କନକ ବ୍ୟୁରୋ : ଖାଦ୍ୟ ସାମଗ୍ରୀର ମୂଲ୍ୟ ଅହେତୁକ ଭାବେ ବୃଦ୍ଧି ପାଉଥିବାରୁ ଏହାକୁ ନେଇ ସାଧାରଣ ଜନତା ବେଶ ଚିନ୍ତାରେ ଅଛନ୍ତି । କାରଣ କରୋନା ମହାମାରୀ ପରେ ଦେଶରେ ଲୋକଙ୍କର ରୋଜଗାର କମିଛି । ନିଯୁକ୍ତି କ୍ଷେତ୍ରରେ ରାଜ୍ୟଠାରୁ କେନ୍ଦ୍ର ସରକାର ପର୍ଯ୍ୟନ୍ତ ବିଫଳ ହୋଇଛନ୍ତି । ଗତ ୪୫ ବର୍ଷ ମଧ୍ୟରେ ଦେଶରେ ସର୍ବାଧିକ ବେରୋଜଗାରୀ ହାର ଦେଖିବାକୁ ମିଳିଛି । ବେରୋଜଗାରୀଙ୍କ ସଂଖ୍ୟା ପାକିସ୍ତାନ ଠାରୁ ଭାରତ ଆଗରେ ରହିଛି । ଏସବୁ ଭିତରେ କିଛିଦିନ ତଳେ କେନ୍ଦ୍ର ସରକାର ରୋଷେଇ ଗ୍ୟାସ ଉପରେ ୨୦୦ ଟଙ୍କା ଦାମ କମ୍ କରିଥିବା ବେଳେ ଏବେ ମସୁର ଡାଲି ଉପରେ ୨୨ ପ୍ରତିଶତ ଦାମ କମ୍ କରିବାକୁ ନିଷ୍ପତ୍ତି ନେଇଛନ୍ତି ।

Advertisment

ଭାରତରେ ଜି-୨୦ ସମ୍ମିଳନୀ ଆରମ୍ଭ ହେବାକୁ ଯାଉଛି । ଏହି କ୍ରମରେ ଆମେରିକାର ରାଷ୍ଟ୍ରପତି ଭାରତ ଆସୁଛନ୍ତି । ହେଲେ ସେ ଭାରତ ଆସିବାର ଗୋଟିଏ ଦିନ ପୂର୍ବରୁ ଆମେରିକାରୁ ଭାରତ ଆମଦାନୀ କରୁଥିବା ମସୁର ଡାଲି ଉପରେ ସରକାର ଯେଉଁ ୨୨ ପ୍ରତିଶତ ଅମଦାନୀ ଶୁଳ୍କ ଲଗାଉଥିଲେ ତାହାକୁ ଶୂନ୍ୟ କରିଦେଇଛନ୍ତି । ଏହା ସେପ୍ଟେମ୍ବର ୬ ତାରିଖ ଠାରୁ ଲାଗୁ ହୋଇଛି । ଏହା ଫଳରେ ଆମେରିକାରେ ଉତ୍ପାଦନ ହେଉଥିବା ମସୁର ଡାଲି ଏବେ ସିଧାସଳଖ ଭାରତରେ ପହଂଚିବ । ପୂର୍ବଭଳି କାନାଡା ରାସ୍ତା ଦେଇ ଆଉ ମସୁର ଡାଲି ଆମେରିକାରୁ ଭାରତ ଆମଦାନୀ କରିବ ନାହିଁ ।

କେବଳ ସେତିକି ନୁହେଁ ଭାରତରେ ମସୁର ଡାଲିର ଷ୍ଟକକୁ ନେଇ ସରକାର କଡା ନିର୍ଦ୍ଦେଶ ଦେଇଛନ୍ତି । ଡାଲିର କଳାବଜାରୀ ଓ ବେଆଇନ ଷ୍ଟକ ରୋକିବାକୁ ସରକାର ପ୍ରତି ସପ୍ତାହରେ ଷ୍ଟକର ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ଗତ ବର୍ଷ ଖରାପ ପାଗ କାରଣରୁ ଭାରତରେ ଡାଲି ଉତ୍ପାଦନ ହ୍ରାସ ପାଇଥିଲା । ଫଳରେ ହଠାତ ଡାଲିର ଦାମ ୫୦ ରୁ ୬୦ ଟଙ୍କା ପର୍ଯ୍ୟନ୍ତ କିଲୋପ୍ରତି ବୃଦ୍ଧି ପାଇଥିଲା ।