କନକ ବ୍ୟୁରୋ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୩ଦିନିଆ ଐତିହାସିକ ଆମେରିକା ଗସ୍ତ ଶେଷ ହୋଇଛି । ଏଥିସହ ଭାରତ ପାଇଁ ବିଭିନ୍ନ କ୍ଷେତ୍ରରେ ନୂଆ ସମ୍ଭାବନା ସୃଷ୍ଟି ହୋଇଛି । ଦୁଇ ଦେଶର ସମ୍ପର୍କ ଓ ଘନିଷ୍ଠତାକୁ ଅଧିକ ମଜବୁତ କରିବାକୁ ଦୁଇ ରାଷ୍ଟ୍ର ପ୍ରତିଶ୍ରୁତିବଦ୍ଧ ଓ ଚୁକ୍ତିବଦ୍ଧ ହୋଇଛନ୍ତି । ଆମେରିକାଗସ୍ତର ୩ୟ ଦିନ ଭାରତ ଓ ଆମେରିକା ପାଇଁ ବେଶ ଗୁରୁତ୍ୱପୂର୍ଣ୍ଣ ଥିଲା । କାରଣ ଦୁଇ ଦେଶର ମଧ୍ୟରେ ଦ୍ୱୀପାକ୍ଷୀକ ଆଲୋଚନା ହେବା ସହ ଅନେକ ଗୁରୁତ୍ୱପୂର୍ଣ୍ଣ ଚୁକ୍ତି ସ୍ୱାକ୍ଷର ହୋଇଛି । ପ୍ରତିରକ୍ଷା, ମହାକାଶ ଗବେଷଣା, ଜଳବାୟୁ ପରିବର୍ତ୍ତନ, ଉଚ୍ଚ ଶିକ୍ଷା, ବୈଷୟିକ ସହଯୋଗ, ପ୍ରବାସୀ ଭାରତୀୟଙ୍କୁ ଅଧିକ ସୁଯୋଗ ଦେବା ଦିଗରେ ଆଲୋଚନା କରାଯାଇଛି ।

Advertisment

ଭାରତ-ଆମେରିକା ସ୍ୱାକ୍ଷରିତ ଚୁକ୍ତି
-ଭାରତରେ ତିଆରି ହେବ ଜେଟ୍ ଇଂଜିନ
-ବିଶ୍ୱର ଶକ୍ତିଶାଳୀ ଡ୍ରୋନ ଯୋଗାଇବ ଆମେରିକା
-୨୦୨୪ ନାସା-ଇସ୍ରୋର ମିଳିତ ମହାକାଶ ଅଭିଯାନ
-କୁଶଳୀ ଭାରତୀୟଙ୍କ ପାଇଁ ଇ ଜଜ ଭିସା ବ୍ୟବସ୍ଥା

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆମେରିକା ସଂସଦକୁ ସମ୍ବୋଧନ କରି କହିଛନ୍ତି, ଭାରତର ପ୍ରଧାନମନ୍ତ୍ରୀ ହେବା ସମୟରେ ଭାରତ ବିଶ୍ୱର ଦଶମ ଅର୍ଥବ୍ୟବସ୍ଥା ହୋଇରହିଥିଲା । ଆଜି ଭାରତ ବିଶ୍ୱର ପଞ୍ଚମ ସବୁଠୁ ବଡ ଅର୍ଥବ୍ୟବସ୍ଥା ଭାବେ ମୁଣ୍ଡ ଟେକିଛି । ଭାରତ ଶୀଘ୍ର ବିଶ୍ୱର ତୃତୀୟ ଅର୍ଥବ୍ୟବସ୍ଥା ହେବାକୁ ଯାଉଛି । ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଭାବେ ମୋଦି ଆମେରିକା କଂଗ୍ରେସରେ ଉଦବୋଧନ ଦେଇ ଐତିହାସିକ ମୁହୁର୍ତକୁ ନିଜ ନାଁରେ କରିଛନ୍ତି । ଉଦବୋଧନ ପରେ କିଛି ସାଂସଦ ମୋଦୀଙ୍କ ନିକଟରେ ପହଁଚି ସେଲଫି ନେବା ସହ ଅଟୋଗ୍ରାଫ ପାଇଁ ଭିଡ ଜମାଇଥିବା ଦେଖିବାକୁ ମିିଳିଛି ।

ସେପଟେ ହ୍ୱାଇଟହାଉସରେ ଷ୍ଟେଟ ଡିନରର ଆୟୋଜନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ମୋଦୀ ମୁଖ୍ୟ ଅତିଥି ରହିଥିବାବେଳେ ମୋଟ ୪ଶହ ଅତିଥି ସାମିଲ ହୋଇଥିଲେ । ଉଭୟ ନେତାଙ୍କ ଚିୟର୍ସର ସମୟର ଫଟୋ ମଧ୍ୟ ବେଶ ଭାଇରାଲ ହେଉଛି । ଏଥିସହ ଭାରତର ପ୍ରଧାନମନ୍ତ୍ରୀଙ୍କ ପାଇଁ ସ୍ୱତନ୍ତ୍ରଭାବେ ନିରାମିଷ ବ୍ୟଂଜନ ପ୍ରସ୍ତୁତ ହୋଇଥିଲା ।

ଉଭୟ ରାଷ୍ଟ୍ରନେତାଙ୍କ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା ହୋଇଥିଲା । ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ମିଳିତ ବିବୃତି ଜାରି କରିଛନ୍ତି । ବାଇଡେନ କହିଛନ୍ତି, ଆମେରିକା ଓ ଭାରତ ମଧ୍ୟରେ ସଂପର୍କ ଆହୁରି ଘନିଷ୍ଟ ହୋଇଛି । ଦୁଇ ଦେଶ ମଧ୍ୟରେ ବ୍ୟବସାୟ ଦୁଇ ଗୁଣା ବଢିଛି । ପ୍ରତିରକ୍ଷା, ଅନ୍ତରୀକ୍ଷ କ୍ଷେତ୍ରରେ ସହଯୋଗ ପାଇଁ କଥାବାର୍ତା ହୋଇଛି । ସେପଟେ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, ଭାରତ ଓ ଆମେରିକାର ସଂପର୍କ ସାରା ବିଶ୍ୱ ପାଇଁ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ।