ମେଗା ସୋରେ ମୋଦିଙ୍କ ପ୍ରଶ୍ନ ! ନାଁ ନ ନେଇ କହିଲେ, ଦୁର୍ନୀତି ଦାନବକୁ ଦାନାପାଣି ଦେଉଛି କିଏ ?

173

କନକ ବ୍ୟୁରୋ : ସରଗରମ ରାଜନୈତିକ ବାତାବରଣ ଭିତରେ ପ୍ରଧାନମନ୍ତ୍ରୀ ମୋଦି, ଆଜି ଓଡିଶା ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି ସତ, ହେଲେ ସିଧା ସିଧା କାହାର ନାଁ ନେଇନାହାଁନ୍ତି, କିମ୍ବା ସିଧା ଟାର୍ଗେଟ କରିନାହାଁନ୍ତି । ପରୋକ୍ଷରେ ସରକାରଙ୍କୁ ଅନେକ ପ୍ରଶ୍ନ କରିଛନ୍ତି । ପଚାରିଛନ୍ତି, କାହିଁକି ଡାକ୍ତର ପଦବୀ ଖାଲି ପଡିଛି, କାହିଁକି ଦରମା ପାଇବା ପାଇଁ ଶିକ୍ଷକଙ୍କୁ ରାସ୍ତାକୁ ଓହ୍ଲାଇବାକୁ ପଡୁଛି, ଏମିତି ଅନେକ ପ୍ରଶ୍ନ କରିଛନ୍ତି ମୋଦି । କିନ୍ତୁ ନବୀନ କିମ୍ବା ବିଜେଡିର ନାଁ ନେଇ ଆକ୍ଷେପ କରିନାହାଁନ୍ତି ।

୨୦୧୯ ପୂର୍ବରୁ ମୋଦିଙ୍କ ମେଗା ସୋ । ଉଭୟ ସରକାରୀ ଓ ଦଳୀୟ କାର୍ଯ୍ୟକ୍ରମରେ ସାମିଲ ହେଲେ । ରାଜ୍ୟ ସରକାରଙ୍କୁ ରାଜନୈତିକ ଆକ୍ରମଣ କଲେ । ହେଲେ ଆଶ୍ଚର୍ଯ୍ୟଜନକ ଭାବେ ବିଜେଡି କିମ୍ବା ନବୀନଙ୍କ ନାଁ ନେଲେନି ପ୍ରଧାନମନ୍ତ୍ରୀ । ଖୋର୍ଦ୍ଧା ଗୋଶାଳା ପଡିଆରେ ଏକ ଜନସଭାକୁ ସମ୍ବୋଧିତ କରି ରାଜ୍ୟ ସରକାରଙ୍କୁ ପରୋକ୍ଷ ସମାଲୋଚନା କରିଛନ୍ତି ମୋଦି । ୩୪ ମିନିଟ୍ ଭାଷଣର ମୋଟାମୋଟି କଥା ଥିଲା- ରାଜ୍ୟର ଉନ୍ନତି ପାଇଁ କେନ୍ଦ୍ର ଅନେକ କିଛି କରୁଛି, ହେଲେ ରାଜ୍ୟ ସରକାର କାର୍ଯ୍ୟକାରୀ କରିବାରେ ଫେଲ ମାରିଛନ୍ତି ।
ମୋଦିଙ୍କ ଆକ୍ଷେପ
– ସ୍ୱଚ୍ଛତାରେ ଓଡି଼ଶା ପଛରେ ପଡିଛି
– ମହିଳା ଓ ଶିଶୁ କୁପୋଷଣର ଶିକାର ହେଉଛନ୍ତି
– ୫୦ ପ୍ରତିଶତ ଡାକ୍ତର ପଦବୀ ଖାଲି ପଡିଛି
– ବେତନ ପାଇଁ ଶିକ୍ଷକ ରାସ୍ତାକୁ ଓହ୍ଲାଉଛନ୍ତି
– ଚିଟଫଣ୍ଡ ଦୁର୍ନୀତି ସହ ମାଡିବସିଛି ପିସି ସଂସ୍କୃତି
ସଭା ମଂଚରୁ ରାଜ୍ୟ ସରକାରଙ୍କୁ ଏଭଲି ଆକ୍ରମଣ ଭିତରେ ମୋଦିଙ୍କ ରାଜନୈତିକ ଏଜେଣ୍ଡା ବେଶ ବାରିହୋଇ ପଡୁଥିଲା । କାରଣ ପରୋକ୍ଷରେ ବିଜେଡି ସରକାରଙ୍କୁ ଆକ୍ଷେପ କରି ପ୍ରଧାନମନ୍ତ୍ରୀ କହିଥିଲେ ଦୁର୍ନୀତି ଦାନବକୁ ଦାନା ପାଣି ଦେଉଛି କିଏ?

କେନ୍ଦ୍ର ସ୍ୱାମୀନାଥନ କମିଟି ସୁପାରିଶ ଲାଗୁକଲା ନାହିଁ ବୋଲି ଅଭିଯୋଗ କରି ଚାଷୀଙ୍କ ପାଇଁ କାଳିଆ ଯୋଜନା ଆଣିଛି ରାଜ୍ୟ । ହେଲେ ଏହି ପ୍ରସଙ୍ଗରେ ପାଲଟା ଆକ୍ରମଣ କରିଛନ୍ତି ପ୍ରଧାନମନ୍ତ୍ରୀ । ୨୨ଟି ଶସ୍ୟର ଏମଏସପି ଦେଢଗୁଣା ବୃଦ୍ଧି କରାଯାଇଥିବାବେଳେ ଓଡିଶାରେ ଚାଷୀ ଫସଲର ଉପଯୁକ୍ତ ପ୍ରାପ୍ୟ ପାଉନଥିବା ମୋଦି ଅଭିଯୋଗ କରିଛନ୍ତି ।

ଗୋଟିଏ ବର୍ଷରେ ତିନିତିନିଥର ଓଡିଶା ଆସି ଲଢେଇ ଜୋରଦାର ହେବା ନେଇ ସଂକେତ ଦେଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ରାଜ୍ୟ ନେତା ବି ଦାବି କରୁଛନ୍ତି ଓଡିଶା ଦଖଲର ରଣନୀତି ବଦଳିଛି । ଯେଉଁଥିପାଇଁ କେବଳ ରାଜ୍ୟର ଦୋଷଦୁର୍ବଳତା ବଖାଣିବା ଛଡା ସାଢେ ୧୪ ହଜାର କୋଟିର ପ୍ୟାକେଜ ନେଇ ଆସିଛନ୍ତି ମୋଦି ।

ସେପଟେ ବିଜେଡି କହିଛି, ପ୍ରଧାନମନ୍ତ୍ରୀଙ୍କ ଏହି ଗସ୍ତର ପ୍ରଭାବ ଓଡିଶା ଉପରେ ପଡିବନାହିଁ । ଗତ ୧୯ ବର୍ଷ ଧରି ବିଜେଡି, ଓଡିଶାବାସୀଙ୍କ ପାଇଁ କାମ କରିଆସୁଛି ଏବଂ ଆଗକୁ ମଧ୍ୟ ଏହା ଜାରି ରହିବ ।