ଜମ୍ମୁ-କାଶ୍ମୀରରେ ଭାଙ୍ଗିଲା ମେଣ୍ଟ ସରକାର, ଅଧା ବାଟରେ ପିଡ଼ିପି ହାତ ଛାଡ଼ିଲା ବିଜେପି ! ଜାଣନ୍ତୁ ଏବେ କେଉଁ ଦଳ ପାଖରେ ରହିଛନ୍ତି କେତେ ବିଧାୟକ

33

ଜମ୍ମୁ-କାଶ୍ମୀର ରାଜନୀତିରେ ବଡ଼ଧରଣର ଭୂକମ୍ପ ସୃଷ୍ଟି ହୋଇଛି । ଜାମ୍ମୁକାଶ୍ମୀରରେ ଭାଙ୍ଗିଲା ମେଂଟ ସରକାର । ପିଡିପିଠାରୁ ସମର୍ଥନ ପ୍ରତ୍ୟାହାର କଲା ବିଜେପି । ଏନେଇ ରାଜ୍ୟପାଳଙ୍କୁ ଅବଗତ କରିଛି ଭାରତୀୟ ଜନତା ପାର୍ଟି । ବିଜେପି ସମର୍ଥନ ପ୍ରତ୍ୟାହାର କରିବା ପରେ ଜାମ୍ମୁକାଶ୍ମୀର ସରକାର ଅଳ୍ପମତକୁ ଖସି ଆସିଛି । ଏହାସହ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ମେହବୁବା ମୁଫତି । ରାଜ୍ୟପାଳଙ୍କୁ ଭେଟି ନିଜର ଇସ୍ତଫା ଦେଇଛନ୍ତି ମେହବୁବା ।

୨୦୧୪ରେ ହୋଇଥିବା ଜମ୍ମୁ-କାଶ୍ମୀର ବିଧାନସଭା ନିର୍ବାଚନରେ ପିଡ଼ିପିର ୨୮ ଜଣ ସଦସ୍ୟ ଜିତିଥିବା ବେଳେ ବିଜେପିର ୨୫ ଜଣ ବିଧାୟକ ଜିତିଥିଲେ । କୌଣସି ଦଳକୁ ବହୁମତ ମିଳିନଥିବାରୁ ବିଜେପି-ପିଡ଼ିପି ମେଣ୍ଟ କରି ସରକାର ଗଠନ କରିଥିଲେ । ଏବଂ ଏହି ମେଣ୍ଟ ସରକାରରେ ମୁଖ୍ୟମନ୍ତ୍ରୀ ହୋଇଥିଲେ ମେହବୁବା ମୁଫତି । କିନ୍ତୁ ଏବେ ମେଣ୍ଟ ସରକାରରୁ ବିଜେପି ଓହରିଯିବା ଫଳରେ ଜମ୍ମୁ କାଶ୍କୀରରେ ପିଡ଼ିପିକୁ ଏକ ବଡ଼ ଧରଣର ଝଟକା ଲାଗିଛି । ତେବେ ଜମ୍ମୁ କାଶ୍ମୀରରେ ଏବେ କଣ ସ୍ଥିତି ରହିଛି ଆସନ୍ତୁ ଜାଣିବା ।

ଜମ୍ମୁ-କାଶ୍ମୀର ବିଧାନସଭା
ମୋଟ ସିଟ୍-୮୯
ମ୍ୟାଜିକ ନମ୍ବର : ୪୪
ପିଡ଼ିପି : ୨୮
ବିଜେପି : ୨୫
ନ୍ୟାସନାଲ କନଫରେନ୍ସ : ୧୫
କଂଗ୍ରେସ : ୧୨
ଅନ୍ୟ: ୯

ତେଣୁ ଏଭଳି ସ୍ଥିତିରେ କୌଣସି ଦଳ ଏକାକୀ ସରକାର ଗଢ଼ିବାକୁ ସକ୍ଷମ ନୁହେଁ । ଯାହା କାଶ୍ମୀର ରାଜନୀତିରେ ଏବେ ଗୋଳମାଳିଆ ପରିସ୍ଥିତି ସୃଷ୍ଟି କରିଛି । ମେଣ୍ଟ ସରକାରରୁ ଓହରିବା ପୂର୍ବରୁ ଆଜି ବିଜେପି ନେତାଙ୍କୁ ରାଷ୍ଟ୍ରୀୟ ସଭାପତି ଅମିତ ଶାହା ଭେଟିଥିଲେ । ରମଜାନ ପରେ ଆତଙ୍କ ବିରୋଧୀ ଅପରେସନ ଆରମ୍ଭ ହେବାକୁ ନେଇ କେନ୍ଦ୍ରର ନିଷ୍ପତି ପରେ ଦୁଇଦଳ ମଧ୍ୟରେ ତିକ୍ତତା ଦେଖାଦେଇଥିଲା । ଏହାପୂର୍ବରୁ ଆସିଫା ଗଣଦୁଷ୍କର୍ମ ମାମଲାରେ ମଧ୍ୟ ବିଜେପି-ପିଡ଼ିପି ମେଣ୍ଟ ମଧ୍ୟରେ ଫାଟ ଦେଖା ଦେଇଥିଲା । ଯାହାକୁ ନେଇ ବୈଠକରେ ମେଣ୍ଟ ଭାଙ୍ଗିବାକୁ ନିଷ୍ପତି ନିଆଯାଇଥିଲା । ବିଜେପି ନେତାଙ୍କୁ ଭେଟିବା ପୂର୍ବରୁ ଅମିତ ଶାହା ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡ଼ୋଭାଲଙ୍କୁ ଭେଟିଥିଲେ ।