କନକ ବ୍ୟୁରୋ : ବ୍ରହ୍ମପୁର ଏମକେସିଜିରେ ବିରଳ ଅସ୍ତ୍ରୋପଚାର । ପାଖାପାଖି ୫ ଘଣ୍ଟାର ପରିଶ୍ରମ ପରେ ମଳଦ୍ୱାରରୁ ବାହାରିଲା ଶାବଳ । ଆଉ ଅଳ୍ପକେ ମୃତ୍ୟୁମୁଖରୁ ବଞ୍ଚିଯାଇଛନ୍ତି କନ୍ଧମାଳ ଜିଲ୍ଲା କୋଟଗଡ଼ ଥାନ ସୁବର୍ଣ୍ଣଗିରିର ସନାତନ ପାଟଗୁରୁଙ୍କ ପୁଅ ଶକ୍ତି ପାଟଗୁରୁ । ଶନିବାର ନିକଟସ୍ଥ ସ୍କୁଲର ଭଙ୍ଗା ଘର ଚାଲିଥିଲା ବେଳେ ଶକ୍ତିଙ୍କ ମଳଦ୍ୱାରରେ ଶାବଳ ପଶିଯାଇଥିଲା । ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା ।

Advertisment

ତେବେ ଅବସ୍ଥା ସଂକଟାପନ୍ନ ହେବାରୁ ଏମକେସିଜି ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ଶକ୍ତିଙ୍କ ଏକ୍ସରେ କରାଯିବା ପରେ ଶାବଳଟି କେତେ ଦୂର ଶରୀର ଭିତରେ ପ୍ରବେଶ କରିଛି, ସେହି ଅନୁସାରେ ଅପରେସନ୍ ପାଇଁ ନିଷ୍ପତ୍ତି ନିଆଯାଇଥିଲା । ସର୍ଜରୀ ବିଭାଗର ୫ଜଣ ଡାକ୍ତର ଏବଂ ନିଶ୍ଚେତକ ବିଭାଗର ୫ଜଣ ଡାକ୍ତରଙ୍କୁ ନେଇ ହୋଇଥିଲା ଅପରେସନ୍ । ସନ୍ଧ୍ୟା ପ୍ରାୟ ୮ଟା ବେଳେ ଅପରେସନ୍ ରାତି ୧୨ଟାରେ ଶେଷ ହୋଇଥିଲା । ଆଉ ଶକ୍ତିଙ୍କ ଶରୀରରେ ପଶିଥିବା ଶାବଳକୁ ସୁରକ୍ଷିତ ଭାବେ ବାହାର କରାଯାଇଥିଲା । ଅପରେସନ୍ ପରେ ଶକ୍ତିଙ୍କୁ ଆଇସିୟୁରେ ରଖାଯାଇଛି ।

ଡାକ୍ତରଙ୍କ କହିବା ଅନୁସାରେ, ଯଦି ଶାବଳଟି ମେରୁଦଣ୍ଡ କିମ୍ବା ଅନ୍ୟ କୌଣସି ଗୁରୁତ୍ୱପୂର୍ଣ୍ଣ ଅଙ୍ଗକୁ ସ୍ପର୍ଶ କରିଥାନ୍ତା, ତେବେ ଶକ୍ତିଙ୍କ ଅବସ୍ଥା ସଂକଟାପନ୍ନ ହୋଇପାରିଥାନ୍ତା । କିନ୍ତୁ ଏବେ ସେ ସମ୍ପୂର୍ଣ୍ଣ ବିପଦମୁକ୍ତ ଥିବା ଡାକ୍ତର କହିଛନ୍ତି । ଏମକେସିଜି ସର୍ଜରୀ ବିଭାଗର ବରିଷ୍ଠ ଡାକ୍ତରଙ୍କ ଦ୍ୱାରା କରାଯାଇଥିବା ଏହି ସଫଳ ଅପରେସନକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି ।