ଦେଶରେ ବଢ଼ୁଛି କରୋନା ସଂକ୍ରମଣ, କିଛି ରାଜ୍ୟରେ ଦ୍ୱିତୀୟ ଲହର ଆଶଙ୍କା । ପ୍ରଧାନମନ୍ତ୍ରୀ କହିଲେ, ଲକଡାଉନ ନୁହେଁ ଛୋଟ କଂଟେନମେଣ୍ଟ ଜୋନ କରି ନିୟନ୍ତ୍ରଣ କର ସଂକ୍ରମଣ ।

307

କନକ ବ୍ୟୁରୋ: ଦେଶର ବିଭିନ୍ନ ରାଜ୍ୟରେ କରୋନାର ଦ୍ୱିତୀୟ ଲହର ଆଶଙ୍କା ଭିତରେ, ମୁଖ୍ୟମନ୍ତ୍ରୀମାନଙ୍କ ସହ ଆଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଦ୍ୱିତୀୟ ଲହର କିଭଳି ସାରାଦେଶକୁ ନବ୍ୟାପିବ, ସେଥିପାଇଁ ସତର୍କ କରିଛନ୍ତି ପ୍ରଧାନମନ୍ତ୍ରୀ । କହିଛନ୍ତି, ଏହି ଲହରକୁ ନରୋକିଲେ, ମୁକାବିଲା କରିବା କଷ୍ଟକର ହୋଇପଡିବ । ବିଶେଷ କରି କିଭଳି ଛୋଟ ସହର ଓ ଗାଁକୁ ଯେଭଳି ନବ୍ୟାପିବ, ସେଥପାଇଁ ପଦକ୍ଷେପ ନେବାକୁ ପଡିବ ।

ଗତ ମାସରେ କରୋନା ସଂକ୍ରମଣ ଟିକେ କମିବା ପରେ ଅଧିକାଂଶ ରାଜ୍ୟ ସରକାର ଟେଷ୍ଟିଂ, ଟ୍ରାକିଂ କମାଇ ଦେଇଥିଲେ । ପୂର୍ବ ଭଳି ଟେଷ୍ଟିଂ ଓ ଟ୍ରାକିଂକୁ ଆଉ ଗୁରୁତ୍ୱ ଦେଇନଥିଲେ । ହେଲେ, ଏହା ମହଙ୍ଗା ପଡିଛି । ମହାରାଷ୍ଟ୍ର ଭଳି ରାଜ୍ୟରେ କରୋନା ବ୍ୟାପିବାର ଏହା ଏକ ପ୍ରମୁଖ କାରଣ ବନିଯାଇଛି । ସେଥିପାଇଁ ଦ୍ୱିତୀୟ ଲହରକୁ ରୋକିବା ପାଇଁ ଟେଷ୍ଟିଂ, ଟ୍ରାକିଂ ଓ ଟ୍ରିଟମେଂଟକୁ ବଢ଼ାଇବା ଉପରେ ଗୁରୁତ୍ୱ ଦେଇଛନ୍ତି ପ୍ରଧାନମନ୍ତ୍ରୀ ।

ତେବେ କରୋନା ମୁକାବିଲା ପାଇଁ ଲକଡାଉନ ଭଳି କଠୋର କଟକଣା ନଲଗାଇବାକୁ ପରାମର୍ଶ ଦେଇଛନ୍ତି ମୋଦି । ଜନତାଙ୍କ ଭିତରେ ଭୟର ବାତାବରଣ ସୃଷ୍ଟି ନକରିବାକୁ କହିଛନ୍ତି । ପୁରୁଣା ଅନୁଭୂତିକୁ ଲଗାଇ ମୁକାବିଲା କରିବାକୁ କହିଛନ୍ତି । ଏଥିପାଇଁ ରାଜ୍ୟମାନଙ୍କୁ ପାଞ୍ଚଟି ମନ୍ତ୍ର ଦେଇଛନ୍ତି ପ୍ରଧାନମନ୍ତ୍ରୀ । କହିଛନ୍ତି..

– ଟିକା ସହ କଟକଣା ମାନିବାକୁ ପଡିବ
– ଆରଟିପିସିଆର ଟେଷ୍ଟକୁ ବଢ଼ାଇବାକୁ ପଡିବ
– ଛୋଟ ଛୋଟ କଂଟେନମେଂଟ ଜୋନ ବନାଇବା ଉପରେ ଗୁରୁତ୍ୱ
– ଟିକା ଦେବା ପାଇଁ ଅଧିକ କେନ୍ଦ୍ର ବ୍ୟବସ୍ଥା କରିବା
-ଟିକାର ଏକ୍ସପାଏରୀ ଡେଟକୁ ନଜରରେ ରଖିବା

ଗତ କିଛି ଦିନ ହେଲା ଦେଶରେ ଦୈନିକ ୨୦ ହଜାର ଉପରେ ନୂଆ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ଗତ ୨୪ ଘଂଟା ମଧ୍ୟରେ ୨୮ ହଜାର ୯୦୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହପରି ଗୋଟିଏ ଦିନରେ ୧୮୮ ଜଣଙ୍କ ମୃତ୍ୟୁ ହୋଇଛି । ବିଶେଷ କରି ମହାରାଷ୍ଟ୍ରରେ ଦୃତ ସଂକ୍ରମଣ ମୁଣ୍ଡ ବିନ୍ଧାର କାରଣ ପାଲଟିଛି । ସେହିପରି ପଞ୍ଜାବ, ଗୁଜୁରାଟ , କର୍ଣ୍ଣାଟକ, ତାମିଲନାଡୁ ଓ ମଧ୍ୟପ୍ରଦେଶରେ ଅଚାନକ କରୋନା ସଂକ୍ରମଣ ବୃଦ୍ଧି ଚିନ୍ତାର କାରଣ ହୋଇଛି ।