ଆସାମ ଗସ୍ତରେ ପ୍ରଧାନମନ୍ତ୍ରୀ ମୋଦି । ଏକ ଲକ୍ଷ ଲୋକଙ୍କ ପାଇଁ ଭୂମିପଟ୍ଟା ବଣ୍ଟନ କାର୍ଯ୍ୟକ୍ରମର ଶୁଭାରମ୍ଭ ।

176

କନକ ବ୍ୟୁରୋ: ଗରିବ ଲୋକଙ୍କୁ ଭୂମି ପଟ୍ଟା ବାଣ୍ଟିଲେ ପ୍ରଧାନମନ୍ତ୍ରୀ ମୋଦି । ଶନିବାର ପ୍ରଧାନମନ୍ତ୍ରୀ ଆସାମ ଗସ୍ତ କରି ସେଠାରେ ଏକ ଲକ୍ଷ ଲୋକଙ୍କ ପାଇଁ ଭୂମିପଟ୍ଟା ଆବଣ୍ଟନର ଶୁଭାରମ୍ଭ କରିଛନ୍ତି । ଏହି ଅବସରରେ ସେ ନିଜର ସମ୍ବୋଧନ ରଖି ଆସାମବାସୀଙ୍କୁ ଭୂୟସୀ ପ୍ରଂଶସା କରିଛନ୍ତି ।

ମୋଦି କହିଛନ୍ତି, ଆପଣମାନଙ୍କର ସେହ୍ନ ହିଁ ମୋତେ ଆସାମକୁ ନେଇଆସୁଛି । ଆସାମର ଆତ୍ମୀୟତା ପାଇବା ତାଙ୍କର ସୌଭାଗ୍ୟ । ଆଜି ଏହି ପଟ୍ଟା ବଣ୍ଟନ ଦ୍ୱାରା ବହୁ ଗରିବ ଲୋକଙ୍କ ଚିନ୍ତା ଦୂର ହେବ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ଏହାସହ ଆସାମର ସରକାରକୁ ମଧ୍ୟ ମୋଦୀ ଉଚ୍ଚ ପ୍ରଂଶସା କରିଥିଲେ ।

ମୋଦି କହିଥିଲେ, ପୂର୍ବ ସରକାର ସମୟରେ ଆସାମର ପାଖାପାଖି ୬ ଲକ୍ଷ ଲୋକ ବିନା କୌଣସି କାଗଜପତ୍ରରେ ବସବାସ କରୁଥିଲେ । ବର୍ତ୍ତମାନ ସରକାର ଦୁଇ ଲକ୍ଷ ଲୋକଙ୍କୁ ଜମି ପଟ୍ଟା ବାଣ୍ଟି ସାରିଲାଣି । ଆଜି ଆହୁରି ୧ ଲକ୍ଷଙ୍କୁ ଜମି ପଟ୍ଟା ବଣ୍ଟନ ହେବା ଦ୍ୱାରା ସେମାନେ ଉପକୃତ ହୋଇପାରିବେ । ଏହା ସେମାନଙ୍କର ଚିନ୍ତା ଦୂର କରିବ ବୋଲି ମୋଦି କହିଥିଲେ । ଏଥିସହ ପ୍ରଧାନମନ୍ତ୍ରୀ ମୋଦି ଦାବି କରିଥିଲେ ଯେ, ବିଜେପି ଆସାମରେ ଅଦ୍ଭୁତପୂୂର୍ବ ପ୍ରଦର୍ଶନ କରିଛି । ୫ ବର୍ଷ ଭିତରେ ସବୁ ଘରକୁ ବିଜୁଳି ପହଞ୍ଚିପାରିଛି । ଜଳ ଜୀବନ ମିଶନ ଜରିଆରେ ଗତ ଦେଢ ବର୍ଷ ଭିତରେ ପ୍ରାୟ ଅଢେଇ ଲକ୍ଷ ଲୋକଙ୍କ ଘରେ ପିଇବା ପାଣି ପହଞ୍ଚା ଯାଇପାରିଛି ବୋଲି ଶନିବାର ମୋଦି କହିଥିଲେ ।