ହାଇକୋର୍ଟଙ୍କ ହାତରେ ବିଧାୟକ ମହମ୍ମଦ ମୋକିମଙ୍କ ରାଜନୈତିକ କ୍ୟାରିୟର । ଭିଜିଲାନ୍ସ କୋର୍ଟଙ୍କ ଦଣ୍ଡାଦେଶ ଉପରେ ରହିତାଦେଶ ପାଇଁ ହାଇକୋର୍ଟରେ ଆବେଦନ ।

136

କନକ ବ୍ୟୁରୋ: ଓଏଚଆରଡିସି ଋଣ ସ୍କାମରେ ଦୋଷୀ ସାବ୍ୟସ୍ତ ହେବା ପରେ ମହମ୍ମଦ ମୋକିମଙ୍କ ଅଡୁଆ ବଢିଛି । ଭିଜିଲାନ୍ସ କୋର୍ଟଙ୍କ ରାୟ ବିରୋଧରେ ହାଇକୋର୍ଟ ଯାଇଛନ୍ତି କଂଗ୍ରେସ ବିଧାୟକ । ଦଣ୍ଡାଦେଶ ଉପରେ ରହିତାଦେଶ ପାଇଁ ଆବେଦନ କରିଛନ୍ତି ମାକିମ୍ । ଏବେ ହାଇକୋର୍ଟଙ୍କ ରାୟ ଉପରେ ନିର୍ଭର କରୁଛି ମୋକିମଙ୍କ ରାଜନୈତିକ ଭବିଷ୍ୟତ ।

  • ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ମହମ୍ମଦ ମୋକିମ
  • ଦଣ୍ଡାଦେଶ ଉପରେ ରହିତାଦେଶ ପାଇଁ ଆବେଦନ

ଭୁବନେଶ୍ୱର ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟଙ୍କ ରାୟ ବିରୋଧରେ ହାଇକୋର୍ଟ ଯାଇଛନ୍ତ କଟକ ବାରବାଟି ବିଧାୟକ ମହମ୍ମଦ ମୋକିମ । ଦଣ୍ଡାଦେଶ ଉପରେ ରହିତାଦେଶ ପାଇଁ ଆବେଦନ କରିଛନ୍ତି ମୋକିମ୍ । ଓଆରଏଚଡିସି ଦୁର୍ନୀତି ମାମଲାରେ ଭିଜିଲାନ୍ସ କୋର୍ଟ ତାଙ୍କୁ ୩ ବର୍ଷ ଜେଲ ସହ ଜୋରିମାନାରେ ଦଣ୍ଡିତ କରିଛନ୍ତି । ଭିଜିଲାନ୍ସ କୋର୍ଟର ଏହି ଦଣ୍ଡକୁ ଖାରଜ ପାଇଁ ଅନୁରୋଧ କରିଛନ୍ତି ବାରବାଟୀ ବିଧାୟକ ।

ବରିଷ୍ଠ ଆଇନଜୀବୀଙ୍କ କହିବା ଅନୁସାରେ ହାଇକୋର୍ଟଙ୍କ ରାୟ ଉପରେ ମୋକିମଙ୍କ ରାଜନୈତିକ ଭବିଷ୍ୟତ ନିର୍ଭର କରୁଛି । ହାଇକୋର୍ଟଙ୍କ ପକ୍ଷରୁ ରହିତାଦେଶ ମିଳିଲେ ହିଁ କଟକ ବାରବାଟୀ ବିଧାୟକ ମହମ୍ମଦ ମୋକିମଙ୍କ ବିଧାୟକ ପଦ ରହିବ ।

  • ମୋକିମଙ୍କ ବଢୁଛି ଅଡୁଆ
  • ରଦ୍ଦ ହେବ କି ବିଧାୟକ ପଦ?

ଜେଲ୍ ଦଣ୍ଡାଦେଶ ପରେ କଣ ହେବ ବିଧାୟକ ମହମ୍ମଦ ମୋକିମଙ୍କ ଭାଗ୍ୟ, ତାହାକୁ ନେଇ ଦ୍ୱନ୍ଦ ଲାଗି ରହିଥିଲା । ମୋକିମଙ୍କ ବିଧାୟକ ପଦ ରଦ୍ଦ ହେବା ନେଇ ଆଶଙ୍କା ଦେଖାଦେଇଛି । ‘ଓଆରଏଚଡିସି’ ତଥା ଓଡିଶା ଗ୍ରାମ୍ୟ ଗୃହ ଉନ୍ନୟନ ନିଗମର ଋଣ ସ୍କାମରେ ମୋକିମଙ୍କୁ ଦୋଷୀ ସାବ୍ୟସ୍ତ କରି ୩ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି ଭିଜିଲାନ୍ସ କୋର୍ଟ । ୨୦୦୦ ମସିହାର ଏହି ଦୁର୍ନୀତି ମାମଲାରେ ମୋକିମ୍ ଦୋଷୀ ସାବ୍ୟସ୍ତ ହେବା ପରେ ତାଙ୍କ ବିଧାୟକ ପଦ ରଦ୍ଦ ହେବାର ସମ୍ଭାବନା ରହିଛି । କାରଣ ‘ରିପ୍ରେଜେଂଟେସନ୍ ଅଫ୍ ପିପୁଲ ଆକ୍ଟ’ ୧୯୫୧ରେ ଏହି ପ୍ରାବଧାନ ନେଇ ଉଲ୍ଲେଖ ରହିଛି । କିନ୍ତୁ ଏବେ ସବୁ କିଛି ହାଇକୋର୍ଟଙ୍କ ହାତରେ ।