ଶିରିଡି ଧାମରେ ପ୍ରଧାନମନ୍ତ୍ରୀ ! ସମାଧିର ୧୦୦ତମ ବର୍ଷପୂର୍ତି ଉତ୍ସବର ଉଦଯାପନୀରେ ହେଲେ ସାମିଲ, ଶିରିଡି ନଗରରୁ କଂଗ୍ରେସକୁ କଲେ ଟାର୍ଗେଟ ।

34

କନକ ବ୍ୟୁରୋ : ଶିରିଡିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆଜି ସାଇବାବାଙ୍କ ସମାଧି ନେବାକୁ ପୁରିଛି ୧୦୦ ବର୍ଷ । ଏହି ଅବସରରେ ସିରିଡିରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଯୋଗଦେଇ ପ୍ରଧାନମନ୍ତ୍ରୀ  ସାଇବାବାଙ୍କର ଚାନ୍ଦିର ମୂଦ୍ରା ଜାରି କରିଛନ୍ତି । ସାଇବାବାଙ୍କ ନଗରୀରୁ କଂଗ୍ରେସକୁ ଟାର୍ଗେଟ କରିଛନ୍ତି ନରେନ୍ଦ୍ର ମୋଦି ।

ଶିରିଡି ଆଶ୍ରମରେ ଭାରତର ପ୍ରଧାନମନ୍ତ୍ରୀ । ସାଇବାବାଙ୍କ ସମାଧି ନେବାର ଶହେବର୍ଷ ପୂର୍ତି ଅବସରରେ ଚାଲିଥିବା ବାର୍ଷିକ ଉତ୍ସବର ଉଦଯାପନୀରେ ସାମିଲ ହୋଇଥିଲେ ମୋଦି । ଆଶ୍ରମରେ ସାଇବାବାଙ୍କର ସ୍ୱତନ୍ତ୍ର ପୂଜାର୍ଚ୍ଚନା ସହ ସାଇବାବାଙ୍କର ଚାନ୍ଦିର ମୂଦ୍ରା ଜାରି କରିଛନ୍ତି ପ୍ରଧାନମନ୍ତ୍ରୀ । ମନ୍ଦିରର ଭିଜିଟର ବୁକରେ ସେ ନିଜ ବିଚାର ମଧ୍ୟ ଲେଖିଥିଲେ । ଏଥିସହ ବିଭିନ୍ନ ପରିଯୋଜନା ପାଇଁ ଭୂମି ପୂଜନ କରିଛନ୍ତି । ଏହାପରେ ସେଠାରେ ଆୟୋଜିତ ରାଲିକୁ ସମ୍ବୋଧିତ କରି ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ବିଜୟା ଦଶମୀର ଶୁଭେଚ୍ଛା ଦେଇଛନ୍ତି ।

ହିତାଧିକାରୀଙ୍କୁ ମିଳିଲା ଘର ଚାବି । ସାଇବାବା ନଗରୀରୁ କଂଗ୍ରେସକୁ ଟାର୍ଗେଟ୍ । ସଭାକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କଂଗ୍ରେସ ଉପରେ ବର୍ଷିିଛନ୍ତି । ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ହିତାଧିକାରୀଙ୍କୁ ଘରର ଚାବି ପ୍ରଦାନ କରିଛନ୍ତି । କଂଗ୍ରେସକୁ ଟାର୍ଗେଟ କରି ପ୍ରଧାନମନ୍ତ୍ରୀ କହିଥିଲେ ଲୋକଙ୍କୁ ଘର ଦେବା ପୂର୍ବ ସରକାରର ଉଦ୍ଦେଶ୍ୟ ନଥିଲା । କେବଳ ଗୋଟିଏ ପରିବାରର ପ୍ରଚାର କରିବା ଲକ୍ଷ୍ୟ ଥିଲା ।

ଶିରିଡିରେ ଆୟୋଜିତ ସଭାକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ  କହିଥିଲେ ଲୋକଙ୍କୁ ଗରିବି ବିରୋଧରେ ଲଢିବାକୁ ଘର ବିଶେଷ ଉତ୍ସାହ ଯୋଗାଇଥାଏ । ତେଣୁ କେନ୍ଦ୍ର ସରକାର ୨୦୨୨ ସୁଦ୍ଧା ସମସ୍ତଙ୍କୁ ଘର ଯୋଗେଇ ଦେବାକୁ ଲକ୍ଷ୍ୟ ରଖିଥିବା କହିଥିଲେ ପ୍ରଧାନମନ୍ତ୍ରୀ । ପ୍ରଧାନମନ୍ତ୍ରୀଙ୍କ ଶିରିଡି ଗସ୍ତ ସମୟରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାବୀସ ଓ ରାଜ୍ୟପାଳ ବିଦ୍ୟାସାଗର ରାଓ ଉପସ୍ଥିତି ଥିଲେ ।