ଭାରତ ଓ ଜାପାନ ମଧ୍ୟରେ ଏଣିକି ମୁଦ୍ରା ହେବ ଅଦଳବଦଳ । ଦୁଇ ଦେଶରେ ମୁଦ୍ରାରେ ଦେଖାଯାଉଥିବା ଅସ୍ଥିରତା ହ୍ରାସ ପାଇବ

322

କନକ ବ୍ୟୁରୋ : ଭାରତ ଓ ଜାପାନ ମଧ୍ୟରେ ସୋମବାର ୭୫ ବିଲିଅନ ଡଲାରର ଦ୍ବିପାକ୍ଷିକ ମୁଦ୍ରା ଅଦଳବଦଳ ରାଜିନାମା ସ୍ବାକ୍ଷରିତ ହୋଇଯାଇଛି। ଏହି ରାଜିନାମା ଫଳରେ ବୈଦେଶିକ ମୁଦ୍ରା ବିନିମୟ ବଜାରରେ ଦୁଇ ଦେଶର ମୁଦ୍ରାରେ ଅସ୍ଥିରତା ହ୍ରାସ ପାଇବ। ଏଥିସହିତ ଷ୍ଟକ ବଜାରରେ ଦେଖାଦେଉଥିବା ଅସ୍ଥିରତା ମଧ୍ୟ କମିବ ବୋଲି ଆଶା କରାଯାଉଛି। ଏହି ରାଜିନାମା ଫଳରେ ଦୁଇ ଦେଶ ମଧ୍ୟରେ ଅର୍ଥନୈତିକ ସହଯୋଗ ଆହୁରି ସୁଦୃଢ଼ ଓ ବ୍ୟାପକ ହେବ। ଦୁଇ ଦିନିଆ ଜାପାନ ଗସ୍ତରେ ଯାଇଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ଅବସରରେ ଜାପାନୀ ପ୍ରତିପକ୍ଷ ସିଞ୍ଜୋ ଆବେଙ୍କ ସହିତ ପ୍ରତିନିଧି ମଣ୍ଡଳସ୍ତରୀୟ ଆଲୋଚନା କରିଛନ୍ତି।

 

ଏହି ପରିପ୍ରେକ୍ଷୀରେ ଦୁଇ ପ୍ରଧାନମନ୍ତ୍ରୀ ଦ୍ବିପାକ୍ଷିକଠାରୁ ଆରମ୍ଭ କରି ଆଞ୍ଚଳିକ ଓ ଅନ୍ତର୍ଜାତୀୟ ପ୍ରସଙ୍ଗ ଉପରେ ଆଲୋଚନା କରିଛନ୍ତି। ଏଥିରେ ଭାରତ ପ୍ରଶାନ୍ତ ମହାସାଗର ଅଞ୍ଚଳର ସ୍ଥିତି ଉପରେ ମଧ୍ୟ ଆଲୋଚନା କରାଯାଇଛି। ଦ୍ବିପାକ୍ଷିକ ମୁଦ୍ରା ଅଦଳବଦଳ ରାଜିନାମା ଫଳରେ ଭାରତ ଆବଶ୍ୟକ ସମୟରେ ନିର୍ଦ୍ଧାରିତ ହାରରେ ବିଦେଶୀ ପୁଞ୍ଜି ହାସଲ କରିପାରିବ। ତେବେ ଭାରତମହାସାଗରରେ ଜାପାନ ଓ ଭାରତ ମିଳିତ ଭାବରେ ସମରାଭ୍ୟାସ ମଧ୍ୟ କରିଛନ୍ତି । କେବଳ ଏତିକି ନୁହେଁ ବରଂ ଜାପାନର ସହାୟତାରେ ଭାରତରେ ବୁଲେଟ ଟ୍ରେନର ସ୍ୱପ୍ନ ମୋଦି ଦେଖୁଛନ୍ତି । ତେବେ ମିଳିଥିବା ସୂଚନା ଅନୁସାରେ ମୋଦିଙ୍କୁ ଜାପାନରେ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ମଧ୍ୟ ଦିଆଯାଇଛି ।