ଯେକୌଣସି ସମୟରେ ବଦଳିପାରେ କେନ୍ଦ୍ର କ୍ୟାବିନେଟ ! ଜାଣନ୍ତୁ କେମିତି ରହିବ ରୂପରେଖ । କାହାର ବଢିବ ଶକ୍ତି, କିଏ ହେବ ଦୁର୍ବଳ?

36

କନକ ବ୍ୟୁରୋ: ଯେକୌଣସି ସମୟରେ ବଦଳିପାରେ ମୋଦି କ୍ୟାବିନେଟର ଚେହେରା । ସେପ୍ଟେମ୍ବର ୫ ତାରିଖ ମଧ୍ୟରେ ଏହି ଅଦଳବଦଳ ଦେଖିବାକୁ ମିଳିପାରେ ବୋଲି ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ଜୋରଧରିଛି । ଏହାରି ଭିତରେ ରାଜନୈତିକି ସମୀକ୍ଷକମାନେ ଗଣନା ଆରମ୍ଭ କରିଦେଲେଣି । କାହାକୁ କେଉଁ ବିଭାଗ ମିଳିବ ଆଉ କାହା ହାତରୁ ବିଭାଗ ଖସିବ ସେନେଇ ଚାଲିଛି ହିସାବକିତାବ । ଉଭୟ ମୋଦି ଓ ଅମିତ ଶାହା ମନ୍ତ୍ରୀମାନଙ୍କ ରିପୋର୍ଟ କାର୍ଡ ଦେଖି ପ୍ରଦର୍ଶନକୁ ମାର୍କ ଦେବେ ଓ ସେହି ଆଧାରରେ ବିଭାଗ ଅଦଳ ବଦଳ ହେବ ବୋଲି ଜାତୀୟ ସ୍ତରରେ ଆଲୋଚନା ହେଉଛି । ତେବେ ଯଦିଓ ଏନେଇ ପ୍ରଧାନମନ୍ତ୍ରୀ ଚୁଡାନ୍ତ ନିଷ୍ପତି ନେବେ ତଥାପି ଏହି ଅନୁମାନ କିଛି ମାତ୍ରାରେ ସତ ହୋଇପାରେ ବୋଲି ଦାବି କରିଛନ୍ତି ସମୀକ୍ଷକ ।

ମିଳିଥିବା ତଥ୍ୟ ଅନୁସାରେ ଏଥର ମନ୍ତ୍ରୀମଣ୍ଡଳ ଅଦଳ ବଦଳ ହେଲେ ଫାଇଦାରେ ରହିପାରନ୍ତି ଉଭୟ ଜେଡି-ୟୁ ଓ ଏଆଇଏଡିଏମକେ । ବିହାର ରାଜନୀତିରେ ଟୁଇଷ୍ଟ ଆଣି ମୋଦିଙ୍କ ସହ ହାତ ମିଳାଇଥିବା ନୀତିଶଙ୍କୁ ସନ୍ତୁଷ୍ଟ କରିବେ ମୋଦି । ସେହିପରି ଏଆଇଏଡିଏମକେର ଚିତ୍ର ବଦଳିବା ପଛରେ ବି ବିଜେପିର ରଣନୀତି ରହିଛି । ଦକ୍ଷିଣ ଭାରତରେ ବିଜେପି ନିଜର ଦବଦବା ଦେଖାଇବାକୁ ହେଲେ ମୋଦି କ୍ୟାବିନେଟରେ କିଛି ଏଆଇଏଡିଏମକେ ସାଂସଦ ବି ସ୍ଥାନ ପାଇପାରନ୍ତି ବୋଲି ଅନୁମାନ କରାଯାଉଛି ।

ତେବେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାବିସଙ୍କୁ ଏଥର ମୋଦିଙ୍କ ମନ୍ତ୍ରୀମଣ୍ଡଳରେ ଦେଖିବାକୁ ମିଳିପାରେ । ମହାରାଷ୍ଟ୍ର ରାଜନୀତିରେ ପରିବର୍ତ୍ତନ କରି ପିଡବ୍ଲୁଡି ମନ୍ତ୍ରୀ ମନ୍ତ୍ରୀ ଥିବା ଚନ୍ଦ୍ରକାନ୍ତ ପାଟିଲଙ୍କୁ ରାଜ୍ୟଭାର ଦେଇ ଦିଲ୍ଲୀକୁ ଆସି ପାରନ୍ତି ଦେବେନ୍ଦ୍ର । ଯଦି ଶରଦ ପାୱାର ଏନଡିଏରେ ସାମିଲ ହୁଅନ୍ତି ତାଙ୍କୁ ମଧ୍ୟ ମନ୍ତ୍ରୀପଦ ଦେଇ ପୁରସ୍କୃତ କରିପାରନ୍ତି ମୋଦି । ଖାଲି ସେତିକି ନୁହେଁ, ସଂସଦରେ ବେଶ ଆକ୍ଟିଭ ଏମପି ଭାବେ ଜଣାଶୁଣା ଶରଦଙ୍କ ଝିଅ ସୁପ୍ରିୟାଙ୍କୁ ବି ମିଳିପାରେ ମନ୍ତ୍ରୀପଦ । ତେବେ ଶରଦ ଏବେବି ଏନସିପିରେ ଥିବା ବେଳେ ଏନଡିଏରେ ମିଶିବେ କି ନାହିଁ ସେନେଇ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ ।

ସେପଟେ ନୈରାଶଜନକ ପ୍ରଦର୍ଶନ ପାଇଁ କିଛି ମନ୍ତ୍ରୀଙ୍କୁ ପଦ ହରାଇବାକୁ ପଡିପାରେ । ଆଉ ଭଲ ପ୍ରଦର୍ଶନ ପାଇଁ କିଛି ମନ୍ତ୍ରୀଙ୍କୁ ଗୁରୁତ୍ୱପୂର୍ଣ୍ଣ ବିଭାଗ ମଧ୍ୟ ମିଳିପାରେ ବୋଲି ଚର୍ଚ୍ଚା ହେଉଛି । କଲରାଜ ମିଶ୍ରଙ୍କୁ ବୟସାଧିକ କାରଣରୁ ମନ୍ତ୍ରୀମଣ୍ଡଳରୁ ବାଦ ଦିଆଯାଇପାରେ ବୋଲି ଚର୍ଚ୍ଚା ହେଉଥିବା ବେଳେ ଶକ୍ତିମନ୍ତ୍ରୀ ପିୟୁଷ ଗୋଏଲ ଓ ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପଦୋନ୍ନତି ହେବାର ଯଥେଷ୍ଟ ସମ୍ଭାବନା ରହିଛି । ଉଭୟ ସାଂଗଠନିକ ଓ ବିଭାଗୀୟ କ୍ଷେତ୍ରରେ ଉତ୍ତମ ପ୍ରଦର୍ଶନ ପାଇଁ ଏହି ଦୁଇନେତାଙ୍କୁ କ୍ୟାବିନେଟ ରାଙ୍କ ମିଳିପାରେ ବୋଲି ଆଲୋଚନା ହେଉଛି । କାରଣ ପାୱାର କରିଡରରେ ଉଭୟେ ଖୁବ କ୍ଷମତାଶାଳୀ ।

ଅନ୍ୟପଟେ ରେଳମନ୍ତ୍ରୀ ସୁରେଶ ପ୍ରଭୁଙ୍କୁ ନେଇ ଏବେବି ସସପେନ୍ସ ଲାଗି ରହିଛି । ମନ୍ତ୍ରୀପଦରୁ ଇସ୍ତଫା ଦେବାକୁ ଇଚ୍ଛା ପ୍ରକାଶ କରିଥିବା ଏହି ବରିଷ୍ଠ ନେତାଙ୍କୁ ରେଳ ବିଭାଗରୁ ଅପସାରଣ କରି ଅନ୍ୟକୌଣସି ବିଭାଗ ଦିଆଯାଇପାରେ । ତିନି ବର୍ଷର ମନ୍ତ୍ରୀତ୍ୱ ସମୟରେ ବିଭିନ୍ନ ପଦକ୍ଷେପ ପାଇଁ ମୋଦିଙ୍କ ବିଶ୍ୱାସ ଜିତିଥିବା ପ୍ରଭୂଙ୍କୁ ମନ୍ତ୍ରୀମଣ୍ଡଳରୁ ସଂପୁର୍ଣ୍ଣ କଢ଼ା ଯାଇନପାରେ । କେବଳ ବିଭାଗ ଅଦଳ ବଦଳ ହେବ ବୋଲି ଅନୁମାନ କରାଯାଉଛି ।

ତେବେ ରେଳ, ସଡକ ପରିବହନ ଓ ଯାହାଜ ପରିଚାଳନା ବିଭାଗକୁ ମିଶାଇ ମୋଦିଙ୍କ ଡ୍ରିମ ପୋଜେକ୍ଟ ଭାବେ ଏକ ବଡ ବିଭାଗ ଗଠନ କରାଯାଇପାରେ । ଯାହାର ଦାୟିତ୍ୱରେ ନୀତିନ ଗଡକାରୀ ରହିପାରନ୍ତି ବୋଲି ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି । ସେମିତି ପୂର୍ବତନ ରେଳମନ୍ତ୍ରୀ ଦିନେଶ ତ୍ରିବେଦୀଙ୍କୁ ମଧ୍ୟ ରେଳ ବିଭାଗ ଦିଆଯାଇପାରେ ବୋଲି ବି ଆଲୋଚନା ହେଉଛି । ରେଲୱେ ବୋର୍ଡର ନୂଆ ଅଧ୍ୟକ୍ଷ ଅଶୋକ ଲୋହାନୀ ଓ ଦିନେଶ ତ୍ରିବେଦି ମିଶି ରେଳ ବିଭାଗର ନବକଳେବର କରିପାରନ୍ତି ।

ଦିନେଶ ତ୍ରିବେଦିଙ୍କୁ ରେଳ ବିଭାଗ ମିଳିବା କ୍ଷେତ୍ରରେ ଆଉ କିଛି ମଧ୍ୟ ଶୁଣିବାକୁ ମିଳୁଛି । ସେ ଗୁଜୁରାଟୀ ହୋଇଥିବାରୁ ତାଙ୍କୁ ପ୍ରାଥମିକତା ଦିଆଯାଇପାରେ । ପୁଣି ତାଙ୍କର ସ୍ୱଳ୍ପ କାର୍ଯ୍ୟକାଳ ସମୟରେ ରେଳ ବିଭାଗରେ ଢ଼ାଞ୍ଚାଗତ ପରିବର୍ତ୍ତନ ପାଇଁ କକୋଦରା କମିଟି ବି ଗଠନ ହୋଇଥିଲା । ଯାହା ରେଳ ବିଭାଗର ଉନ୍ନତି କରଣ ପାଇଁ ୧୦୬ଟି ପ୍ରସ୍ତାବ ଦେଇଥିଲେ ।

ତେବେ ରାଜନୀତି ସମୀକ୍ଷକମାନଙ୍କ ଆକଳନକୁ ଆକଳନରେ ସିମୀତ ରଖି ମୋଦି ଓ ଶାହ କିଛି ଏଭଳି ଚକମା ଦେଇପାରନ୍ତି ଯାହା ସବୁ ଅନୁମାନ ଓ ଆଲୋଚନାକୁ ଭୁଲ ବୋଲି ପ୍ରମାଣିତ କରିପାରେ । କେବେ ଓ କେଉଁ ଆଧାରରେ ମନ୍ତ୍ରୀମଣ୍ଡଳ ଅଦଳବଦଳ ହେବ ଓ କାହାକୁ କେଉଁ ପଦ ମିଳିବ ତାହା ସଂପୂର୍ଣ୍ଣ ଭାବେ ପ୍ରଧାନମନ୍ତ୍ରୀଙ୍କ ନିୟନ୍ତ୍ରଣାଧୀନ ହୋଇଥିବାରୁ ଏ ବାବଦରେ ଚର୍ଚ୍ଚା ଓ ଆଲୋଚନା ଫେଲ ମାରିବାର ସମ୍ଭାବନା ମଧ୍ୟ ରହିଛି ।