ଆହୁରି ସଶକ୍ତ ହେବ ମିସନ ଶକ୍ତି । ସବୁ ପଞ୍ଚାୟତରେ ଖୋଲିବ ମିସନ ଶକ୍ତିି ଭବନ । ୫ ବର୍ଷରେ ଖର୍ଚ୍ଚ ହେବ ପ୍ରାୟ ୫ ହଜାର କୋଟି
କନକ ବ୍ୟୁରୋ: ମହିଳା ଭୋଟ ବ୍ୟାଙ୍କ ସବୁବେଳେ ବିଜେଡିର ଶକ୍ତି ହୋଇ ରହିଆସିଛି । ବିଜେଡି ନିର୍ବାଚନ ଜିତିବା ପଛରେ ମହିଳା ଭୋଟ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥିବା କୁହାଯାଏ । ଏପରି ସ୍ଥିତିରେ ଆଗାମୀ ୫ ବର୍ଷ ଭିତରେ ମିସନ ଶକ୍ତି ଯୋଜନାରେ ସ୍ୱୟଂ ସହାୟିକା ଗୋଷ୍ଠୀଗୁଡିକୁ ୫ ହଜାର କୋଟି ଟଙ୍କାର ବ୍ୟାଙ୍କ ଋଣ ଦିଆଯିବ । ଏ ନେଇ ରାଜ୍ୟ ସରକାର ଗତକାଲି କ୍ୟାବିନେଟରେ ନିଷ୍ପତି ନେଇଛନ୍ତି । ତେବେ ବିରୋଧୀ କହିଛନ୍ତି ନିର୍ବାଚନ ଆସିଲେ ସରକାରଙ୍କର ମହିଳା କଥା ମନେପଡେ ।
Kanak News is now on WhatsApp
Join and get latest news updates delivered to you via WhatsApp
ବିଜେଡି ଫୋକସରେ ମହିଳା । ମହିଳା ସଶକ୍ତିକରଣ ଦିଗରେ ବୈପ୍ଳବିକ ପରିବର୍ତ୍ତନ ଆଣିଥିବା ମିଶନ ଶକ୍ତିକୁ ଆହୁରି ମଜବୁତ କରିବା ପାଇଁ ରାଜ୍ୟ ସରକାର ବୁଧବାର ବସିଥିବା ରାଜ୍ୟ କ୍ୟାବିନେଟରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି । ଏହି ଯୋଜନାରେ ଆସନ୍ତା ୫ବର୍ଷରେ ୪ହଜାର ୯୭୩କୋଟି ଟଙ୍କା ଖର୍ଚ୍ଚ କରିବାକୁ ଲକ୍ଷ୍ୟ ରଖିଛନ୍ତି ରାଜ୍ୟ ସରକାର ।
- ଆହୁରି ସଶକ୍ତ ହେବ ମିସନ ଶକ୍ତି
- ସବୁ ପଞ୍ଚାୟତରେ ଖୋଲିବ ମିସନ ଶକ୍ତିି ଭବନ
କ୍ୟାବିନେଟରେ ନିଆଯାଇଥିବା ନିଷ୍ପତି ଅନୁସାରେ ମହିଳାଙ୍କ ବିକାଶ ପାଇଁ ପ୍ରତି ପଞ୍ଚାୟତ ଓ ସହରାଞ୍ଚଳର ପ୍ରତି ୱାର୍ଡରେ ମିଶନ ଶକ୍ତି ଭବନ ନିର୍ମାଣ କରାଯିବ । ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ବିଭିନ୍ନ ସାମଗ୍ରୀ ବିକ୍ରି କରିବାକୁ ୫ ଶହଟି ମିସନ ଶକ୍ତି ବଜାର ଓ ଆଉଟଲେଟ୍ ସ୍ଥାପନ କରାଯିବ । ୫ ବର୍ଷ ଭିତରେ ମିସନ ଶକ୍ତି ଯୋଜନାରେ ସ୍ୱୟଂ ସହାୟିକା ଗୋଷ୍ଠୀଗୁଡିକୁ ୫୦ହଜାର କୋଟି ଟଙ୍କାର ବ୍ୟାଙ୍କ ଋଣ ଦିଆଯିବ । ଏସଏଚଜିଙ୍କୁ ୧୨ ଶହ କୋଟି ଟଙ୍କାର ସୁଧ ରିହାତି ମିଳିବ । ପ୍ରାୟ ୩୦ ରୁ ୪୦ଲକ୍ଷ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀର ସଦସ୍ୟାଙ୍କୁ ଜୀବିକା ନିର୍ବାହ ଓ ଦକ୍ଷତା ବୃଦ୍ଧି ତାଲିମ ଦିଆଯିବ । ବିଭିନ୍ନ ସରକାରୀ ବିଭାଗ ସହାଭାଗିତାରେ ମିସନ ଶକ୍ତି ସ୍ୱୟଂ ସହାୟକ ଗୋଷ୍ଠୀ ତଥା ମହାସଂଘକୁ ୬୬୦୦ କୋଟିରୁ ଅଧିକ ବ୍ୟବସାୟ ଯୋଗାଇ ଦିଆଯିବ ।
ମହିଳା ଭୋଟ ବ୍ୟାଙ୍କ ସବୁବେଳେ ବିଜେଡିର ଶକ୍ତି ହୋଇ ରହି ଆସିଛି । ବିଜେଡି ନିର୍ବାଚନ ଜିତିବା ପଛରେ ମହିଳା ଭୋଟ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥିବା କୁହାଯାଏ । ଏପରିକି ପଞ୍ଚାୟତ ଓ ପୌର ନିର୍ବାଚନ ମହିଳାଙ୍କୁ ଆଗକୁ ଆଣି ଆଗାମୀ ନିର୍ବାଚନ ପାଇଁ ଏକ ବଡ ବାର୍ତ୍ତା ଦେଇଛି ।
- ସରକାରଙ୍କୁ ବିରୋଧୀଙ୍କ ସମାଲୋଚନା
- ‘ନିର୍ବାଚନ ଆସିଲେ ମନେ ପଡନ୍ତି ମହିଳା’
ମିଶନ ଶକ୍ତି ପାଇଁ କ୍ୟାବିନେଟରେ ବ୍ୟାପକ ବ୍ୟୟ ବରାଦ ପରେ ସରକାରଙ୍କୁ ସମାଲୋଚନା କରିଛନ୍ତି ବିରୋଧୀ । ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି, ମହିଳାଙ୍କ ଭୋଟ ବିଜେଡିକୁ ମିଳୁଥିବାରୁ ତାକୁ ଆହୁରି ସଲିଡ୍ କରିବାକୁ ମିସନ ଶକ୍ତିକୁ ଗୁରୁତ୍ୱ ଦେଉଛନ୍ତି ସରକାର । ବିଜେପି ନେତା ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି, ନିର୍ବାଚନ ଆସିଲେ ସରକାରଙ୍କର ମହିଳାଙ୍କ କଥା ମନେପଡେ । ଏହାର ପ୍ରକୃତରେ କୌଣସି ବିକାଶ ହେବ ନାହିଁ । ତେବେ ମିସନ ଶକ୍ତିକୁ ସଶକ୍ତ କରିବା ଦ୍ୱାରା ଗୋଟିଏ ଯୋଜନାରେ ନବୀନ ସରକାର ଦୁଇଟି ଲାଭ ପାଉଥିବା ଚର୍ଚ୍ଚା ହୁଏ । ଗୋଟିଏ ପଟେ ମହିଳାଙ୍କ ବିକାଶ ହେଉଛି ଓ ଅନ୍ୟପଟେ ତାଙ୍କ ଭୋଟ ବ୍ୟାଙ୍କ ବଢ଼ିବାରେ ଲାଗିଛି । କାରଣ ୭୦ଲକ୍ଷ ମହିଳା ମିସନ ଶକ୍ତିର ସଦସ୍ୟ ଅଛନ୍ତି ।