ନିୟନ୍ତ୍ରଣ ରେଖା ଅତିକ୍ରମ କରିଛି ଭାରତ ! ବାୟୁସେନା ପକ୍ଷରୁ ହୋଇଥିବା ବୋମାମାଡର ପ୍ରମାଣ ଦେଲା ପାକ୍, ଜାରି କଲା ଆକ୍ରମଣ ବେଳର ଫଟୋ ଏବଂ ଭିଡିଓ

718

ପୁଲୱାମା ଆତଙ୍କୀ ଆକ୍ରମଣ ପରେ ପ୍ରଥମ ଥର ପାଇଁ ଭାରତୀୟ ବାୟୁସେନା ନିୟନ୍ତ୍ରଣ ରେଖା ଅତିକ୍ରମ କରି ପାକିସ୍ତାନ ଅଧିକୃତ ଅଂଚଳରେ ବୋମାବର୍ଷା କରିଛି । କୁହାଯାଉଛି କି, ମିରାଜ-୨୦୦୦ ବିମାନ, ଭୋର ସାଢେ ୩ଟାରେ ପିଓକେରେ ୧ ହଜାର କିଲୋଗ୍ରାମର ବମ୍ ପକାଇ ଆତଙ୍କୀ ଆଡ୍ଡାକୁ ଧ୍ୱଂସ କରିଛି । ଏହି ଆକ୍ରମଣରେ ଜେଶ-ଏ-ମହମ୍ମଦ ଆତଙ୍କୀ ସଂଗଠନର ୩ଟି କଂଟ୍ରୋଲ ରୁମ୍ ଧ୍ୱଂସ ହୋଇଥିବା ବେଳେ ବାଲାକୋଟ୍, ଚକୋଟି ଓ ମୁଜାଫରବାଦ୍ ଲଂଚ ପ୍ୟାଡକୁ ମାଟିରେ ମିଶାଇ ଦେଇଛି ଭାରତୀୟ ବାୟୁସେନା ।

ପାକିସ୍ତାନର ମେଜର ଜେନେରାଲ ଆସିଫ ଗଫୁର୍ ଟୁଇଟର ପେଜରେ କିଛି ଫଟୋ ସେୟାର କରି ଏହାକୁ ପରୋକ୍ଷରେ ସ୍ୱୀକାର କରିଛନ୍ତି । ଯେଉଁଥିରେ ଭାରତ ଦ୍ୱାରା ଫିଙ୍ଗା ଯାଇଥିବା ବୋମାମାଡ କାରଣରୁ କ୍ଷତିଗ୍ରସ୍ତ ହୋଇଥିବା ସ୍ଥାନଗୁଡିକର ଦୃଶ୍ୟ ନଜର ରହିଛି । ସେ ଲେଖିଛନ୍ତି କି, ଭାରତୀୟ ବାୟୁସେନା ଯୁଦ୍ଧ ବିମାନ ପାକିସ୍ତାନ ସୀମାକୁ ପଶି ଆସିଥିଲା । ପାକ୍ ବାୟୁସେନାର ପାଲଟା ଜବାବ୍ରେ ଭାରତୀୟ ଯୁଦ୍ଧ ବିମାନ ଫେରି ଯାଇଥିଲା ।

ଭୋର ୩ଟା ୪୫ରେ ବାଲାକୋଟ୍ ଆତଙ୍କୀ ଆଡ୍ଡାରେ ବୋମା ବର୍ଷା କରିଥିଲା ମିରାଜ୍ ଯୁଦ୍ଧ ବିମାନ । ଏହାର ଠିକ୍ ୩ ମିନିଟ୍ ପରେ ଅର୍ଥାତ୍ ୩ଟା ୪୮ରେ ମୁଜାଫରବାଦ୍ ଲଂଚ ପ୍ୟାଡରେ ହମଲା କରିଥିଲେ ଭାରତୀୟ ସେନା ।

ମୁଜାଫରବାଦ ଆକ୍ରମଣର ୧୦ ମିନିଟ୍ ପରେ ୩ଟା ୫୮ ମିନିଟରେ ଚକୋଟି ଆତଙ୍କବାଦୀ ଶିବିର ଉପରେ ବମୋ ବର୍ଷା କରିଛି ବାୟୁସେନା ବିମାନ ମିରାଜ-୨୦୦୦ । ମିଳିଥିବା ସୂଚନା ଅନୁସାରେ, ଏହି ୩ଟି ଲଂଚ ପ୍ୟାଡ ଆତଙ୍କବାଦୀଙ୍କ ଟ୍ରେନିଂ କ୍ୟାମ୍ପ ଥିଲା ।

 

 

ଏହାସହ ପାକିସ୍ତାନ ଜଣେ ସାମ୍ବାଦିକ ଅସଲାନ୍ ସିଦ୍ଧିକୀ ଟୁଇଟର ଯୋଗେ ଭାରତୀୟ ବାୟୁ ସେନା ଆକ୍ରମଣର ଭିଡିଓ ସେୟାର କରିଛନ୍ତି । ତେବେ ସେହି ଭିଡିଓର ସତ୍ୟାସତ ଜଣାପଡିନାହିଁ ।