୧୫ ତାରିଖରେ ମୋଦି-ନବୀନ ମୁକାବିଲା! ବଲାଙ୍ଗୀରରେ ମୋଦି, ବରମୁଣ୍ଡାରେ ନବୀନଙ୍କ ମେଗା ସୋ

174

କନକ ବ୍ୟୁରୋ : ଗୋଟିଏ ଦିନରେ ଦୁଇଟି ରାଜନୈତିକ ମେଗା ସୋ । ଆସନ୍ତା ୧୫ ତାରିଖରେ ପୁଣି ମୋଦି-ନବୀନ ମୁବାକିଲା । ବଲାଙ୍ଗୀରରେ ପ୍ରଧାନମନ୍ତ୍ରୀଙ୍କ ସମାବେଶ, ଭୁବନେଶ୍ୱର ବରମୁଣ୍ଡାରେ ମୁଖ୍ୟମନ୍ତ୍ରୀଙ୍କ ସରକାରୀ କାର୍ଯ୍ୟକ୍ରମ । ନିର୍ବାଚନ ବର୍ଷରେ ଲୋକଙ୍କ ପାଖରେ ପହଂଚିବା ପାଇଁ ଦୁଇ ପ୍ରମୁଖ ରାଜନୈତିକ ଦଳ ବିଜେଡି-ବିଜେପି ଭିତରେ ଜୋରଦାର ହୋଇଛି ରାଜନୈତିକ ପ୍ରତିଯୋଗିତା ।

ଜାନୁୟାରୀ ୫’ରେ ଯେଉଁ ଭଳି ରାଜନୀତିର ୨ଟି ମେଗା ସୋ’ ଦେଖିବାକୁ ମିଳିଥିଲା, ତା’ର ପୁନରାବୃତି ଘଟିବାକୁ ଯାଉଛି । ଜାନୁୟାରୀ ୧୫ ତାରିଖରେ ପୁଣି ହେବ ମୋଦି ନବୀନ ଲଢେଇ । ବଲାଙ୍ଗୀରରେ ମୋଦି ବିଭିନ୍ନ ଯୋଜନାର ଶୁଭାରମ୍ଭ ସହ ଦଳୀୟ ସମାବେଶ କରୁଥିବା ବେଳେ ଭୁବନେଶ୍ୱର ବରମୁଣ୍ଡା ପଡିଆରେ କୃଷକ କାର୍ଯ୍ୟକ୍ରମର ଉଦଘାଟନ କରିବେ ନବୀନ ପଟ୍ଟନାୟକ

ରାଜନୀତିର ଏହି ପ୍ରତିଦ୍ୱନ୍ଦିତା ଭିତରେ ଚର୍ଚ୍ଚା, କ’ଣ ରହିବ ମୋଦିଙ୍କ ଆଭିମୁଖ୍ୟ?ଖୋର୍ଦ୍ଧା ଓ ବାରିପଦା ଭଳି ନବୀନଙ୍କ ପ୍ରତି ମୋଦିଙ୍କ ଆଭିମୁଖ୍ୟ ନରମ ରହିବ ନା’ ବଲାଙ୍ଗୀରରେ ବଦଳିଯିବ ଷ୍ଟ୍ରାଟେଜି । ଏପଟେ କୃଷି କାର୍ଯ୍ୟକ୍ରମରେ କେନ୍ଦ୍ର ସରକାରଙ୍କୁ ପୁଣି ଟାର୍ଗେଟ୍ କରିବେ କି ନବୀନ ।

ଏଭଳି ପ୍ରଶ୍ନ ଏଥିପାଇଁ ଉଠୁଛି କାରଣ ବିଗତ ୫ଦିନ ଭିତରେ ଦେଶର ରାଜନୀତିରେ ଘଟି ଯାଇଛି ଅନେକ କିଛି ଘଟଣା । ସବର୍ଣ୍ଣ କୋଟା ପ୍ରସଙ୍ଗରେ ବିଜେଡି, ଏନଡିଏ ସରକାରକୁ ସମର୍ଥନ କରିଥିବାବେଳେ ମହାମେଂଟରେ ବିଜେଡି ସାମିଲ ହେବ ନାହିଁ ବୋଲି ବିଜେଡି ସୁପ୍ରିମୋ ସ୍ପଷ୍ଟ କରିସାରିଛନ୍ତି । ଏପଟେ ଓଡ଼ିଶାର ଦୁଇ କେନ୍ଦ୍ର ମନ୍ତ୍ରୀଙ୍କୁ ଛାଡି ଦେଲେ କେନ୍ଦ୍ର- ସ୍ତରୀୟ ବିଜେପି ନେତାଙ୍କ ମୁହଁରୁ ଶୁଣିବାକୁ ମିଳୁନି ବିଜେଡି ବିରୋଧୀ ସ୍ୱର । ଅପରପକ୍ଷରେ ବିଜେଡିର ଆକ୍ରମଣ କିନ୍ତୁ ଦୁଇ ଗୁଣିତ ହୋଇଯାଇଛି ।

ଏସବୁ ଭିତରେ କିନ୍ତୁ ଗୋଟିଏ ମାସ ଭିତରେ ମୋଦିଙ୍କ ତୃତୀୟଥର ଓଡ଼ିଶା ଗସ୍ତ, ଅନେକ କିଛି ବାର୍ତା ରଖୁଛି, ତାହା ପୁଣି ନିର୍ବାଚନ ବର୍ଷରେ । ପୂର୍ବଭାରତ ବିକାଶ କଥା କହି, ବିଜେପି, ବିଜେଡି ଗଡ଼ରେ ପଶିବାକୁ ବି ଉଦ୍ୟମ କରୁଛି ଏଥିରେ ବି ସନ୍ଦେହ ନାହିଁ ।