ମନ୍ତ୍ରୀଙ୍କ ଆଗରେ ମୁହାଁମୁହିଁ ହେଲେ ବିଧାୟକ ଓ ଜିଲ୍ଲାପାଳ । ଜିଲ୍ଲା ପରିଷଦ ବୈଠକରେ କଣ୍ଟାବାଞ୍ଝି ବିଧାୟକ ଓ ବଲାଙ୍ଗୀର ଜିଲ୍ଲାପାଳଙ୍କ ମଧ୍ୟରେ କଥା କଟାକଟି ।

174

କନକ ବ୍ୟୁରୋ: ବଲାଙ୍ଗୀର ଜିଲ୍ଲା ପରିଷଦ ବୈଠକରେ ମନ୍ତ୍ରୀଙ୍କ ଉପସ୍ଥିତିରେ ମୁହାଁମୁହିଁ ହୋଇଛନ୍ତି କଣ୍ଟାବାଞ୍ଝି ବିଧାୟକ ଓ ଜିଲ୍ଲାପାଳ । ବଲାଙ୍ଗୀର ଜିଲ୍ଲାପାଳ ମନଇଛା କାମ କରୁଥବା ଅଭିଯୋଗ କରିବା ସହ ବୈଠକରେ ହଙ୍ଗାମା କରିଛନ୍ତି ବିଧାୟକ । ତେବେ ବିଧାୟକଙ୍କ ଅଭିଯୋଗକୁ ଖଣ୍ଡନ କରିଛନ୍ତି ଜିଲ୍ଲାପାଳ ।

  • ବିଧାୟକ ଓ ଜିଲ୍ଲାପାଳ ମୁହାଁମୁହିଁ
  • ଅନୁଦାନ କାଟି ଦେଉଥିବା ଅଭିଯୋଗ

ଜିଲ୍ଲା ପରିଷଦ ବୈଠକରେ ମୁହାଁମୁହିଁ ହୋଇଛନ୍ତି ବଲାଙ୍ଗୀର ଜିଲ୍ଲାପାଳ ଓ କଣ୍ଟାବାଞ୍ଝି ବିଧାୟକ ସନ୍ତୋଷ ସିଂ ସାଲୁଜା । କଣ୍ଟାବାଞ୍ଝି ନିର୍ବାଚନ ମଣ୍ଡଳୀର ବ୍ଲକଗୁଡିକୁ ଆସୁଥିବା ବିଭିନ୍ନ ଯୋଜନାର ଅନୁଦାନ କାହିଁକି କଟାଯାଉଛି ପଚାରିବା ସହ ହଙ୍ଗାମା କରିଛନ୍ତି ବିଧାୟକ । କହିଛନ୍ତି, ବଲାଙ୍ଗୀର ଜିଲ୍ଲାପାଳ ନିଜ ଅନୁସାରେ ଶାସନ ଚଳାଇଛନ୍ତି । ତାଙ୍କ ହିସାବରେ ପ୍ରୋଜେକ୍ଟ ଦେଉଛନ୍ତି । ଯେଉଁ ପ୍ରୋଜେକ୍ଟ ଲୋକଙ୍କ ସ୍ୱାର୍ଥରେ ଲାଗିବା କଥା, ସେ ନିଜ ଇଛାରେ କାର୍ଯ୍ୟରେ ଲଗାଉଛନ୍ତିି । ଲୋକଙ୍କ ପ୍ରତିନିଧିଙ୍କୁ ଜିଲ୍ଲାପାଳ ଗୁରୁତ୍ୱ ଦେଉନାହାଁନ୍ତି ।

ତେବେ ଏହି ବୈଠକରେ ଉପସ୍ଥିତ ଥିବା ମନ୍ତ୍ରୀ ଟୁକୁନି ସାହୁ, ସନ୍ତୋଷ ସିଂ ସାଲୁଜାଙ୍କୁ ବୁଝାଇବାକୁ ଚେଷ୍ଟା କରିଥିଲେ । ତା ପରେ ବିଧାୟକ ନିଜ ଆସନରେ ବସିଥିବା ଦେଖାଯାଇଥିଲା । ଆଉ ବୈଠକ ପରେ ମନ୍ତ୍ରୀ ଟୁୁକୁନି ସାହୁ କହିଛନ୍ତି, ମିଳିମିଶି ରହିଲେ ବିକାଶ ହୋଇଥାଏ । ଅନ୍ୟପଟେ ବିଧାୟକ ସନ୍ତୋଷ ସିଂ ସାଲୁଜା ଯେଉଁ ଅଭିଯୋଗ ଆଣିଛନ୍ତି ତାକୁ ଖଣ୍ଡନ କରିଛନ୍ତି ଜିଲ୍ଲାପାଳ । କହିଛନ୍ତି, ସମସ୍ତ ପାଣ୍ଠିର ବିନିଯୋଗ ଠିକ୍ ଭାବରେ ହେଉଛି । କିନ୍ତୁ ଜଣେ ଜନ ପ୍ରତିନିଧି ହିସାବରେ ବିଧାୟକ ତାଙ୍କ କଥା ରଖିଛନ୍ତି ।

ପ୍ରଶାସନିକ ଅଧିକାରୀମାନେ ନିର୍ବାଚିତ ଜନ ପ୍ରତିନିଧିଙ୍କ କଥାକୁ ଅଣଦେଖା କରୁଥିବା ଓ ନିଜ ଇଛାରେ ନିଷ୍ପତି ନେଉଥିବା କଥା ନୂଆ ନୁହେଁ । ପୂର୍ବରୁ ମଧ୍ୟ ବିଭିନ୍ନ ସ୍ଥାନରୁ ସମାନ ଅଭିଯୋଗ ଆସିଛି । ଅଭିଯୋଗ ଆସିବା ପରେ ପ୍ରଶାସନିକ ଅଧିକାରୀମାନଙ୍କୁ ବୁକ୍ ସର୍କୁଲାର ୪୭ ମାନିବାକୁ କୁହାଯାଇଛି ।