ମୋଦିଙ୍କ ଫୋକସରେ ଓଡିଶା

26

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍: ମୋଦିଙ୍କ ଫୋକସରେ ଓଡିଶା । କାରଣ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ସ୍ଥାନ ପାଇଛି ଓଡିଆ । ଅନ୍ୟ ୭ଟି ଆଂଚଳିକ ଭାଷା ସହ ପିଏମଓର ୱେବସାଇଟ ଡବ୍ଲୁଡବ୍ଲୁଡବ୍ଲୁ ଡଟ୍ ପିଏମଇଣ୍ଡିଆ ଡଟ୍ ଜିଓଭି ଡଟ୍ ଇନରେ ଓଡିଆ ଭାଷାକୁ ସ୍ଥାନ ଦିଆଯାଇଛି । ଗତ ୨୯ ତାରିଖରେ ଏହି ବହୁଭାଷୀ ୱେବସାଇଟର ଉନ୍ମୋଚନ କରାଯାଇଥିଲା । ଇଂରାଜୀ ଓ ହିନ୍ଦୀ ବ୍ୟତିତ ଏଥିରେ ଅନ୍ୟ ୭ଟି ଆଂଚଳିକ ଭାଷା ସ୍ଥାନ ପାଇଥିଲା । ତେବେ ଓଡିଆ ଭାଷାକୁ ସ୍ଥାନ ଦିଆଯାଇନଥିବାରୁ ଏହାକୁ ନେଇ ରାଜ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା ।

କିନ୍ତୁ ପ୍ରଧାନମନ୍ତ୍ରୀଙ୍କ ଓଡିଶା ଗସ୍ତ ପରେ ଏଥିରେ ସଂଶୋଧନ କରି ଓଡିଆ ଭାଷାକୁ ସ୍ଥାନ ଦିଆଯାଇଥିବା କୁହାଯାଉଛି । ଫଳରେ ଏବେ ଜଣେ ଚାହିଁଲେ ଏହି ୱେବ ସାଇଟରୁ ସମସ୍ତ ତଥ୍ୟ ଓ ସୂଚନା ଓଡିଆ ଭାଷାରେ ପଢିପାରିବେ । ଏଥିପାଇଁ ଲାଙ୍ଗୁଏଜ ଅପସନକୁ ଯାଇ ଓଡିଆ ଅପସନରେ କ୍ଲିକ କରିବାକୁ ପଡିବ । ଦେଶର ବିଭିନ୍ନ ପ୍ରାନ୍ତରେ ରହୁଥିବା ଲୋକମାନେ ସେମାନଙ୍କ ନିଜ ମାତୃଭାଷାରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ସହ ସିଧାସଳଖ ସଂପର୍କ ସ୍ଥାପନ କରିପାରିବେ । ଓଡିଆ ଛଡା ବଙ୍ଗଳା, ଗୁଜରାଟୀ, ମାଲାୟଲମ, ମରାଠୀ, ତାମିଲ, ତେଲୁଗୁ ଓ କନ୍ନଡ ମଧ୍ୟ ପିଏମଓ ୱେବସାଇଟରେ ସ୍ଥାନ ପାଇଛି ।