ମୋଦିଙ୍କ ମୁହଁରେ ଗାନ୍ଧୀଙ୍କ ଗାଥା… । କହିଲେ, ସାରା ବିଶ୍ୱକୁ ବାଟ ଦେଖାଇବା ପାଇଁ ଗାନ୍ଧୀ ଶ୍ରେଷ୍ଠ ଗୁରୁ, ତାଙ୍କ ଦର୍ଶନରେ ରହିଛି ସବୁ ସମସ୍ୟାର ସମାଧାନ ।

450

କନକ ବ୍ୟୁରୋ : ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜନ୍ମ ଜୟନ୍ତୀରେ ନ୍ୟୁୟର୍କ ଟାଇମ୍ସରେ ପ୍ରକାଶ ପାଇଛି ଗାନ୍ଧୀଙ୍କ ସଂପର୍କରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଆଲେଖ୍ୟ । ସାରା ବିଶ୍ୱ ଅଧିକାରର କଥା କହୁଥିବାବେଳେ ଗାନ୍ଧୀଜୀ ଦାୟିତ୍ୱର କଥା କହୁଥିଲେ ବୋଲି ମୋଦି ଲେଖିଛନ୍ତି । ଆଜିର ଦିନରେ ଭାରତ ଓ ବିଶ୍ୱ ପାଇଁ କାହିଁକି ଗାନ୍ଧୀଜୀ ଜରୁରୀ ସେନେଇ ତାଙ୍କ ଦୃଷ୍ଟିଭଙ୍ଗୀ ରଖିଛନ୍ତି ପ୍ରଧାନମନ୍ତ୍ରୀ ।

ସାରାଦେଶ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜନ୍ମ ଜୟନ୍ତୀ ପାଳନ କରୁଥିବାବେଳେ ଅନ୍ତର୍ଜାତୀୟ ଖ୍ୟାତି ସମ୍ପନ୍ନ ଖବରକାଗଜ ନ୍ୟୁୟର୍କ ଟାଇମ୍ସରେ ପ୍ରକାଶ ପାଇଛି ଗାନ୍ଧୀଙ୍କ ସମ୍ପର୍କରେ ମୋଦିଙ୍କ ଆଲେଖ୍ୟ । ଆଜିର ଦିନରେ ଭାରତ ଓ ବିଶ୍ୱ ପାଇଁ କାହିଁକି ଗାନ୍ଧୀ ଜୀ ଜରୁରୀ ସେନେଇ ତାଙ୍କ ଦୃଷ୍ଟିଭଙ୍ଗୀ ରଖିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପ୍ରଧାନମନ୍ତ୍ରୀ କହିଛନ୍ତି ଗାନ୍ଧୀ ଜୀ ଏମିତି ଜଣେ ବ୍ୟକ୍ତିତ୍ୱ ଥିଲେ, ଯିଏ ଏମିତି ଏକ ବିଶ୍ୱର ପରିକଳ୍ପନା କରୁଥିଲେ, ଯେଉଁଠି ପ୍ରତ୍ୟେକ ବ୍ୟକ୍ତିର ମହତ୍ୱ ଥିବ ଓ ସେ ସମୃଦ୍ଧିଶାଳୀ ହୋଇଥିବ ।

ସବୁଠାରୁ ବଡକଥା ହେଉଛି ଦି ନ୍ୟୁୟର୍କ ଟାଇମ୍ସର ୱେବସାଇଟକୁ ଗଲେ ଫ୍ରଣ୍ଟ ପେଜ ବା ପ୍ରଥମ ପୃଷ୍ଠାରେ ହିଁ ଗାନ୍ଧୀଙ୍କ ସଂପର୍କରେ ମୋଦିଙ୍କ ଆଲେଖ୍ୟଟି ପ୍ରକାଶ ପାଇଛି । ଯାହା ବିଦେଶ ମାଟିରେ ଉଭୟ ଗାନ୍ଧୀ ଓ ମୋଦିଙ୍କ ଗୁରୁତ୍ୱକୁ ଦର୍ଶାଉଛି ବୋଲି କୁହାଯାଇପାରେ । ମୋଦି କହିଛନ୍ତି ଗାନ୍ଧୀଙ୍କ ପାଖରେ ଏମିତି କଳା ଥିଲା ଯେ ସମାଜରେ ବିଭିନ୍ନ ବର୍ଗ ଭିତରେ ସୃଷ୍ଟି ହେଉଥିବା ବିଭେଦକୁ ଯୋଡିବାରେ ସେ ସେତୁ ଭଳି କାମ କରୁଥିଲେ । ଏଥିପାଇଁ ଏକାଧିକ ଉଦାହରଣ ଦେଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି ।

୧୯୧୭ ବେଳକୁ ଗୁଜରାଟର ଅହମ୍ମଦାବାଦରେ ବୟନଶିଳ୍ପ କ୍ଷେତ୍ରରେ ବଡଧରଣର ଆନ୍ଦୋଳନ ଦେଖାଦେଲା । ମିଲ ମାଲିକ ଓ ଶ୍ରମିକଙ୍କ ଭିତରେ ବିବାଦ ଏତେ ବଢିଗଲା ଯେ, କେହି କାହାରି ଜିଦରୁ ଓହରିବାକୁ ରାଜି ନଥିଲେ । ଆଉ ସେତେବେଳେ ଗାନ୍ଧୀ ଜୀ ମଧ୍ୟସ୍ଥତା କରି ଉଭୟ ପକ୍ଷକୁ ସୁହାଇଲା ଭଳି ଏକ ବାଟ ବାହାର କଲେ । ଶ୍ରମିକ ମାନଙ୍କ ପାଇଁ ଗାନ୍ଧୀ ଜୀ ମଜଦୁର- ମହାଜନ- ସଂଘ ଗଢିଲେ । ସାଧାରଣରେ ଦେଖିଲେ ଏହା ଏକ ସଂଗଠନର ନାଁ ଭଳି ଲାଗୁଛି । କିନ୍ତୁ ଭଲଭାବେ ତର୍ଜମା କଲେ ଜଣାପଡିବ, କିଭଳି ଗୋଟିଏ ଛୋଟିଆ ପଦକ୍ଷେପ ମଧ୍ୟ ବଡ ପ୍ରଭାବ ପକାଇ ପାରିବ । କାରଣ ସେତେବେଳେ ସମାଜରେ ବିତଶାଳୀ ଲୋକଙ୍କୁ ମହାଜନ କୁହାଯାଉଥିଲା । ଏବଂ ମଜଦୁର ଅର୍ଥାତ ଶ୍ରମିକ ଶ୍ରେଣୀ । କିନ୍ତୁ ଶ୍ରମିକଙ୍କ ସହ ମହାଜନଙ୍କ ନାଁକୁ ଯୋଡି ସମାଜରେ ଥିବା ଏକ ବିରାଟ ବିଭେଦକୁ ଦୂର କରିବା ଲାଗି ପ୍ରୟାସ କରିଥିଲେ ଗାନ୍ଧୀ ଜୀ ।

ଛୋଟିଆ ଜିନିଷରେ ବଡ ରାଜନୈତିକ ପ୍ରଭାବ ସୃଷ୍ଟି କରିପାରୁଥିଲେ ଗାନ୍ଧୀ ଜୀ । ଚରଖାରେ ସୂତା ବୁଣି, ଖଦି ପିନ୍ଧିବାକୁ ଆହ୍ୱାନ ଦେଇ ଦେଶର ଅର୍ଥନୀତିରେ ବୈପ୍ଳବିକ ପରିବର୍ତନ ପାଇଁ ଜନ ଆନ୍ଦୋଳନ ତିଆରି କରିପାରିଥିଲେ । ଚିମୁଟାଏ ଲୁଣକୁ ନେଇ ଜନ ଆନ୍ଦୋଳନ ସୃଷ୍ଟି କରିପାରୁଥିଲେ ଗାନ୍ଧୀ । ଉପନିବେଶ ଶାସନ ସମୟରେ ଭାରତରେ ଲୁଣ ଉପରେ ଟିକସ ବସାଗଲା । ଏହାକୁ ବିରୋଧ କରି ଗାନ୍ଧୀ ଜୀଙ୍କ ନେତୃତ୍ୱରେ ୧୯୩୦ରେ ଦାଣ୍ଡି ଯାତ୍ରା ଆରମ୍ଭ ହେଲା । ଆରବ ସାଗର ଉପକୂଳରୁ ଚିମୁଟାଏ ଲୁଣକୁ ନେଇ ଗାନ୍ଧୀ ଜୀଙ୍କ ଆନ୍ଦୋଳନ ଐତିହାସିକ ଆଇନ ଅମାନ୍ୟ ଆନ୍ଦୋଳନର ରୂପନେଲା ।

ମୋଦି ଲେଖିଛନ୍ତି ଯେ, ଗାନ୍ଧୀଙ୍କ ଦୃଷ୍ଟିରେ ସ୍ୱାଧୀନତାର ଅର୍ଥ ଅନୁଶାସନହୀନ ନୁହେଁ । ରାଜନୈତିକ ସ୍ୱାଧୀନତା ଓ ବ୍ୟକ୍ତିର ସାମଗ୍ରିକ ବିକାଶ ଭିତରେ ଗଭୀର ସମ୍ପର୍କ ରହିଛି । ତେଣୁ ଗାନ୍ଧୀ ଏଭଳି ଏକ ବିଶ୍ୱର ପରିକଳ୍ପନା କରୁଥିଲେ, ଯେଉଁଠି ପ୍ରତ୍ୟେକ ବ୍ୟକ୍ତିର ମହତ୍ୱ ଥିବ ଓ ସେ ସମୃଦ୍ଧିଶାଳୀ ହୋଇଥିବ । ୟଙ୍ଗ ଇଣ୍ଡିଆରେ ଗାନ୍ଧୀ ଜୀ ଲେଖିଥିଲେ ଅଧିକାରର ମୂଳ ଉତ୍ସ ହେଉଛି ଦାୟିତ୍ୱ । ଯଦି ଆମେ ସମସ୍ତେ ଆମ ଦାୟିତ୍ୱ ଠିକରେ କରିବା, ତାହାହେଲେ ଆମ ଅଧିକାର ଆମକୁ ଆପେଆପେ ମିଳିଯିବ । ସାରା ବିଶ୍ୱ ଅଧିକାରର କଥା କହୁଥିବାବେଳେ ଗାନ୍ଧୀ ଜୀ ଦାୟିତ୍ୱର କଥା କହୁଥିଲେ ବୋଲି ମୋଦି ଲେଖିଛନ୍ତି । ତେଣୁ ଆମର ମାର୍ଗଦର୍ଶନ କରିବା ପାଇଁ ଗାନ୍ଧି ଜୀ ଜଣେ ଉତମ ଶିକ୍ଷକ । ମାନବିକତାରେ ବିଶ୍ୱାସ କରୁଥିବା ବ୍ୟକ୍ତିଙ୍କୁ ଏକାଠି କରିବାଠୁ ଆରମ୍ଭ କରି ନିରନ୍ତର ବିକାଶ ଓ ଅର୍ଥନୈତିକ ଆତ୍ମନିର୍ଭରଶୀଳ ହେବା ଯାଏଁ ଗାନ୍ଧୀ ଜୀଙ୍କ ପାଖରେ ସବୁ ସମସ୍ୟାର ସମାଧାନ ଥିଲା । ତେଣୁ ନୂଆ ନୂଆ ଉଦ୍ଭାବନ ଜରିଆରେ ଗାନ୍ଧୀବୀଦକୁ ଜୀବିତ ରଖିବା ଲାଗି ମୋଦି ଆହ୍ୱାନ ଦେଇଛନ୍ତି ।