ବର୍ଷର ଶେଷ ରାତିରେ ରାଜଧାନୀ ରାସ୍ତାରେ ବୁଲିଲା ଖଣ୍ଡା ।ଗୋଟିଏ ପଟେ ଜିରୋ ନାଇଟ୍ ସେଲିବ୍ରେସନ୍, ଅନ୍ୟପଟେ ଆତଙ୍କରାଜ ଚଳାଇଲେ ଅସାମାଜିକ ।

897

କନକ ବ୍ୟୁରୋ : ବର୍ଷର ଶେଷ ଦିନର ଶେଷ ସମୟ ପ୍ରତିଟି ମୁହୁର୍ତକୁ ଝୁମି ଝୁମି ବିତାଉଥିଲେ ରାଜଧାନୀବାସୀ । ଦୁଇ ବର୍ଷର କରୋନା କଟକଣା ପରେ, ଡିସେମ୍ବର ୩୧ରେ ଜିରୋ ନାଇଟକୁ ସେଲିବ୍ରେସନ କରିଥିଲେ ରାଜଧାନୀବାସୀ । ହେଲେ, ଅନ୍ୟପଟେ ରାଜଧାନୀର ବିଭିନ୍ନ ସ୍ଥାନରେ ଦୁବୃର୍ତମାନେ ଉତ୍ପାତ କରିଥିଲେ । ନୟାପଲ୍ଳୀ ଅଂଚଳରେ ସୀମା ଟପି ଯାଇଥିଲେ ଦୁବୃର୍ତ । ଖଣ୍ଡା ବୁଲାଇ ଆତଙ୍କ ସୃଷ୍ଟି କରିଥିଲେ ।

ଗୋଟିଏ ପଟେ ଜିରୋନାଇଟ୍ ସେଲିବ୍ରେସନ ପାଇଁ ଚିକମିକ୍ ଆଲୁଅ ସାଂଗକୁ ଡିଜେର ତାଳେତାଳେ ଝୁମୁଥିଲେ ରାଜଧାନୀବାସୀ । ସନ୍ଧ୍ୟା ୭ଟାରୁ ରାତି ୧୨ଟା ପର୍ଯ୍ୟନ୍ତ ଚାଲିଥିଲା ନନଷ୍ଟପ୍ ନାଚ । ଆଉ ଆରପଟେ ଆତଙ୍କ ଚଳାଇଥିଲେ ଦୁବୃର୍ତ । ସର୍ବ ସମ୍ମୁଖରେ ଖଣ୍ଡା ବୁଲାଇ ଲୋକଙ୍କୁ ଭୟଭୀତ କରିଥିଲେ ।

ଜିରୋନାଇଟ୍ ସେଲିବ୍ରେସନ ରାତିରେ ଦୁବୃର୍ତମାନେ ଆତଙ୍କ ସୃଷ୍ଟି କରୁଥିବା ବେଳେ, ସିସିଟିଭିରେ କଏଦ ହୋଇଛି ଏହି ଦୃଶ୍ୟ । ଭୁବନେଶ୍ୱର ନୟାପଲ୍ଲୀ ଅଂଚଳର ଦୃଶ୍ୟ । ଯେଉଁ ଦୃଶ୍ୟରେ ସ୍ପଷ୍ଟ ଭାବରେ ଦେଖାଯାଉଛି, ଦୁବୃର୍ତମାନେ ଭୟର ବାତାବରଣ ସୃଷ୍ଟି କରୁଛନ୍ତି । ଅଧରାତିରେ ଖଣ୍ଡା ବୁଲାଇ ଆତଙ୍କରାଜ ଚଳାଉଛନ୍ତି । ଲୋକଙ୍କୁ ଭୟଭୀତ କରିବା ସହ ଗାଳି ଗୁଲଜ କରୁଛନ୍ତି । ଅତର୍କିତ ଆକ୍ରମଣ କରୁଛନ୍ତି । ପାଖରେ ଥିବା କିଛି ଗାଡିକୁ ଇଟା ଓ ପଥର ମାରି ଭାଂଗି ଦେଇଛନ୍ତି ।

ଦୁବୃର୍ତଙ୍କ ଆକ୍ରମଣରେ କାହାର ହାତ ଭାଂଗିଛି ତ ଆଉ କାହାର ମୁଣ୍ଡ ଫାଟିଛି । ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି । ଏବଂ ଯେଉଁମାନେ ଉତ୍ପାତ କରିଥିଲେ ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି । ପୋଲିସ ସିସିଟିଭି ଫୁଟେଜକୁ ଆଧାର କରି ତଦନ୍ତ ଜାରି ରଖିଛି । ଏବଂ ଅଭିଯୁକ୍ତମାନଙ୍କୁ ଅଟକ ରଖି ପଚରାଉଚୁରା କରୁଥିବା ଜଣାପଡିଛି ।