେମାନଙ୍କ ଯୁକ୍ତି ଥିଲା ତିନି ସେନା ମଧ୍ୟରେ ଉପଯୁକ୍ତ ସମନ୍ୱୟ ରହିଥିଲେ କାର୍ଗିଲ ଯୁଦ୍ଧରେ ସେନାର କ୍ଷତି କମିପାରିଥାନ୍ତା ।

ସିଡିଏସ ନିଯୁକ୍ତିରୁ ଫାଇଦା :

– ଦେଶର ସେନାପତି ଭଳି କାମ କରିବେ ଚିଫ୍ ଅଫ୍ ଡିଫେନ୍ସ ଷ୍ଟାଫ୍
– ତିନି ସେନା ମଧ୍ୟରେ ଉପଯୁକ୍ତ ସମନ୍ୱୟ ରକ୍ଷା କରିବେ ସିଡିଏସ
– ସରକାରଙ୍କ ପ୍ରମୁଖ ପ୍ରତିରକ୍ଷା ପରାମର୍ଶଦାତା ଦାୟିତ୍ୱ ତୁଲାଇବେ
– ଆଧୁନିକ ଯୁଦ୍ଧଶୈଳୀକୁ ମୁକାବିଲା କରିବାରେ ସହାୟକ ହେବେ
– ମିଳିତ ରଣନୀତି ବନାଇବାରେ ତିନି ସେନାମୁଖ୍ୟଙ୍କୁ ନେଇ କାମ କରିବେ
– ସେନା ବାହିନୀ ଭିତରେ ମତଭେଦ ହେଲେ ଦୂର କରିପାରିବେ
– ବାହ୍ୟ ଶତ୍ରୁ ଆକ୍ରମଣର ମୁକାବିଲା ପାଇଁ ଅଧିକ ସଶକ୍ତ ହେବ ସେନା

ସିଡିଏସ ନିଯୁକ୍ତି ନେଇ ଦାବି ଭିତରେ ଏକ ବିକଳ୍ପ ରାସ୍ତା ବାହାର କରାଯାଇଥିଲା । ତିନି ସେନା ମଧ୍ୟରେ ସମନ୍ୱୟ ପାଇଁ ଚିଫ୍ ଅଫ୍ ଷ୍ଟାଫ୍ କମିଟି କରାଗଲା । ବାୟୁସେନା ମୁଖ୍ୟ ବିଏସ ଧାନୋଆ ଏବେ ଏହାର ଅଧ୍ୟକ୍ଷ ଅଛନ୍ତି ।

ନାଟୋ ଦେଶଗୁଡିକରେ ଏଭଳି ପଦବୀ ରହିଛି । ଆମେରିକା, ଚୀନ, ଇଂଲଣ୍ଡ ଓ ଜାପାନ ଭଳି ଶକ୍ତିଶାଳୀ ଦେଶରେ ମଧ୍ୟ ଚିଫ୍ ଅଫ୍ ଡିଫେନ୍ସ ଷ୍ଟାଫ୍ ଭଳି ପଦବୀ ରହିଛି । ଭାରତ ଭଳି ବିଶାଳ ଭୂଖଣ୍ଡ, ବିସ୍ତୃତ ସୀମାରେଖା ଓ ପରିବ୍ୟାପ୍ତ ସମୁଦ୍ର ତଟର ସୁରକ୍ଷା ପାଇଁ ସୀମିତ ସାଧନ ଭିତରେ ଏଭଳି ଏକ ପଦବୀର ଆବଶ୍ୟକ ରହିଥିଲା ବୋଲି ଅନେକ ପ୍ରତିରକ୍ଷା ବିଶେଷଜ୍ଞ ମତ ଦେଇଛନ୍ତି ।