କନକ ବ୍ୟୁରୋ: କୃଷ୍ଣ ପ୍ରେମରେ ମୁସଲିମ୍ ମହିଳା । ବୃନ୍ଦାବନ ଯାଇ ଶବନମରୁ ପାଲଟିଗଲେ ମୀରା । ଆମେ କହୁଛୁ ଜଣେ ମୁସଲିମ୍ ମହିଳା ଭକ୍ତଙ୍କ କଥା । ସଚରାଚର ବ୍ରହ୍ମାଣ୍ଡର କର୍ତ୍ତା ଶ୍ରୀକୃଷ୍ଣଙ୍କ ପ୍ରେମରେ ଭକ୍ତ କାହିଁ କେତେ ଦୂରରୁ ଧାଇଁଆସେ । ଉତ୍ତରପ୍ରଦେଶ ମୁରାଦାବାର ଶବନମଙ୍କ କାହାଣୀ ମଧ୍ୟ କିଛି ଏଭଳି । ଶବନମ୍ ଏବେ କୃଷ୍ଣ ଭକ୍ତିରେ ଲୀନ ହୋଇ ପବିତ୍ର ବୃନ୍ଦାବନ ଧାମକୁ ନିଜ ଆବାସ କରିନେଇଛନ୍ତି ।

Advertisment

ଶ୍ରୀକୃଷ୍ଣଙ୍କ ଜନ୍ମସ୍ଥଳୀ ମଥୁରା ଓ ଲୀଳାସ୍ଥଳୀ ବୃନ୍ଦାବନ ପୁରା ଦେଶଦୁନିଆଁରେ ଆଧ୍ୟାତ୍ମ ଭକ୍ତିର ସ୍ଥାନ । ଏଥିପାଇଁ ଶ୍ରୀକୃଷ୍ଣଙ୍କର ଅନେକ ଭକ୍ତ ଏହି ଧାମକୁ ଛୁଟିଆସନ୍ତି । ସେମାନେ ବିଭିନ୍ନ ସମ୍ପ୍ରଦାୟ ଓ ଜାତିର ହୋଇଥାନ୍ତି । ଏଭଳି ଜଣେ ମସଲମାନ୍ ଭକ୍ତ ନିଜର ଘର ଦ୍ୱାର ଛାଡି କାହ୍ନାର ପ୍ରେମରେ ବୃନ୍ଦାବନ ଚାଲିଆସିବା ପରେ ଏବେ ଏହି ପାବନ କ୍ଷେତ୍ର ପାଲଟିିଛି ତାଙ୍କ ସାଧନାସ୍ଥଳୀ ।
ଶବନମ୍ ଉତ୍ତରପ୍ରଦେଶ ମୁରାଦାବାଦ୍ ସ୍ଥିତ ଜିଗର କଲୋନୀ ନିବାସୀ ଇକରାମ ହୁସୈନଙ୍କ ଝିଅ । ଇକରାମ କଂସାବାସନ ଓ ପିତଳ ମୂର୍ତ୍ତି ବନାନ୍ତି । ଝିଅ ଶବନମ୍ ପିଲାବେଳେୁ ହିନ୍ଦୁ ଦେବାଦେବୀଙ୍କ ପ୍ରତି ଆସକ୍ତ । ବିଶେଷ କରି କାହ୍ନା ପ୍ରେମ ପ୍ରତି ତାଙ୍କର ରହିଥିଲା ବିଶେଷ ଆକର୍ଷଣ । ସମୟ କ୍ରମେ କୃଷ୍ଣକହ୍ନେୟାଙ୍କ ପ୍ରତି ତାଙ୍କର ଅହେତୁକ ଭକ୍ତି ତାଙ୍କୁ ବ୍ରଜଭୂମିକୁ ଟାଣିଆଣିଲା । ୪ ମାସ ପୂର୍ବରୁ ସେ ନିଜ ସହି ବାଳ ଗୋପାଳଙ୍କୁ ଧରି ବୃନ୍ଦାବନ ଚାଲିଅସିଲେ । ଏଠାରେ ଗୋବର୍ଦ୍ଧନ ପରିକ୍ରମା ମାର୍ଗ ସ୍ଥିତ ଗୋପାଳ ଆଶ୍ରମରେ ତାଙ୍କୁ ଠିକଣା ମିଳିଗଲା । ଏବେ ଶବନମ୍ ଭଗବାନଙ୍କ ଭକ୍ତିରେ ହିଁ ନିଜକୁ ମଜାଇ ରଖିଛନ୍ତି ।

ସୂଚନା ମୁତାବକ, ୨୦୦୦ରେ ମସିହାରେ ଶବନମ୍ ଦିଲ୍ଲୀ ଶାହଦରା ନିବାସୀ ଜଣେ ଯୁବକଙ୍କୁ ବିବାହ କରିଥିଲେ । ହେଲେ ୫ ବର୍ଷ ପରେ ଅର୍ଥ ୨୦୦୫ରେ ଦୁହଁଙ୍କର ବିବାହ ବିଚ୍ଛେଦ ହୋଇଗଲା । ଏହାପରେ ଶବନମ୍ ବାପ ଘରକୁ ଚାଲିଆସିଲେ । ଶବନମ୍ ୪ ଭାଇ ଭଉଣୀଙ୍କ ମଧ୍ୟରୁ ତୃତୀୟ ଥିଲେ । ସ୍ୱାମୀ ଛାଡି ଦେବା ପରେ ଶବନମ୍ ଦିଲ୍ଲୀରେ ରହିବାକୁ ଲାଗିଲେ । ଘର ଲୋକଙ୍କ ଉପରେ ଯେପରି ବୋଝ ନହେବେ ସେଥିପାଇଁ ଏକ ଘରୋଇ ସଂସ୍ଥାରେ ଚାକିରି କଲେ । ସବୁଠାରୁ ରୋଚକ କଥା ହେଉଛି ଚାକିରି ଛାଡି ଶବନମ୍ କିଛି ମାସ ଲେଡି ବାଉନ୍ସର ଭାବେ କାର୍ଯ୍ୟ କରିଥିଲେ ।

ହେଲେ ଶ୍ରୀକୃଷ୍ଣଙ୍କ ଭକ୍ତି ତାଙ୍କୁ ବିଚଳିତ କରିଥିଲା । ତେଣୁ କେବଳ ଆଉ କେବଳ ତାଙ୍କରି ଧ୍ୟାନରେ ରହିବକୁ ଚାହିଁଥିଲେ । ଏବଂ ଏଥିପାଇଁ ଚିନ୍ତାମଗ୍ନ ରହୁଥିବାବେଳେ ତାଙ୍କ ମନକୁ ବୃନ୍ଦାବନ କଥା ଆସିଥିଲା । ଆଉ ତାଙ୍କୁ କୌଣସି ସମ୍ପର୍କ ବାନ୍ଧି ରଖିପାରିନଥିଲା । ଆଗରୁ ଶାଶୁଘର ତ ଯାଇଥିଲା । ଏବେ ବାପଘର , ଆଉ ସବୁ ସମ୍ପର୍କକୁ ପଛରେ ଛାଡିଲେ, ସବୁ ଭୁଲି ବୃନ୍ଦାବନ ଚାଲିଆସିଲେ । ଏବେ ବାପା, ମା’ କି ଭାଇ ଭଉଣୀ କାହାରି ସହ କୌଣସି ପ୍ରକାର ଯୋଗଯୋଗ ନାହିଁ । ଏବେ ତ କେବଳ କୃଷ୍ଣ ଗୋପାଳ ହିଁ ତାଙ୍କର ଏକମାତ୍ର ଆଶ୍ରା । ସେହିଁ ତାଙ୍କର ବାପା, ମା’, ଭାଇ ବନ୍ଧୁ ସବୁକିଛି ।

ଆଉ ଏକ କଥା ଜାଣିଛନ୍ତି? ଶବନମ୍ ଘର ଛାଡି ବୃନ୍ଦାବନରେ ରହିବା ପରେ ବାଲ୍ଗୋପାଳଙ୍କୁ ସାଙ୍ଗରେ ନେଇ ଫଟୋ ଉଠାଇ ତାଙ୍କରି ଆଧାରରେ ନିଜ ଆଧାରକାର୍ଡ ବଦଳାଇବାକୁ ଚେଷ୍ଟା କରିଥିଲେ , ହେଲେ ତାହା ସମ୍ଭବ ହେଲା ନାହିଁ । ହେଲେ ନିଜକୁ କାହ୍ନା ତାଙ୍କ ରକ୍ଷାକର୍ତ୍ତା ଏବଂ ବୃନ୍ଦାବନ ହିଁ ତାଙ୍କର ଚିର ଠିକଣା ବୋଲି କହିଛନ୍ତି ଶବନମ୍ ।