ଯେବେ ଜନତା ମାଗେ ଜବାବ ! ବିଧାୟକଙ୍କ ଗାଡି ଚାବି ଛଡାଇନେଲେ, କାଦୁଅ ରାସ୍ତାରେ ଚଳାଇଲେ

69

କନକ ବ୍ୟୁରୋ : ରାସ୍ତା କରିନାହଁ, କାଦୁଅରେ ଚାଲ । ଏହାଥିଲା ଦୀର୍ଘଦିନ ଧରି ସ୍ଥାନୀୟ ଲୋକଙ୍କ ମଧ୍ୟରେ ମନରେ ଥିବା ଆକ୍ରୋଶର ପ୍ରତିଫଳନ । ଆଉ ଲୋକଙ୍କ ଏହି ଆକ୍ରୋଶ ଯୋଗୁଁ ବାଲିକୁଦା-ଏରସମା ବିଧାୟକ ପ୍ରଶାନ୍ତ ମୁଦୁଲିଙ୍କୁ ବେଶ ହଟାହଟା ହେବାକୁ ପଡିଥିଲା । ବାଧ୍ୟ ହୋଇ କାଦୁଆ ରାସ୍ତାରେ ଚାଲିଥିଲେ ବିଧାୟକ । ଯାହା ଏବେ ବାଲିକୁଦା-ଏରସମା ଅଂଚଳରେ ବେଶ ଚର୍ଚ୍ଚା ସୃଷ୍ଟି କରିଛି । ଅନ୍ଧାରୀ ପଂଚାୟତ ଗଣ୍ଡମୁଣ୍ଡା ଗାଁ ଲୋକେ ଘଂଟାଏରୁ ଅଧିକ ସମୟ ଧରି ବିଧାୟକଙ୍କୁ ଘେରି ରହିଥିଲେ । ଏପରିକି କଥା ଗାଡ଼ି ଛଡ଼ାଇବା ପର୍ଯ୍ୟନ୍ତ ଯାଇଥିଲା । ୧୦ ବର୍ଷ ଧରି ଦାବି ହେଉଥିଲେ ବି କାଦୁଅ ରାସ୍ତା କଂକ୍ରିଟ୍ ହେଉନଥିବାରୁ ଲୋକଙ୍କ ରାଗ ପଂଚମକୁ ଉଠିଯାଇଥିଲା । ଉତେଜିତ ଲୋକେ ବିଧାୟକଙ୍କୁ ସେହି ରାସ୍ତାରେ ଚଲାଇ ଚଲାଇ ନେଇଥିଲେ । ଯାହାର ଭିଡିଓ ଏବେ ସାମ୍ନାକୁ ଆସିଛି ।

ସପ୍ତାହେ ତଳେ ହୋଇଥିବା ଏହି ଭିଡିଓ ଏବେ ବାଲିକୁଦା-ଏରସମା ଅଂଚଳରେ ଭାଇରାଲ ହୋଇଛି । ସ୍ଥାନୀୟ ଲୋକଙ୍କ କହିବା କଥା ୨୦୦୯ ନିର୍ବାଚନ ସମୟରେ ରାସ୍ତା ନିର୍ମାଣ ନେଇ ପ୍ରତିଶ୍ରୁତି ଦେଇଥିଲେ ବିଧାୟକ । ହେଲେ ୫ ବର୍ଷ ପରେ ପ୍ରତିଶ୍ରୁତି ପୂରଣ କରିପାରିନଥିଲେ । ୨୦୧୪ ନିର୍ବାଚନ ବେଳେ ମଧ୍ୟ ସମାନ ପ୍ରତିଶ୍ରୁତି ଦୋହରାଇଥିଲେ । ହେଲେ ଏପର୍ଯ୍ୟନ୍ତ ଏହି ରାସ୍ତା ହୋଇପାରିନାହିଁ । ଲୋକେ ଏ ନେଇ ବିଧାୟକଙ୍କୁ ଜଣାଇଥିଲେ ମଧ୍ୟ କୌଣସି ସୁଫଳ ମିଳିନଥିଲା । ଯାହାର ପ୍ରତିବାଦ କରିଥିଲେ ଗ୍ରାମବାସୀ । ତେବେ ଏ ସଂପର୍କରେ ବିଧାୟକ ପ୍ରଶାନ୍ତ ମୁଦୁଲିଙ୍କ ପ୍ରତିକ୍ରିୟା ମିଳି ପାରିନାହିଁ ।