ମୋବାଇଲ ବ୍ୟବହାରକାରୀଙ୍କ ଉପରେ ପଡିପାରେ ମହଙ୍ଗା ମାଡ । ଟାରିଫ୍ ପ୍ଲାନର ଦର ବୃଦ୍ଧି କରିବାକୁ ପ୍ରସ୍ତୁତ ହେଉଛନ୍ତି ଟେଲିକମ୍ କମ୍ପାନୀ । ଏପ୍ରିଲ ପହିଲାରୁ ହୋଇପାରେ ଲାଗୁ ।

369

କନକ ବ୍ୟୁରୋ : ଦେଶରେ କେବଳ କରୋନାର ପ୍ରାର୍ଦୁଭାବ କମିଛି । ହେଲେ ସମସ୍ତ ନିତ୍ୟାବଶକୀୟ ସାମଗ୍ରୀର ଦର ହୁ ହୁ ହୋଇ ବଢିବାରେ ଲାଗିଛି । ବିଶେଷ ଭାବେ ରୋଷେଇ ଗ୍ୟାସ ଓ ପେଟ୍ରୋଲ ଡିଜେଲର ଦର ଏବେ ଆକାଶଛୁଆଁ ହୋଇଛି । ଏନେଇ ଗ୍ରାହକ ମାନଙ୍କ ପକେଟ୍ ଉପରେ ସିଧା ମାଡ ହେଉଥିବା ବେଳେ କିଛିବର୍ଷ ହେବ ଅତ୍ୟାବଶକୀୟ ସାମଗ୍ରୀ ସହିତ ଯୋଡି ହୋଇଥିବା ମୋବାଇଲ ସେବାର ଦର ପୁଣି ଟେଲିକମ୍ କମ୍ପାନୀ ମାନେ ବୃଦ୍ଧି କରିବାକୁ ପ୍ରସ୍ତୁତ ହେଉଥିବା ସୂଚନା ମିଳିଛି ।

ଆସନ୍ତା ୨୦୨୧-୨୨ ଆର୍ଥିକ ବର୍ଷ ଠାରୁ ମୋବାଇଲର ଟାରିଫ୍ ପ୍ଲାନ ବଢିବାର ସମ୍ଭାବନା ଦେଖା ଦେଇଛି । ଏହି ବର୍ଦ୍ଧିତ ମୂଲ୍ୟ ଚଳିତ ବର୍ଷ ଏପ୍ରିଲ ପହିଲାରୁ ଲାଗୁ ହୋଇପାରେ ବୋଲି ଇନଭେଷ୍ଟମେଣ୍ଟ ଇନଫରମେଶନ୍ ଆଣ୍ଡ କ୍ରେଡିଟ୍ ରେଟିଂ ଏଜେନ୍ସି ପକ୍ଷରୁ ପ୍ରକାଶିତ ଏକ ରିପୋର୍ଟରେ ସୂଚନା ଦିଆଯାଇଛି । ଏଥିରେ ଦର୍ଶାଯାଇଛି କି ମୋବାଇଲ ଅପରେଟର କମ୍ପାନୀ ମାନେ ୨ ଜି ସେବାକୁ ୪ ଜି ରେ ଅପଗ୍ରେଡ କରିବା ଦ୍ୱାରା ବ୍ୟବହାରକାରୀଙ୍କ ଉପରେ ହାରାହାରି ରାଜସ୍ୱ ବୋଝ ଲଦି ହେବ ବୋଲି ଏଥିରେ ଦର୍ଶା ଯାଇଛି ।

ଟେଲିକମ୍ କମ୍ପାନୀ ଗୁଡିକ ଏଭଳି ପଦକ୍ଷେପ ନେବା ଦ୍ୱାରା ଆସନ୍ତା ୨ ବର୍ଷ ମଧ୍ୟରେ ରାଜସ୍ୱରେ ୧୧ ରୁ ୧୩ ପ୍ରତିଶତ ବୃଦ୍ଧି ଘଟିପାରେ ବୋଲି ଅନୁମାନ କରାଯାଉଛି । ସେହିପରି ୨୦୨୨ ଆର୍ଥିକ ବର୍ଷରେ ଅପରେଟିଂ ମାର୍ଜିନରେ ୩୮ ପ୍ରତିଶତ ବୃଦ୍ଧି ହେବା ନେଇ ସମ୍ଭାବନା ଦେଖା ଦେଇଛି ।