କନକ ବ୍ୟୁରୋ: ଆଜି ଦିନରେ ଖାଲି ଅଘଟଣ ପରେ ଅଘଟଣ । ଆଉ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାର ଖବର ଆସିଛି ସମ୍ବଲପୁର ଜିଲ୍ଲାରୁ । କୁଚିଣ୍ଡା ଜମନକିରା ଥାନା ୫୩ ନମ୍ବର ଜାତୀୟ ରାଜପଥ ଚିନିମହୁଲଠାରେ କଂଟେନର ଓ ଟ୍ରକ୍ ମୁହାଁମୁହିଁ ଧକ୍କା । ଦୁର୍ଘଟଣାରେ ଜଣେ ଡ୍ରାଇଭରଙ୍କ ମୃତ୍ୟୁ ହୋଇଥିବାବେଳେ ଜଣେ ଗୁରୁତର ହୋଇଛନ୍ତି । ଗତକାଲି ରାତି ପ୍ରାୟ ୩ଟା ବେଳକୁ ଏହି ଦୁର୍ଘଟଣା ହୋଇଥିବା ଜଣାପଡିଛି । ଖବର ପାଇ ଜମନକିରା ପୋଲିସ ଓ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଁଚି ଉଦ୍ଧାର କରିଥିଲେ । ଦୁର୍ଘଟଣା ପାଇଁ ୫ ଘଂଟା ପାଇଁ ଜାତୀୟ ରାଜପଥ ଅବରୋଧ ହୋଇଥିଲା ।

Advertisment

ସେହିପରି ଭଦ୍ରକ, ଗ୍ରାମାଂଚଳ ଥାନା ୧୬ ନମ୍ବର ଜାତୀୟ ରାଜପଥ ଗେଲପୁର ଛକରେ ଭୟଙ୍କର ଦୁର୍ଘଟଣା । ଟ୍ରକ୍କୁ ପଛପଟୁ ପିଟିଲା କାର । ଦୁର୍ଘଟଣାରେ ଜଣେ ମୃତ, ୪ ଗୁରୁତର । ଗୁରୁତରଙ୍କୁ ଡାକ୍ତରଖାନାରେ ଭର୍ତି କରାଯାଇଛି । ୨ ଜଣଙ୍କର ଭଦ୍ରକ ଡାକ୍ତରଖାନାରେ ଚିକିତ୍ସା ଚାଲିଥିବାବେଳେ, ଅନ୍ୟ ଦୁଇ ଗୁରୁତରଙ୍କୁ କଟକ ବଡ ମେଡିକାଲ ସ୍ଥାନାନ୍ତର କରାଯାଇଛି । ମିଳିଥିବା ସୂଚନା ଅନୁସାରେ ଭଦ୍ରକ ପୁରୁଣାବଜାରରୁ ଇଣ୍ଡିଗୋ କାରଟି ଧାମନଗର ଦୋବାଲ ଯାଉଥିବାବେଳେ ରାସ୍ତା କଡରେ ଛିଡା ହୋଇଥିବା ଟ୍ରକ୍କୁ ପଛପଟୁ ପିଟିଥିଲା କାରଟି ।

କୁଚିଣ୍ଡା ଥାନା ବିଜାଡିହରୁ ମଧ୍ୟ ଆସିଛି ଦୁଃଖଦ ଖବର । କାନ୍ଥ ପଡି ଦୁଇଜଣଙ୍କର ମୃତ୍ୟୁ ହୋଇଛି । ସୂଚନା ଅନୁସାରେ ଘରର ପୁରୁଣା ଭାଙ୍ଗୁଥିବାବେଳେ ଲୋକଙ୍କ ଉପରେ ଭୁସୁଡି ପଡିଲା କାନ୍ଥ । ଦୁର୍ଘଟଣାରେ ଜଣେ ମହିଳା ଓ ଜଣେ ପୁରୁଷ ମୃତ । ମହିଳା ଜଣଙ୍କ ଘରର ମାଲିକ ନମିତା ପଟେଲ । ନିଜ ଘରର ଏକ ପୁରୁଣା କାନ୍ଥ ଭାଙ୍ଗିବାକୁ ଗାଁର ଲଳିତ ଦେହୁରୀଙ୍କୁ ଡାକିଥିଲେ । ତେବେ କାନ୍ଥ ଭାଙ୍ଗିବାବେଳେ ଏହା ସେମାନଙ୍କ ଉପରେ ହିଁ ଭୁଷୁଡି ପଡିଥିଲା । ଲଳିତ ଶ୍ରମିକ ଭାବେ କାମ କରୁଥିଲେ । ପରିବାର ଲୋକେ ଉଦ୍ଧାର କରି ଡାକ୍ତରଖାନା ନେଇଥିବାବେଳେ, ସେଠାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଛନ୍ତି ।