ବାଙ୍କୀର ନାବାଳିକା ଝିଅକୁ ଆନ୍ଧ୍ରରେ ଅଟକ ରଖିଛି ଦଲାଲ । ଫେରାଇବା ପାଇଁ ଦାବି କରୁଛି ୫୦ ହଜାର ।

90

କନକ ବ୍ୟୁରୋ: ଆନ୍ଧ୍ରରେ ଅଟକ ଅଛି ଓଡିଆ ଝିଅ । ବାଙ୍କୀ ଥାନା ଅନ୍ତର୍ଗତ ମାଳବିହାରପୁର ଗାଁର ଜଣେ ୧୪ ବର୍ଷର ନାବାଳିକା ଦଲାଲ ହାବୁଡରେ ପଡି ଆନ୍ଧ୍ରପ୍ରଦେଶରେ ବନ୍ଧା ପଡିଛି । ଆଉ ଝିଅକୁ ଘରକୁ ଛାଡିବା ପାଇଁ ଦଲାଲ ଜଣକ ୫୦ ହଜାର ଦାବି କରୁଛି । ଯାହାପରେ ଏସବୁ ଅଭିଯୋଗ ନେଇ ପୁଲିସର ଦ୍ୱାରସ୍ଥ ହୋଇଛନ୍ତି ନାବାଳିକାଙ୍କ ପରିବାର ଲୋକେ । ଆଉ ସେଠାରୁ ନିରାଶ ହୋଇ ଫେରିଥିବା ଅଭିଯୋଗ କରିଛନ୍ତି ନାବାଳିକାର ବାପା ମାଆ ।

କଟକ ଜିଲ୍ଲା ବାଙ୍କୀ ଅଂଚଳ ସୁବର୍ଣ୍ଣପୁର ଫାଣ୍ଡି ଅନ୍ତର୍ଗତ ମାଳବିହାରପୁର ଗାଁରୁ ଆସିଛି ଏଭଳି ସାଙ୍ଘାତିକ ଅଭିଯୋଗ । ଗାଁର ଜଣେ ନାବାଳିକା ସପ୍ତମ ଶ୍ରେଣୀରେ ପାଠ ପଢୁଥିଲେ । ପରିବାର ଆର୍ଥିକ ଅନଟନ ଯୋଗୁଁ ପାଠ ଛାଡି ୨ ମାସ ତଳେ ଜଣେ ଦଲାଲ ଜରିଆରେ କାମ କରିବାକୁ ଆନ୍ଧ୍ରପ୍ରଦେଶ ଯାଇଥିଲେ । ସେଠାରେ ଏକ ଚିଙ୍ଗୁଡି ଫ୍ୟାକ୍ôଟ୍ରିରେ କାମ ଯୋଗାଇ ଦେବାକୁ କହି ନେଇଥିଲା ଦଲାଲ । ହେଲେ ସେଠାରେ କାମ ଯୋଗାଇ ଦେବ କଣ, ନାବାଳିକାଙ୍କୁ ନିର୍ଯାତନା ଦେବାରୁ କିଛି ନାବାଳିକା ଦଲାଲ କବଳରୁ ଲୁଚି ପଳାଇ ଆସିଛନ୍ତି । ଆଉ ଏମାନେ ଆସିବା ପରେ ସାମ୍ନାକୁ ଆସିଛି ଦଲାଲର ଦାଦାଗିରି ।

୧୪ ବର୍ଷର ନାବାଳିକା ଆନ୍ଧ୍ରପ୍ରଦେଶରେ ଦଲାଲ କବ୍ଜାରେ ରହିଥିବା ବେଳେ ଝିଅକୁ ସୁରକ୍ଷିତ ଭାବେ ଫେରାଇ ଆଣିବା ପାଇଁ ଦଲାଲକୁ ଯୋଗାଯୋଗ କରିଛନ୍ତି ପରିବାର ଲୋକ । ହେଲେ ଦଲାଲ ଜଣଙ୍କ ଝିଅକୁ ଛାଡିବା ପାଇଁ ୫୦ ହଜାର ଟଙ୍କା ଦାବି କରୁଛି । ଏନେଇ ପରିବାର ଲୋକ ସୁବର୍ଣ୍ଣପୁର ଫାଣ୍ଡିରେ ଅଭିଯୋଗ କରିଛନ୍ତି । ଝିଅର ଫଟୋକୁ ଧରି ଗୁମୁରି ଗୁମୁରି କାନ୍ଦୁଛି ମାଆ । ୧୫ ଦିନ ହେଲା ଘରେ ଚୁଲି ଜଳୁନି । ଝିଅକୁ ନେଇ ଅନେକ ଆଶଙ୍କା ଭିତରେ ପରିବାର ନାବାଳିକା ଝିଅର ଫେରିବା ବାଟକୁ ଅପେକ୍ଷା କରିଛନ୍ତି ।