ଆମେରିକାରେ କିଶୋରଙ୍କୁ ଟିକା ଦେବାକୁ ଜରୁରୀକାଳିନ ଅନୁମତି ମାଗିଲା ମଡର୍ଣ୍ଣା : ୧୨ ରୁ ୧୭ ବର୍ଷ ବୟସ୍କଙ୍କ ଉପରେ ପରୀକ୍ଷଣର ଫଳାଫଳ ଆସିବା ପରେ ଆବେଦନ

81

କନକ ବ୍ୟୁରୋ : ଆମେରିକାରେ କିଶୋରମାନଙ୍କୁ ଟିକା ଦେବାକୁ ଜରୁରୀକାଳିନ ଅନୁମତି ମାଗିଲା ମଡର୍ଣ୍ଣା ଟିକା କମ୍ପାନୀ । ଆମେରିକାର ବାୟୋଟେକ୍ କମ୍ପାନୀ ମଡର୍ଣ୍ଣା ଆମେରିକାର ଫୁଡ ଆଣ୍ଡ ଡ୍ରଗ୍ସ ଆଡମିନିଷ୍ଟ୍ରେସନକୁ କିଶୋରମାନଙ୍କୁ ଜରୁରୀକାଳିନ ଭାବେ ଟିକା ଦେବାକୁ ଅନୁମତି ମାଗିଛି ।

ଏହି ଟିକା କିଶୋରମାନଙ୍କ ଉପରେ କେମିତି କାମ କରୁଛି, ଏହାର ପାଶ୍ୱର୍ ପ୍ରତିକ୍ରିୟା କଣ ରହୁଛି, ଏହା ଜାଣିବା ପାଇଁ, ପୂର୍ବରୁ ୩୭୦୦, ୧୨ ରୁ ୧୭ ବର୍ଷ ବୟସ୍କଙ୍କୁ ଟିକାର ଦୁଇଟି ଡୋଜ୍ ଦିଆଯାଇଥିଲା । ମେ ମାସରେ ଏହାର ଫଳାଫଳ ଆସିଥିଲା ।ଫଳାଫଳରୁ ଜଣାପଡିଥିଲା ଟିକାର ଦୁଇଟି ଡୋଜ୍ କୋଭିଡ୍ -୧୯ ଭୂତାଣୁ ସଂକ୍ରମଣକୁ ପ୍ରତିରୋଧ କରିବାରେ ବେଶ୍ ପ୍ରଭାବି ଓ ସୁରକ୍ଷିତ । ଏନେଇ ସୂଚନା ଦେଇ କମ୍ପାନୀ ସିଇଓ ଷ୍ଟିଫାନ ବାନସେଲ, କହିଛନ୍ତି ଟିକାର ଦୁଇଟି ଡୋଜ୍ ନେବା ପରେ ଏହା ଶହେ ପ୍ରତିଶତ ପ୍ରଭାବି ହେଉଛି ।

ପୂର୍ବରୁ ଆମେରିକାରେ ୧୨ ରୁ ୧୫ବର୍ଷ ବୟସ୍କଙ୍କ ପାଇଁ ଫାଇଜର ଟିକା ବ୍ୟବହାର ଅନୁମତି ଦେଇସାରିଛି ଏଫଡିଏ । ତୃତୀୟ ଲହରରେ ୧୮ ବର୍ଷରୁ କମ୍ ବୟସ୍କ ଅଧିକ ସଂକ୍ରମିତ ହେବା ଆଶଙ୍କା କରାଯାଉଛି । ଏହାକୁ ଆଖି ଆଗରେ ରଖି ଆମେରିକାରେ ଏହି ବର୍ଗର ଟିକାକରଣକୁ ଏବେ ଗୁରୁତ୍ୱ ଦିଆଯାଉଛି ।